ଭୁବନେଶ୍ବର: ବନ୍ୟଜନ୍ତୁଙ୍କ ବିନା ପରିବେଶ ସନ୍ତୁଳନ ସମ୍ଭବ ନୁହେଁ। ଏବେ ବିଭିନ୍ନ କାରଣରୁ ବନ୍ୟଜନ୍ତୁ ବିପଦରେ। ହାତୀ-ମଣିଷ ଲଢ଼େଇ ଖବରକାଗଜ ଶିରୋନାମା ପାଲଟୁଛି। ଏଭଳି ସମୟରେ ପରିବେଶ ସନ୍ତୁଳନ ପାଇଁ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଜନସାଧାରଣ ଆଗେଇ ଆସିଲେ ହିଁ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ହୋଇପାରିବ ବୋଲି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି। ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ ଅବସରରେ ଜୟଦେବ ଭବନରେ ପ୍ରକୃତି ଓ ଓଡ଼ିଶା ବନ୍ୟଜନ୍ତୁ ସଂରକ୍ଷଣ ସମିତି ଏବଂ ଏଭର୍ଗ୍ରିନ୍ ଫୋରମ୍ ପକ୍ଷରୁ ‘ବନ୍ୟପ୍ରାଣୀ ସମ୍ମିଳନୀ-୨୦୨୩’ରେ ମନ୍ତ୍ରୀ ଶ୍ରୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ଆହ୍ବାନ ଦେଇଛନ୍ତି।
ସମ୍ମିଳନୀର ଅଧ୍ୟକ୍ଷ ତଥା ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ମୁଖ୍ୟ ଅନୁପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ୍ୟଜନ୍ତୁଙ୍କ ପ୍ରତି ହିଂସ୍ର ଆଚରଣ ଓ ଅରୁଚିକର ଶବ୍ଦ ପ୍ରୟୋଗ ନ କରିବାକୁ ନିବେଦନ କରିଥିଲେ। ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ତଥା ପୂର୍ବତନ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସରୋଜ ପଟ୍ଟନାୟକ ଯୋଗଦେଇ ପ୍ରତ୍ୟେକ ସୁସ୍ଥ ପରିବେଶ ପାଇଁ ବନ୍ୟଜନ୍ତୁ ଏବଂ ଜଙ୍ଗଲର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ନିଜର ସୁବିଧା ପାଇଁ ମଣିଷ ବନ୍ୟଜନ୍ତୁଙ୍କୁ ବିପଦ ମୁହଁକୁ ଠେଲିଦେବା ଉଚିତ ନୁହେଁ ବୋଲି ସେ କହିଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଏବଂ ବନ ବିଭାଗର ଦୁଇଜଣ ଅବସରପ୍ରାପ୍ତ ବନ୍ୟଜନ୍ତୁ ଗବେଷକ ଲାଲା ଅଶ୍ବିନୀ ସିଂହ ଓ ସୁଧାକର କରଙ୍କ ଲିଖିତ ଓଡ଼ିଆ ପୁସ୍ତକ ‘ପାଣିର ରାଜା କୁମ୍ଭୀର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପୂର୍ବତନ ବରିଷ୍ଠ ବନ୍ୟଜନ୍ତୁ ଗବେଷଣା ଅଧିକାରୀ ତଥା ଜଣାଶୁଣା କୁମ୍ଭୀର ବିଶେଷଜ୍ଞ ସୁଧାକର କରଙ୍କୁ ‘ଓଡ଼ିଶା ବନ୍ୟଜନ୍ତୁ ସଂରକ୍ଷଣ ସମ୍ମାନ’ରେ ସମ୍ମାନିତ କରାଯିବା ସହ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପୂର୍ବତନ ବନପାଳ ତ୍ରିନାଥ ବିଶୋଇ ରତ୍ନ, ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ, ପକ୍ଷୀ ବିଶେଷଜ୍ଞ ହୃଦାନନ୍ଦ ଜେନା, ରାଉରକେଲାର ରଂଜିତା ବେହେରା ଏବଂ ଅନୁଗୁଳ ଜିଲ୍ଲାର ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆଦିତ୍ୟ ଚନ୍ଦ୍ର ପଣ୍ଡାଙ୍କୁ ‘ବନ୍ୟପ୍ରାଣୀ ସମ୍ମାନ’ରେ ସମ୍ମାନିତ କରାଯିବା ସହ ୧୦ ହଜାର ଲେଖାଏଁ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ମିଳନୀର ଆବାହକ ସୁଶାନ୍ତ ଦାସ ଉପସ୍ଥିତ ଥିବା ବେଳେ ଏଭରଗ୍ରିନ୍ ଫୋରମ୍ର ସଭାପତି ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ।
ଏହାପରେ ବିଶେଷଜ୍ଞମାନଙ୍କ ଦ୍ବାରା ୮ଟି ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା। ଡ. ସୁଧାକର କରଙ୍କ ଦ୍ବାରା ‘କୁମ୍ଭୀର ସରଂକ୍ଷଣ’, ଲାଲା ଅଶ୍ୱିନୀ କୁମାର ସିଂ ‘ଓଡ଼ିଶା ୫୦ ବର୍ଷର ବାଘ ସଂରକ୍ଷଣ’, ଖଗେଶ୍ବର ନାୟକ ‘କାହ୍ନା ଜାତୀୟ ଉଦ୍ୟାନର ବାଘ ପରିଚାଳନା’, ସୁଦର୍ଶନ ପଣ୍ଡା ‘ଇରୱାଡି ଡଲ୍ଫିନ୍’, ସୁରେଶ ଚନ୍ଦ୍ର ମହାନ୍ତି ‘ସହରାଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ’, ରାଜେଶ ମହାପାତ୍ର ‘ବଜ୍ରକାପ୍ତା ସଂରକ୍ଷଣ’, ମନୋଜ ଭି.ନାୟାର ‘ପକ୍ଷୀ ସଂରକ୍ଷଣ’ ଏବଂ ଦେବବ୍ରତ ସ୍ବାଇଁ ‘ହାତୀ-ମଣିଷ ସଂଘର୍ଷ’ ସମ୍ପର୍କରେ ଆଲୋକପାତ କରିଥିଲେ।
ସଂଧ୍ୟାରେ ଉଦ୍ଯାପନୀ ସମାରୋହରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍ ପ୍ରିୟମ୍ବଦା ମହାନ୍ତି ହେଜମାଦି ଏବଂ ସମ୍ମାନିତ ଅତିଥି ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ ଯୋଗଦେଇ ବିଶ୍ୱ ବନ୍ୟପ୍ରାଣୀ ଦିବସର ବିଷୟବସ୍ତୁ ‘ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସହଭାଗିତା’ ସମ୍ପର୍କରେ ମତ ରଖିଥିଲେ। ପ୍ରଦର୍ଶନୀ ହଲରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବନ୍ୟଜନ୍ତୁଙ୍କ ଉପରେ ବିଭିନ୍ନ ବିଷୟବସ୍ତୁ ପୋଷ୍ଟର୍ ପ୍ରଦର୍ଶିତ ହୋଇଥିଲା। ଏଥିରେ ତିନୋଟି ଶ୍ରେଷ୍ଠ ପୋଷ୍ଟର୍କୁ ପୁରସ୍କୃତ କରାଯାଇଥିଲା।