ବ୍ରାଉନସୁଗାର ବେପାରର ବାଂଲାଦେଶ ଲିଙ୍କ୍ ଖୋଜିବ ଇଡି

ଆର୍ଥିକ କାରବାରର ଖୋଳତାଡ଼ କରିବ, ୫ ବଡ଼ ବେପାରୀଙ୍କ ମାମଲାର ଚାଲିଛି ତନାଘନା

ଭୁବନେଶ୍ବର : ବାଂଲାଦେଶରୁ ଓଡ଼ିଶାକୁ କେଉଁ ବାଟ ଦେଇ ଆସୁଛି ବ୍ରାଉନସୁଗାର, କାହା ଜରିଆରେ ସୀମା ଭିତରକୁ ପଶୁଛି, କେଉଁମାନେ ଚାଲାଣ କରୁଛନ୍ତି, କେମିତି ବେପାରୀଙ୍କ ପାଖରେ ପହଞ୍ଚାଉଛନ୍ତି, କେଉଁଠି ଲୁଚିଛନ୍ତି ବ୍ରାଉନସୁଗାର ବାଦଶାହ; ଏ ସବୁର ଲିଙ୍କ୍ ଖୋଜିବା ପାଇଁ ୫ଟି ବଡ଼ ବେପାରୀଙ୍କ ମାମଲା ହାତକୁ ନେଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। କେବଳ ବାଂଲାଦେଶ ଲିଙ୍କ୍ ନୁହେଁ, ଆର୍ଥିକ କାରବାରର ମଧ୍ୟ ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍। କେମିତି ବିପୁଳ ପରିମାଣର ଅର୍ଥ ଯୋଗାଡ଼ କରୁଛନ୍ତି, ବ୍ରାଉନସୁଗାର କାରବାରରୁ ମିଳୁଥିବା ଅର୍ଥ କେଉଁଠି ବିନିଯୋଗ କରୁଛନ୍ତି, ତାହାର ମଧ୍ୟ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଇଡି ଯେଉଁ ମାମଲା ନେଇଛି, ସେହି ୫ ବଡ଼ ବେପାରୀମାନେ ହେଲେ ଶେଖ୍ ହାସିମ୍, ଶେଖ୍ ନସିମ୍, ଦେବାଶିଷ ବେହେରା, ଲୋକନାଥ ବେହେରା ଓ ଶେଖ୍ ଆସିକ୍। ଇ଼଼ଡି ଏ ସଂକ୍ରାନ୍ତରେ ମାମଲା ମଧ୍ୟ ରୁଜୁ କରିଛି। ଏହି ବେପାରୀ, ସେମାନଙ୍କ ସହଯୋଗୀ ଓ ସମ୍ପର୍କୀୟମାନଙ୍କୁ ଖୁବ୍‌ଶୀଘ୍ର ଜେରା କରାଯିବ। ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରାଯାଇ ଆର୍ଥିକ କାରବାରର ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।

୨୦୨୦ ଅକ୍ଟୋବର ୩୧ତାରିଖରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଝାଡ଼େଶ୍ବରପୁର ଅଞ୍ଚଳର ଶେଖ୍ ହାସିମ୍ ବକ୍ସ ବରମୁଣ୍ଡା ନିକଟରୁ ୧.୭ କେଜି ବ୍ରାଉନସୁଗାର ସହ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଗିରଫ ହୋଇଥିଲା। ସେହିପରି ୨୦୨୦ ଅଗଷ୍ଟ ୨୪ ତାରିଖରେ ରସୁଲଗଡ଼ ନିକଟରୁ ଦେବାଶିଷ ବେହେରା ତା’ ଦୁଇ ସହଯୋଗୀଙ୍କ ସହ ଧରାପଡ଼ିଥିଲା। ସେମାନଙ୍କ ନିକଟରୁ ପ୍ରାୟ ସାଢ଼େ ୪କେଜି ଓଜନର ବ୍ରାଉନସୁଗାର ଜବତ କରିଥିଲା ଏସଟିଏଫ୍। ସେହିପରି ୨୦୨୦ ମାର୍ଚ୍ଚ ୨୦ତାରିଖରେ ଇଞ୍ଜିନିୟରିଂ ଛାତ୍ର ଲୋକନାଥ ବେହେରା ସହଯୋଗୀ ପ୍ରଦୀପ ଦାସ ସହ ବାଲେଶ୍ବରରୁ ଗିରଫ ହୋଇଥିଲା। ଉଭୟଙ୍କ ନିକଟରୁ ୨.୭ କେଜି ବ୍ରାଉନସୁଗାର ଜବତ ହୋଇଥିଲା। ୨୦୨୦ ଅଗଷ୍ଟ ୨୮ରେ ଶେଖ୍ ନସିମ୍ ଓ ମାର୍ଚ୍ଚ ୧୯ରେ ଶେଖ୍ ଆସିକ୍ ବିପୁଳ ବ୍ରାଉନସୁଗାର ସହ ଧରାପଡ଼ିଥିଲା। ଗତ ୭ ମାସ ଭିତରେ ଦ୍ବୈତନଗରୀରୁ ୫ କୋଟି ଟଙ୍କାରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। ଏହି ବ୍ରାଉନସୁଗାର ବେପାରୀଙ୍କଠାରୁ ଇଡି କି ରହସ୍ୟ ଖୋଲିବ, ତାହା ପରେ ଜଣାପଡ଼ିବ।

ବର୍ଷେ ହେଲା ଚାଲିଛି ତଦନ୍ତ, ଫଳ ଶୂନ୍!
୨୦୨୦ ମାର୍ଚ୍ଚ ୨୦ ତାରିଖରେ ୨.୭୪ କେଜି ବ୍ରାଉନସୁଗାର ସହ ଧରାପଡ଼ିଥିଲା ଇଞ୍ଜିନିୟରିଂ ଛାତ୍ର ଲୋକନାଥ ବେହେରା। ଏହି ମାମଲାର ବାଂଲାଦେଶ ଲିଙ୍କ୍ ଓ ଆର୍ଥିକ କାରବାରର ଖୋଳତାଡ଼ କରିବା ପାଇଁ ୨୦୨୦ ସେପ୍ଟେମ୍ବର ୨୪ ତାରିଖରେ ମାମଲା ହାତକୁ ନେଇଥିଲା ଇଡି। ଇଡି ମାମଲା ହାତକୁ ନେବା ବର୍ଷେ ପାଖାପାଖି ହୋଇଗଲାଣି। କିନ୍ତୁ ଏଯାଏ ତଦନ୍ତ ସରି ପାରିନାହିଁ। ଏହି ମାମଲାକୁ ପୁଣି ଅନ୍ୟ ୪ଟି ମାମଲା ସହ ଯୋଡ଼ି ଦିଆଯାଇଛି। ବର୍ଷେ ହେଲା କାହିଁକି ତଦନ୍ତ ସରିପାରୁ ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର