ପୂର୍ବତଟ ରେଳପଥର ଭିତ୍ତିଭୂମି ସମୀକ୍ଷା

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ(ଭିତ୍ତିଭୂମି) ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥର ଭିତ୍ତିଭୂମି କାର୍ଯ୍ୟ ଓ ବିକାଶ ଉପରେ ସମୀକ୍ଷା କରିଛନ୍ତି। ରେଳପଥ ମୁଖ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ସୁନକର ଉଭୟ ପଣ୍ୟ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଅଧିକାରୀଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଯଥା ଶିଳ୍ପ, ବନ୍ଦର, କର୍ପୋରେଟ୍ ସଂସ୍ଥାଙ୍କ ମିଳିତ ସହଯୋଗ ଓ ପାରସ୍ପରିକ ବୁଝାମଣା ମଧ୍ୟରେ କାର୍ଯ୍ୟ କରନ୍ତୁ। ଯାହାଦ୍ବାରା ବିଭିନ୍ନ ଅଂଶୀଦାର ଓ ରେଳପଥ ଉପକୃତ ହୋଇପାରିବ।

ଏହି ଅବସରରେ ବିଶ୍ୱସ୍ତରର ଭିତ୍ତିଭୂମି ଓ ସୁବିଧା ସହ ପୁରୀ, କଟକ ଷ୍ଟେସନ୍‌ର ପୁନଃବିକାଶ ପାଇଁ ଚାଲୁ ରହିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଛି। ପ୍ରକଳ୍ପ କାର୍ଯ୍ୟକୁ ଆଦର୍ଶ ଓ ଆକର୍ଷଣୀୟ କରିବାକୁ କୁହାଯାଇଛି। ସାଧାରଣ ଜନତାଙ୍କ ସହ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀଙ୍କ ଆରାମ ପାଇଁ ଏହି ପ୍ରସ୍ତାବିତ ବିଶ୍ୱସ୍ତରୀୟ ଷ୍ଟେସନ୍‌ଗୁଡ଼ିକରେ ଯାତ୍ରୀ ସୁବିଧା ଓ ପରିସେବା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଶୀଘ୍ର ସମାପ୍ତି ସହ ଯାତ୍ରୀକୈନ୍ଦ୍ରିକ ସୁବିଧାଗୁଡ଼ିକ ପାଇଁ ଧ୍ୟାନ ଦେବାକୁ କୁହାଯାଇଛି। ଓଡ଼ିଶାରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ଲାଗି ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି। ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ତେଣୁ ଧାର୍ଯ୍ୟ ଅବଧିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ପ୍ରାଥମିକତା ଦେବାକୁ ଶ୍ରୀ ସୁନକର କହିଛନ୍ତି।

ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଯଥା ମୁଖ୍ୟ ପ୍ରଶାସକ/ନିର୍ମାଣ, ପ୍ରମୁଖ ଯନ୍ତ୍ରୀ, ପ୍ରମୁଖ ପରିଚାଳନା ପ୍ରବନ୍ଧକ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ, ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ, ପ୍ରମୁଖ ସାଙ୍କେତିକ ଓ ଟେଲି ଯୋଗାଯୋଗ ଯନ୍ତ୍ରୀ ଓ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର