ପୂର୍ବତଟ ରେଳପଥରେ ବିରଳ ଘଟଣା: ମୃତ କର୍ମଚାରୀଙ୍କ ପରିବାରକୁ ୪୮ ଘଣ୍ଟାରେ ପେନ୍‌ସନ୍‌

ଭୁବନେଶ୍ବର: ଗତ ଜାନୁଆରି ୨୮ରେ ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ଠାରେ କାର୍ଯ୍ୟରତ ରେଳବାଇ ପଣ୍ୟବାହୀ ଟ୍ରେନ୍‌ର ଗାର୍ଡ ପ୍ରଭୁଦତ୍ତ ବେହେରାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ପରିବାରବର୍ଗଙ୍କୁ ୪୮ଘଣ୍ଟା ମଧ୍ୟରେ ପେନ୍‌ସନ୍‌ ସହ ଅନ୍ୟାନ୍ୟ ପାଉଣା ପ୍ରଦାନ ସମ୍ଭବପର ହୋଇପାରିଛି। ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ଫାଇନାନ୍ସ ଓ କାର୍ମିକ ବିଭାଗର କର୍ମଚାରୀଙ୍କ ପରିଶ୍ରମ ଯୋଗୁଁ ଖୁବ୍‌ କମ୍‌ ସମୟ ମଧ୍ୟରେ ଅର୍ଥ ପ୍ରଦାନ କରାଯାଇପାରିଲା ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସ୍ବର୍ଗତ ଶ୍ରୀ ବେହେରା ଗତ ୨୮ତାରିଖରେ ଖୋର୍ଦ୍ଧା ରୋଡ୍‌ଠାରୁ ପଲାସା ପର୍ଯ୍ୟନ୍ତ ଟ୍ରେନ୍‌ରେ ଡ୍ୟୁଟି କରୁଥିଲେ। ରାତି ପ୍ରାୟ ୨ଟା ୩୮ରେ ଟ୍ରେନ୍‌ ଛାଡ଼ିବା ପାଇଁ ସିଗ୍‌ନାଲ ଦେବା ପରେ ଶ୍ରୀ ବେହେରାଙ୍କ ଅକସ୍ମାତ୍‌ ଦେହ ଖରାପ ହୋଇଥିଲା। ଟ୍ରେନ୍‌ ଷ୍ଟାର୍ଟ ହେବା ପାଇଁ ଶ୍ରୀ ବେହେରାଙ୍କଠାରୁ କିଛି ସଙ୍କେତ ନ ପାଇବାରୁ ଟ୍ରେନ୍‌ ଚାଳକ ସଙ୍ଗେସଙ୍ଗେ ଷ୍ଟେସନ୍‌ ମାଷ୍ଟରଙ୍କୁ ଏ ନେଇ ଖବର ଦେଇଥିଲେ। ରାତି ୨ଟା ୫୦ରେ ଟ୍ରେନ ଗାର୍ଡ ଭ୍ୟାନ୍‌ରେ ଅଚେତ ଅବସ୍ଥାରେ ଶ୍ରୀ ବେହେରାଙ୍କୁ ଠାବ କରାଯିବା ସହ ତୁରନ୍ତ ରେଳବାଇ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଶ୍ରୀ ବେହେରାଙ୍କ ପରିବାର ଯେପରି କୌଣସି ଆର୍ଥିକ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ରେଳପଥ ପକ୍ଷରୁ ତାଙ୍କ ପରିବାରକୁ ତୁରନ୍ତ ପେନସନ୍‌ ସହ ବକେୟା ପାଉଣା ପ୍ରଦାନ କରାଯାଇଛି। ଏହି ସମସ୍ତ କାର୍ଯ୍ୟରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶିକାନ୍ତ ସିଂହଙ୍କର ସମ୍ପୂର୍ଣ୍ଣ ତତ୍ତ୍ବାବଧାନ ଓ ସହଯୋଗ ରହିଥିଲା।

ସମ୍ବନ୍ଧିତ ଖବର