ପୂର୍ବତଟ ରେଳପଥର କରୋନା ମୁକାବିଲା : ଲକ୍ଷଣ ଦେଖାଦେଲେ ସ୍ବାବ୍‌ ସଂଗ୍ରହ

ଭୁବନେଶ୍ବର : ଟ୍ରେନ୍‌ଗୁଡ଼ିକର ସେବାରେ ସାମିଲ ଥିବା କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ପୂର୍ବତଟ ରେଳପଥ ଅନେକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି। ଅନ୍‌ବୋର୍ଡ କର୍ମଚାରୀଙ୍କୁ ବାରମ୍ବାର ସାନିଟାଇଜର୍ ଦ୍ୱାରା ହାତ ଧୋଇବାକୁ କୁହାଯିବା ସହ ରେଳପଥ ପକ୍ଷରୁ ଫେସ୍ ମାସ୍କ, ଫେସ୍ ସିଲ୍‌, ହ୍ୟାଣ୍ଡ୍ ଗ୍ଲୋବ୍‌ସ, ଜୋତା ଆଦି ଯୋଗାଇ ଦିଆଯାଇଛି। କାମ କରିବା ସମୟରେ ଯଥାସମ୍ଭବ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ହାଉସ୍‌ କିପିଂ ଷ୍ଟାଫ୍‌ମାନେ କୋଚ୍‌ଗୁଡ଼ିକର ବର୍ଥ, ଚଟାଣ, ଟଏଲେଟ୍ ଆଦି ସଫା କରିବା ସମୟରେ ଭଲ ଭାବେ ଡିସ୍‌ଇନ୍‌ଫେକ୍‌ଟାଣ୍ଟ୍ ବ୍ୟବହାର କରୁଛନ୍ତି। ଲୋକୋ କ୍ୟାବିନ୍ ଓ ଗାର୍ଡ ଭ୍ୟାନ୍‌ଗୁଡ଼ିକ ମଧ୍ୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ସାନିଟାଇଜ୍ କରାଯାଉଛି। ଏହାବ୍ୟତୀତ କର୍ମଚାରୀଙ୍କ ଡ୍ୟୁଟି ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କ ପାଇଁ କ୍ୱାରାଣ୍ଟିନ୍ କୋଚ୍‌ଗୁଡ଼ିକ ସହ ଉପଯୁକ୍ତ କ୍ୱାରାଣ୍ଟିନ୍‌ ସୁବିଧାର ବ୍ୟବସ୍ଥା ହୋଇଛି। ଯଦି ଅନ୍‌ବୋର୍ଡ କର୍ମଚାରୀଙ୍କଠାରେ କରୋନାର କୌଣସି ପ୍ରକାର ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଉଛି। ସମସ୍ତ ପ୍ରକାର ଡାକ୍ତରୀ ଯତ୍ନ ଯୋଗାଇ ଦିଆଯାଉଛି।

ବିଭିନ୍ନ ଷ୍ଟେସନ, ଟ୍ରେନ୍ ଓ ଷ୍ଟେସନର ସର୍କୁଲେଟିଂ ଅଞ୍ଚଳ ତଥା ପ୍ଲାଟ୍‌ଫର୍ମଗୁଡ଼ିକରେ ସ୍ୱଚ୍ଛତାର ଆଚାର ସଂହିତା ପାଳନ କରାଯାଉଛି। ଆବଶ୍ୟକତା ଅନୁଯାୟୀ, ଅନ୍ୟାନ୍ୟ ରେଲୱେ ପରିସର ମଧ୍ୟ ବିଶୋଧନର ବ୍ୟବସ୍ଥା ହେଉଛି। ଭୁବନେଶ୍ୱର ଷ୍ଟେସନ ସହିତ ବିଭିନ୍ନ ଷ୍ଟେସନଗୁଡ଼ିକରେ ନିଃଶୁଳ୍କ ସାନିଟାଇଜର୍‌ ଡିସ୍‌ପେନ୍‌ସର୍ ମେସିନ୍‌ଗୁଡ଼ିକର ସ୍ଥାପନା କରାଯାଇଛି। ଯାତ୍ରୀ ଓ କର୍ମଚାରୀଙ୍କ ଶରୀରର ତାପମାତ୍ରାକୁ ପରୀକ୍ଷା କରିବା ନିମନ୍ତେ ଭୁବନେଶ୍ୱର ଓ ବିଶାଖାପାଟଣା ଷ୍ଟେସନ ସହିତ ବିଭିନ୍ନ ସ୍ଥାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭିତ୍ତିକ ଥର୍ମାଲ୍ ସ୍କ୍ରିନିଂ, ବଡି ଇମେଜିଂ କ୍ୟାମେରା ସ୍ଥାପନ ହୋଇଛି। ଟ୍ରେନ୍ ଯାତ୍ରା ସମୟରେ ଦାୟିତ୍ୱବାନ ହୋଇ ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ପୂର୍ବତଟ ରେଳପଥ ଏହାର ସମସ୍ତ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ନିବେଦନ କରିଛି।

ସୂଚନା‌ଯୋଗ୍ୟ ଯେ ଏବେ ସୁଦ୍ଧା ପୂର୍ବତଟ ରେଳପଥରେ ୨୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଟିଟିଇ, ମେକାନିକାଲ ଷ୍ଟାଫ୍‌ ଆଦି ରହିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ବି ଆସିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର