ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଧିକାରୀମାନେ ଅର୍ଚ୍ଚନାଙ୍କୁ ଜେଲ୍ରେ ଜେରା କରିଛନ୍ତି। ବୁଧବାର ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ଇଡିର ଜଣେ ମହିଳା ଅଧିକାରୀଙ୍କ ସହିତ ୪ଜଣିଆ ଟିମ୍ ଜେଲରେ ପହଞ୍ଚିଥିଲେ। ଦିନ ସାଢ଼େ ୧୦ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ୭ଘଣ୍ଟାକାଳ ବିଭିନ୍ନ ଦିଗ ଉପରେ ମାରାଥନ ଜେରା କରିଥିଲେ। ଅର୍ଚ୍ଚନାଙ୍କୁ ଜେଲରେ ଜେରା ବେଳେ ଇଡି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ସେହିପରି ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଇଡି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେରା କରିବ। ଅର୍ଚ୍ଚନାଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ଜଗବନ୍ଧୁଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ଉଭୟଙ୍କ କଥାରେ କେତେ ତାଳମେଳ ରହିଛି, ନା ଉଭୟ ଇଡିକୁ ଭୂଆଁ ବୁଲାଇ ମିଛ କହୁଛନ୍ତି; ତାହା କାଲି ଜେରା ପରେ ହିଁ ଜଣାପଡ଼ିବ।
ପ୍ରକାଶଥାଉକି, ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ନାଗଙ୍କୁ ୧୩ ଦିନ, ଜଗବନ୍ଧୁଙ୍କୁ ୧୨ ଦିନ ଓ ଖଗେଶ୍ୱରଙ୍କୁ ୧୦ ଦିନ ରିମାଣ୍ଡରେ ଜେରା କରିଥିଲା। ଏହି ସମୟରେ ମନି ଲଣ୍ଡରିଂ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଥିଲା। ମନି ଲଣ୍ଡରିଂ ମାମଲାରେ ଦୁଇ ଜଣଙ୍କ ବିରୋଧରେ ଅନେକ ତଥ୍ୟ ଓ ପ୍ରମାଣ ମିଳିବା ପରେ ତଥ୍ୟ ଓ ପ୍ରମାଣ ସହିତ ଦୁହିଁଙ୍କ କଥାବାର୍ତ୍ତାର ସତ୍ୟତା ଯାଞ୍ଚ ପାଇଁ ଜେରା କରିବାକୁ ଇଡି କୋର୍ଟରେ ଆବେଦନ କରିଥିଲା। କୋର୍ଟ ଆବେଦନ ଗ୍ରହଣ କରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗୋଟିଏ ଗୋଟିଏ ଦିନ ଜେରା ପାଇଁ ଅନୁମତି ଦେବା ପରେ ଇଡି ଜେଲ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ।