ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀଙ୍କ ମୃତ୍ୟୁ; ମା’ ଗୁରୁତର

ପୁରୁଣା ଭୁବନେଶ୍ୱର: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦାୟକ ଘଟଣା ଘଟିଛି ପୁରୁଣା ଭୁବନେଶ୍ୱରର ବିଶିଷ୍ଠନଗର ଅଞ୍ଚଳରେ। ବଶିଷ୍ଠ ନଗର ୭୭୭ପ୍ଲଟ୍‌ ନଂରେ ରୁହନ୍ତି ଦେବୀ ପ୍ରସାଦ ପଟ୍ଟନାୟକ। ଗତ ମାସ ୨୯ତାରିଖରେ ଦେବୀଙ୍କ ଜଣେ ସମ୍ପର୍କୀୟ ପୁରୀରୁ ଅବଢ଼ା ଆଣି ଦେଇଥିଲେ। ତାଙ୍କ ପରିବାର ଲୋକେ ସଭିଏଁ ଏହାକୁ ଖାଇଥିଲେ। ଅବଢ଼ା ଖାଇବା ପରେ ତାଙ୍କ ପତ୍ନୀ, ୫ବର୍ଷର ପୁଅ ମୁନା ଓ ୧୦ବର୍ଷର ଝିଅ ସ୍ୱାତୀ ହଠାତ୍‌ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ପେଟ ଯନ୍ତ୍ରଣା ସହ ଝାଡ଼ାବାନ୍ତି ହେବାରୁ ସମସ୍ତଙ୍କୁ ସହିଦନଗର ଅଞ୍ଚଳରେ ଥିବା ଏକ ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ତେବେ ଗତ ସୋମବାର ଦିନ ପ୍ରଥମେ ପୁଅ ମୁନାର ମୃତ୍ୟୁ ହୋଇଥିଲା। ସେହିପରି ଆଜି ଭୋର ୩ଟା ରାତିରେ ତାଙ୍କ ଝିଅର ସ୍ୱାତୀର ମୃତ୍ୟୁ ହୋଇଛି। ବିଷାକ୍ତ ଖାଦ୍ୟ ଯୋଗୁଁ ଏପରି ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏ ସମ୍ପର୍କରେ ଲିଙ୍ଗରାଜ କିମ୍ବା ସହିଦନଗର ଥାନା ପୁଲିସ ନିକଟରେ କେହି ଅଭିଯୋଗ କରିନାହାନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର