ଏମ୍ସରେ କାର୍ଯ୍ୟକ୍ଷମ ହୋଇପାରୁନି ଏକ୍‌ମୋ ମେସିନ, ‌ମାସେ ହେଲା ଆସିଲାଣି

ରୋଗୀକୁ ଅଗ୍ରୀମ ଜମା କରିବାକୁ ପଡ଼ିବ ୫ଲକ୍ଷ
ବିପିଏଲ ଓ ରାସନ କାର୍ଡଧାରୀଙ୍କୁ ନିଃଶୁଳ୍କ ସେବା
ପ୍ରଶିକ୍ଷଣ ନେଇ ନାହାନ୍ତି କର୍ମଚାରୀ

ଭୁବନେଶ୍ବର : ଗତ ଜୁଲାଇ ୧୫ ତାରିଖରେ ଏମ୍ସର ପ୍ରତିଷ୍ଠା ଦିବସରେ ଉଦ୍‌ଘାଟିତ ହୋଇଥିଲା ଏକ୍‌ମୋ ମେସିନ। ସେତେବେଳେ ଚିକିତ୍ସା ବାବଦରେ ଖର୍ଚ ନିର୍ଧାରଣ କରାଯାଇନଥିଲା। ଖର୍ଚ ନିର୍ଧାରଣ ପାଇଁ ବିଶେଷଜ୍ଞ କମିଟିକୁ ଦାୟିତ୍ବ ଦିଆଯାଇଥିଲା। ଅନ୍ୟଦିଗରେ ୭ ଦିନ ମଧ୍ୟରେ ଏକ୍‌ମୋ କାର୍ଯ୍ୟକ୍ଷମ କରାଯିବ ବୋଲି ସେଦିନ କୁହାଯାଇଥିଲା। ମାତ୍ର ଇତିମଧ୍ୟରେ ଏକ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏପରିକି ଏକ୍‌ମୋ ପ୍ରଶିକ୍ଷଣ ପାଇଁ ଏସ୍‌ସିବି ଭଳି ଏଠାରୁ କୌଣସି କର୍ମଚାରୀ କିମ୍ବା ନର୍ସଙ୍କୁ ବାହାରକୁ ପଠାଯାଇ ନାହିଁ। ଏକ୍‌ମୋ ପରିଚାଳନା ପାଇଁ ଚୟନ ହୋଇଥିବା ୩ ଜଣ ଟେକ୍‌ନିସିଆନଙ୍କ ମଧ୍ୟରୁ ଏଯାଏ ୨ ଜଣ କାର୍ଯ୍ୟରେ ଯୋଗ ଦେଇଥିବାବେଳେ କୌଣସି ନର୍ସ ନିଯୁକ୍ତ ହୋଇ ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏମ୍ସରେ ଏକ୍‌ମୋ ଚିକିତ୍ସା ପାଇଁ ରୋଗୀଙ୍କୁ ଅଗ୍ରୀମ ଆକାରରେ ୫ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ତେବେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଓ ରାସନ କାର୍ଡଧାରୀଙ୍କ ପାଇଁ ଏହି ଚିକିତ୍ସା ନିଃଶୁଳ୍କ ରହିବ। ଏଭଳି ନିଷ୍ପତ୍ତି ନେଇଛି ଏମ୍ସର ଏକ୍‌ମୋ କମିଟି। ଏକ୍‌ମୋ ଚିକିତ୍ସା ପାଇଁ ବିଭିନ୍ନ ଚକ୍ର ରହିଛି। ୨ରୁ ୩ ସପ୍ତାହକୁ ଗୋଟିଏ ଚକ୍ର, ପରବର୍ତ୍ତୀ ସପ୍ତାହକୁ ଆଉ ଏକ ଚକ୍ର କୁହାଯିବ। ପ୍ରଥମ ଚକ୍ର ପାଇଁ ୩ ଲକ୍ଷ, ଦୈନିକ ଆଇସିୟୁ ଚାର୍ଜ ଏକ ହଜାର ଟଙ୍କା ସହିତ ପ୍ରଥମ ଏକ୍‌ମୋ ବ୍ୟବହାର ପାଇଁ ୫୦ ହଜାର ନିଆଯିବ। ଦ୍ବିତୀୟ ଚକ୍ର ପାଇଁ ପୁଣି ଅତିରିକ୍ତ ଟଙ୍କା ନିଆଯିବ। ସମ୍ପର୍କୀୟଙ୍କ ଅନୁମୋଦନ କ୍ରମରେ ଏହା ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ ଫୁସ୍‌ଫୁସ୍‌ ରୋଗୀ ଏବଂ ହୃଦରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସାର ଆବଶ୍ୟକତା ହୁଏ। କରୋନା ସମୟରେ ଏହାର ଆବଶ୍ୟକତା ସର୍ବାଧିକ ଅନୁଭବ ହୋଇଥିଲା। ସରକାରୀ ଡାକ୍ତରଖାନାରେ ଏକ୍‌ମୋ ଅଭାବ ଯୋଗୁଁ ଅନେକ ରୋଗୀ ଖର୍ଚାନ୍ତ ହୋଇ ବାହାରକୁ ଯାଇଥିଲେ। ବର୍ତ୍ତମାନ ଏମ୍ସ ଓ ଏସସିବିକୁ ଏହି ମେସିନ ଆସି ସାରିଛି। ଏମ୍ସର କାଡିଓଥେରାସିସ ଭାସ୍କୁଲାର ସର୍ଜରି ବିଭାଗ(ସିଟିଭିଏସ) ଅନ୍ତର୍ଗତରେ ଏକ୍‌ମୋ ଚିକତ୍ସା କାର୍ଯ୍ୟକାରୀ ହେଉଛି। ତେଣୁ ଏକ୍‌ମୋ ପରିଚାଳନା ପାଇଁ ନିଯୁକ୍ତ ଡାକ୍ତର ରୁଦ୍ରପ୍ରତାପ ମହାପାତ୍ର, ଡାକ୍ତର ସିଦ୍ଧାର୍ଥ ସାଠିଆ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର କ୍ରିଷ୍ଣା ଗୁଲା, ନିଶ୍ଚେତକ ବିଭାଗର ଏଚ୍‌ଓଡି ଡା.ସତ୍ୟଜିତ ମିଶ୍ର ଏକ୍‌ମୋ ପ୍ରଶିକ୍ଷଣ ନେଇଥିବାରୁ ପରିଚାଳନାରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର