ପଣ୍ୟ ପରିବହନରେ ଉପଭୋକ୍ତାଙ୍କୁ ସୁବିଧା ଓ ପରିବହନ ବୃଦ୍ଧି କରିବାକୁ ଲକ୍ଷ୍ୟ, ବିଡିୟୁ ଗଠନ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ରେଳବାଇ ବୋର୍ଡର ନିର୍ଦ୍ଦେଶାନୁଯାୟୀ ପୂର୍ବତଟ ରେଳପଥ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥାଗୁଡ଼ିକର ନିକଟତର ହେବା ଓ ନନ୍‌-ବଲ୍‌କ ଗୁଡ୍‌ସ ଟ୍ରାଫିକ୍ ସହ ବିଭିନ୍ନ କ୍ଷେତ୍ରରେ ଥିବା ପରିବହନ ଆବଶ୍ୟକତାରେ ରେଳପଥର ଅଂଶୀଦାରିତା ବୃଦ୍ଧି ଲାଗି ଜୋନାଲ୍‌ ଓ ମଣ୍ଡଳସ୍ତରରେ ବିଜ୍‌ନେସ୍ ଡେଭଲପ୍‌ମେଣ୍ଟ୍ ୟୁନିଟ୍(ବିଡିୟୁ) ଗଠନ କରାଯାଇଛି। ଜୋନାଲ୍‌ସ୍ତରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ଦ୍ୱାରା ଗଠନ କରାଯାଇଥିବା ୪ ଜଣ ସଦସ୍ୟ ବିଶିଷ୍ଟ ବିଡିୟୁରେ ମୁଖ୍ୟ ମାଲ ପରିବହନ ପ୍ରବନ୍ଧକ ସଞ୍ଜୟ ମିଶ୍ର ଆବାହକ, ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ(ପଣ୍ୟ ପରିବହନ ସେବା) ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ମୁଖ୍ୟ ରୋଲିଂ ଷ୍ଟକ୍ ଇଞ୍ଜିନିୟର ଏସ୍‌ ପି ସିଂହ, ଅର୍ଥନୈତିକ ପରାମର୍ଶଦାତା ଓ ମୁଖ୍ୟ ଲେଖା ଅଧିକାରୀ ବିଜୟ କୁମାର ମିଶ୍ର ସଦସ୍ୟ ଅଛନ୍ତି।

ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍‌, ବିଶାଖାପାଟଣା ଓ ସମ୍ବଲପୁରସ୍ଥିତ ସମସ୍ତ ୩ଟି ମଣ୍ଡଳଗୁଡ଼ିକରେ ଗଠିତ ହୋଇଥିବା ବିଡିୟୁ, ଟ୍ରେନ୍ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ ଶାଖା ଅଧିକାରୀ ସଦସ୍ୟମାନଙ୍କୁ ନେଇ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକଙ୍କ ସମନ୍ୱୟରେ ପରିଚାଳିତ ହେବ। ବିଡିୟୁଗୁଡ଼ିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାଙ୍କ ସହ ବାରମ୍ବାର ଆଲୋଚନା କରି ବର୍ତ୍ତମାନର ପରିବହନ ପଦ୍ଧତି ସମ୍ବନ୍ଧରେ ଜାଣିପାରିବେ। ଶିଳ୍ପ ଓ ବାଣିଜ୍ୟ ପ୍ରତିନିଧି, ରେଳ ପଣ୍ୟ ଉପଭୋକ୍ତାଙ୍କୁ ଉପଯୁକ୍ତ ଜୋନାଲ୍ ଓ ମଣ୍ଡଳସ୍ତରରେ ରେଳପଥ ସହ ସମ୍ପର୍କ ସ୍ଥାପନା କରିବା ପାଇଁ ସହାୟକ ହେବ। ଏହି ୟୁନିଟ୍‌ଗୁଡ଼ିକ ମାଲ୍‌ବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ସେମାନଙ୍କ ପ୍ରସ୍ତାବଗୁଡ଼ିକୁ ଅତିଶୀଘ୍ର କାର୍ଯ୍ୟକାରୀ ପାଇଁ ଏକ ନୋଡାଲ୍ ପଏଣ୍ଟ ହିସାବରେ କାର୍ଯ୍ୟ କରିବ, ଯାହାଦ୍ୱାରା ଉଭୟ ଗ୍ରାହକ ଓ ରେଳପଥ ଲାଭବାନ ହୋଇପାରିବେ।

ଏହି ୟୁନିଟ୍‌ଗୁଡ଼ିକ ଗ୍ରାହକ ଓ ଶିଳ୍ପ ସଂସ୍ଥାଙ୍କ ସହ ବାରମ୍ବାର ଆଲୋଚନା କରିବେ। ବର୍ତ୍ତମାନ କରାଯାଉଥିବା ସାମଗ୍ରୀ ପରିବହନରେ ରେଳପଥର ଅଂଶୀଦାରିତାକୁ ମଜଭୁତ୍ କରିବା ସହ ବିଭିନ୍ନ ନନ୍‌-ବଲ୍‌କ ପଣ୍ୟ ପରିବହନରେ ବୃଦ୍ଧି ନିମନ୍ତେ ମାର୍ଗର ଅନୁସନ୍ଧାନ କରିବେ। ଆସୁଥିବା ଯେକୌଣସି ପ୍ରସ୍ତାବକୁ ତୁରନ୍ତ ଅନୁଶୀଳନ କରାଯିବ। ଆବଶ୍ୟକ ହେଲେ, ଜୋନାଲ୍ ରେଳପଥ ଓ ରେଲ୍‌ୱେ ବୋର୍ଡରୁ ମଧ୍ୟ ତୁରନ୍ତ ସହାୟତା ଲୋଡ଼ାଯିବ। ଏହି ୟୁନିଟ୍ ଭାରତୀୟ ରେଳପଥର ୨୦୨୪ ସୁଦ୍ଧା ମାଲ୍ ପରିବହନକୁ ଦୁଇ ଗୁଣିତ କରିବା ଉପରେ ଗୁରୁତ୍ବ ଦେବ।

ସମ୍ବନ୍ଧିତ ଖବର