ଜାତୀୟ ଶକ୍ତି ସଂରକ୍ଷଣ ଦିବସ, ଇକୋ କ୍ଲବ୍ ସଂଖ୍ୟା ବଢ଼ିବ

ଭୁବନେଶ୍ବର: ରାଜ୍ୟ ଶକ୍ତି ବିଭାଗ, ସେଣ୍ଟର ଫର ଏନ୍‌ଭାର୍ଣ୍ଣମେଣ୍ଟାଲ ଷ୍ଟଡିଜ୍ ଓ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍‌ସିର ମିଳିତ ସହଯୋଗରେ ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଲେ, ଶକ୍ତି ସଂରକ୍ଷଣ ଏକ ଜରୁରୀ ଆବଶ୍ୟକତା। ବ୍ୟବହାରିକ ପରିବର୍ତନରେ ଲୋକଙ୍କୁ ସମୟ ଲାଗିଥାଏ। ତେବେ ପରିବେଶ ସୁରକ୍ଷା ସଂପର୍କରେ ଭୁଟାନ ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ ସ୍ବର ଉତ୍ତୋଳନ କରିଥିଲା, ସେତେବେଳେ ଏହାକୁ କେହି ଗୁରୁତ୍ବ ଦେଇ ନ ଥିଲେ। ମାତ୍ର ପରବର୍ତୀ ସମୟରେ ଅନ୍ୟମାନେ ଭୁଟାନ କହୁଥିବା କଥାକୁ ଗୁରୁତ୍ବ ଦେଇଥିଲେ। ତେଣୁ ଏବେ ଶକ୍ତି ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଲେ, ସବୁଜ ଶକ୍ତିକୁ ଗୁରୁତ୍ବ ଦେବାର ସମୟ ଆସିଛି। ତେଣୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ପାଇଁ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ସହରାଞ୍ଚଳରେ ଥିବା ଷ୍ଟ୍ରିଟ୍ ଲାଇଟ୍‌କୁ ଏଲଇଡି ଲାଇଟ୍‌ରେ ପରିବର୍ତନ କରାଯାଇଛି। ଏହାସହ ଚାଷୀମାନଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବା ସହିତ ପିଏମ୍ କୁସୁମ ଯୋଜନାରେ ସୋଲାର ପ୍ୟାନେଲ୍‌ ଲଗାଇବାର ବ୍ୟବସ୍ଥା କରାଯାଉଛି। ଏହାଛଡ଼‌‌ା ରାଜ୍ୟରେ ଥିବା ଜଳାଶୟରେ ଭାସମାନ ସୋଲାର ପ୍ୟାନେଲ୍ ପାଇଁ ଯୋଜନା କରାଯାଇଛି ବୋଲି ଶ୍ରୀ ସେଠୀ କହିଥିଲେ। ସେଣ୍ଟର ଫର ଏନ୍‌ଭ‌ାର୍ଣ୍ଣମେଣ୍ଟାଲ ଷ୍ଟଡିଜ୍‌ର ନିର୍ଦେଶକ ପ୍ରଫେସର ଆଶୁତୋଷ ଦେବତା କହିଲେ, ନିଜ ଘରୁ ଶକ୍ତି ସଂଚୟ ଆରମ୍ଭ ହେବା ଦରକାର। ରାଜ୍ୟରେ ଏବେ ୧୦ହଜାର ଇକୋ କ୍ଲବ୍ ରହିଥିବା ବେଳେ ଏହାକୁ ୧୭ହଜାର ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଯୋଜନା ହୋଇଛି। ଏବେ ରାଜ୍ୟରେ ଏନର୍ଜି କ୍ଲବ୍ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି ପ୍ର‌ଫେସର ଦେବତା କହିଥିଲେ।

ପ୍ରାରମ୍ଭରେ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍) ତଥା ପିସିଇଆଇ ‌ସନ୍ତୋଷ ଦାସ କହିଲେ, ଶକ୍ତି ସଂରକ୍ଷଣ ବିଲ୍ଡିଂ କୋଡ୍ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାକି ନୂତନ ବିଲ୍ଡିଂ ଅନୁମୋଦନ ସହିତ ଏହାକୁ ଯୋଡ଼ାଯିବ। ଉଭୟ ବାଣିଜ୍ୟିକ ଓ ଆବାସିକ ଗୃହ ନିର୍ମାଣରେ ଏହାକୁ କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ସ୍ବେଚ୍ଛାକୃତ କରାଯିବ ଓ ପରେ ଏହା ବାଧ୍ୟତାମୂଳକ ହେବ। ରାଜ୍ୟରେ ଶକ୍ତି ସଂରକ୍ଷଣ ପାଇଁ ସମସ୍ତ ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍ ଲଗାଯିବାର ବ୍ୟବସ୍ଥା ହୋଇଛି। ବିଭାଗ ପକ୍ଷରୁ ଏବେ ‘ଥ୍ରି-ଆର’ ଯଥା ରିଡ୍ୟୁସ୍, ରିୟୁଜ୍ ଓ ରିସାଇକେଲକୁ ଗୁରୁତ୍ବ ଦିଆଯାଉଛି ବୋଲି ଶ୍ରୀ ଦାସ କହିଥିଲେ। ଏହି ଅବସରରେ ଶକ୍ତି ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ଶିଳ୍ପସଂସ୍ଥା, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ଅନୁଷ୍ଠାନଗୁଡ଼ିକୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ପ୍ରସନ୍ନ କୁମାର ଦାଶ ଧନ୍ୟବାଦ ଦେଇଥିଲେ। ବିଭାଗ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ଓ ସଚେତନତା ରଥର ଉଦ୍‌ଘାଟନ କରାଯାଇଥିଲା।

ସମ୍ବନ୍ଧିତ ଖବର