ଚତୁର୍ଥ ଦିନରେ ‘ପୂର୍ବରଙ୍ଗ’: ମଞ୍ଚରେ ନାଗୁଣୀର ତ୍ୟାଗ, ବଳିଦାନର କଥା

ଭୁବନେଶ୍ବର: ନାଗୁଣୀ ନିଜ ସନ୍ତାନକୁ ବି ଗିଳି ଦିଏ। ସମାଜର ଏଭଳି ଏକ ଧାରଣାକୁ ଭୁଲ ପ୍ରମାଣ କରୁଥିଲା ପଦ୍ମଶ୍ରୀ ବିଜୟଦାନ ଦେଥାଙ୍କ କାହାଣୀ ‘ନାଗିନ୍‌ ତେରା ବଂଶ ‌ବଢ଼େ’। ଜଣେ ନିଃସନ୍ତାନ ମହିଳାର ବେଦନା ହୃଦୟଙ୍ଗମ କରି ନାଗୁଣୀ କିଭଳି ନିଜ ପ୍ରେମର ବଳିଦାନ ଦିଏ ଓ ଶେଷରେ ବିଶ୍ବାସଘାତର ଶିକାର ହୁଏ, ତାହା ଆଜି ରବୀନ୍ଦ୍ରମଣ୍ଡପର ମଞ୍ଚ କହୁଥିଲା। ପଦ୍ମଶ୍ରୀ ଦେଥାଙ୍କ ଏହି କାହାଣୀକୁ ନାଟ୍ୟ ରୂପ ଓ ନିର୍ଦ୍ଦେଶନା ଦେଇଥିଲେ ଅବତାର ସାହାଣୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ କୋଲ୍‌କାତାସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଓ ଓଡ଼ିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’ର ଆଜି ଥିଲା ଚତୁର୍ଥ ସଂଧ୍ୟା। ଏହି ଅବସରରେ ନୂଆଦିଲ୍ଲୀର ‘ଆକ୍ଟର୍ସ ରିପେରଟୋରି ଥିଏଟର୍‌’ ପକ୍ଷରୁ ଏହି ହିନ୍ଦୀ ନାଟକ ‘ନାଗିନ୍‌ ତେରା ବଂଶ ‌ବଢ଼େ’ ପରିବେଷିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ, ବିଶିଷ୍ଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ। ବିଳ୍ପବ କେଶରୀ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର