ପୂର୍ବତଟ ରେଳପଥ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ

ଭୁବନେଶ୍ବର : ଭ୍ରଷ୍ଟାଚାରର କୁପ୍ରଭାବ ଓ ଏହାକୁ ସମାଜରୁ ଦୂର କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା, ସଚ୍ଚୋଟତା ଭାବନା ସୃଷ୍ଟି କରିବାକୁ ପ୍ରୟାସ କରିଛି ପୂର୍ବତଟ ରେଳପଥ। ଏହାର ପରିସୀମା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକର ସ୍କୁଲ ଓ କଲେଜରେ ଆଲୋଚନାଚକ୍ର ସହ ବକୃତା ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୮ ତାରିଖଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ସ୍ଲୋଗାନ ଲେଖିବା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ।

କଟକ ଓ ଭୁବନେଶ୍ୱରର କେତେକ ସ୍କୁଲ, କଲେଜରେ ବକୃତା, ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ଭ୍ରଷ୍ଟାଚାରର ମୂଳୋତ୍ପାଟନ ପାଇଁ ଅଖଣ୍ଡତା ଓ ସ‌‌‌ଚ୍ଚୋଟତାକୁ ମୂଳମନ୍ତ୍ର ଭାବେ ଆପଣାଇବା ସହ ଜୀବନର ପ୍ରାରମ୍ଭରୁ ସ‌ଚ୍ଚୋଟତା ପ୍ରତି ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ୟାନେଲ ଡିସ୍କସନ ମାଧ୍ୟମରେ ଛାତ୍ରଛାତ୍ରୀ ସମାଜରୁ ଭ୍ରଷ୍ଟାଚାରର କୁ-ପ୍ରଭାବକୁ ପ୍ରତିହତ କରିବା ପାଇଁ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ଏହାବ୍ୟତୀତ ଛତ୍ରଛାତ୍ରୀଙ୍କୁ ସତର୍କତା ସମ୍ବନ୍ଧରେ ଶପଥ ପାଠ କରାଯାଇ ଭ୍ରଷ୍ଟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପ୍ରେରଣା ଦିଆଯାଇଥିଲା। ସ୍କୁଲ ଓ କଲେଜଗୁଡ଼ିକରେ ସଂହତି କ୍ଲବ ଗଠନ କରାଯିବାକୁ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ପୂର୍ବତଟ ରେଳପଥ ମୁଖ୍ୟ ସତର୍କତା ଅଧିକାରୀ ହେମନ୍ତ କୁମାର ଦତ୍ତଙ୍କ ତତ୍ତ୍ବାବଧାନରେ ଉପମୁଖ୍ୟ ସତର୍କତା ଅଧିକାରୀ ଆର୍‌.କେ ପଣ୍ଡା, ଏମ.ଆର ଆଚାର୍ଯ୍ୟ, ପ୍ରଦୀପ କୁମାର ଓ ଅଜୟ ସିଂହ ପ୍ରମୁଖ ସତର୍କତା ସଚେତନତା ସପ୍ତାହ-୨୦୧୯ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର