କେଶରୀ ରିୟଲ୍ ଇଷ୍ଟେଟ୍ରେ ଇଡି ଚଢ଼ଉ
ଡୁପ୍ଲେକ୍ସ ଦେବା ନାଁରେ କୋଟି କୋଟି ଠକେଇ
ଭୁବନେଶ୍ବର: ଡୁପ୍ଲେକ୍ସ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା କେଶରୀ ରିଅଲ-ଇଷ୍ଟେଟ୍ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଆଜି ସକାଳୁ ଇଡିର ୪ଟି ଟିମ୍ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଫରେଷ୍ଟ ପାର୍କସ୍ଥିତ ଘର ସମେତ କେଶରୀ ଟକିଜ୍ସ୍ଥିତ କାର୍ଯ୍ୟାଳୟ, ସୂର୍ଯ୍ୟନଗର ଏବଂ ବ୍ରହ୍ମପୁରରେ ଥିବା ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଇଡି ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲାଗିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଗତ ୨୦୦୮ରୁ ୨୦୧୯ ମଧ୍ୟରେ ଡୁପ୍ଲେକ୍ସ ଯୋଗାଇଦେବା ନାଁରେ ଅକ୍ଷୟ ୧୮ଜଣଙ୍କଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ନେଇଥିଲେ। ବର୍ଷବର୍ଷ ବିତି ଯାଇଥିଲେ ମଧ୍ୟ ଘର ଦେବା ତ ଦୂରର କଥା, ସେମାନଙ୍କ ଟଙ୍କା ବି ଫେରାଇ ନଥିଲେ। ଟଙ୍କା ମାଗିବାରୁ ଗ୍ରାହକଙ୍କୁ ନାଲିଆଖି ଦେଖାଇଥିଲେ। ଏ ସଂପର୍କରେ ଇଡିରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଥିଲା। ୨୦୨୦ ମସିହାରେ ଏହି ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ନିଜ ଆଡୁ ମାମଲା କରି ଅକ୍ଷୟଙ୍କୁ ଗିରଫ କରିଥିଲା।