ପିଲାଙ୍କୁ ନୈତିକ ଶିକ୍ଷା ଏକ ସୁସ୍ଥ ସମାଜ ଗଠନ କରିପାରିବ

୩୩ତମ ପିକକ୍ ଶିଶୁମେଳା ଉଦ୍‍ଯାପିତ

ଭୁବନେଶ୍ୱର: ଏକାମ୍ର ହାଟ ମୁକ୍ତ ମଞ୍ଚରେ ଆୟୋଜିତ ୩୩ତମ ପିକକ୍ ଶିଶୁମେଳା ଆଜି ଉଦ୍‍ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସଂଧ୍ୟାରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପିଲାମାନଙ୍କୁ ଉତ୍ତମ କରି ଗଢ଼ି ତୋଳି ପାରିଲେ ଓ ସେମା‌ନେ ଭଲକୁ ଗ୍ରହଣ କରିପାରିଲେ, ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ଏଥିପାଇଁ ଉଭୟ ପରିବାର ଓ ବିଦ୍ୟାଳୟ ସ୍ତରରେ ପ୍ରୟାସ ଜାରି ରହିବା ଉଚିତ। ସମାଜକୁ ଭଲ ବାଟକୁ ଆଣିବାକୁ ହେଲେ ପିଲାମାନଙ୍କୁ ମୂଳରୁ ନୈତିକ ଶିକ୍ଷା ଦିଆଯିବା ସହ ମହାପୁରୁଷଙ୍କ ଜୀବନାଦର୍ଶ ସମ୍ପର୍କରେ ଅବଗତ କରାଯିବାର ଆବଶ୍ୟକତା ରହିଛି।

ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପିକକ୍‌ର ସମ୍ପାଦକ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ପିକକ୍‌ର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ପୋଷ୍ୟ ଗ୍ରହଣ କେନ୍ଦ୍ରର ରୁବି ରାଉତ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତ୍ରୀ ମଧୁମିତା ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ବନ୍ଦିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ଇଚ୍ଛା ଓ ଅଭିଳାଷକୁ ଗୁରୁତ୍ବ ଦିଆଯିବା ଉଚିତ ବୋଲି କହିଥିଲେ। ପିକକ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା। ସାହସିକତା ପାଇଁ ଓମ୍‌ ପ୍ରକାଶ ସାହୁଙ୍କୁ ‘ବାଜିରାଉତ ସ୍ମାରକୀ ସମ୍ମାନ’, ସମାଜସେବା ପାଇଁ କୀର୍ତ୍ତି ବେହେରାଙ୍କୁ ‘ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟଙ୍କୁ ‘ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ’, ଶିଶୁ ଅଭିନେତ୍ରୀ ତ୍ରିଶା ପାତ୍ରୋଙ୍କୁ ‘ଡାକ୍ତର ଶରତ ପୂଜାରୀ ସ୍ମାରକୀ ସମ୍ମାନ’, ବଳିଷ୍ଠ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ କନ୍ଧମାଳର ଲିସା ଦିଗଲଙ୍କୁ ‘ଆଦରମଣି ବରାଳ ସ୍ମାରକୀ ସମ୍ମାନ’ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜି.ଏମ୍‌ ଅଳକନନ୍ଦାଙ୍କୁ ‘ସୁଷମା ମହପାତ୍ର ସ୍ମାରକୀ କ୍ରୀଡ଼ାବିତ୍‍ ସମ୍ମାନ’ ଓ ଆଦ୍ୟାଶା ଆରୋହୀଙ୍କୁ ‘ବେବି ଅଫ୍‌ ଦି ଇୟର୍‌’ରେ ସମ୍ମାନିତ କରାଯାଇଥିଲା।

ସେହିଭଳି ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରଯାଇଥିଲା। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଧବ ବିଶ୍ୱାଳଙ୍କୁ ‘ଅବନୀ ବରାଳ ସ୍ମାରକୀ ସମ୍ମାନ’, ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ‘ସ୍ୱରୂପ ଜେନା ସ୍ମାରକୀ ସମ୍ମାନ’, ସସ୍ମିତା ସ୍ୱାଇଁଙ୍କୁ ‘ଶିଶୁ ସାଥି ସମ୍ମାନ’, ଡା. ନାରାୟଣ ପତିଙ୍କୁ ସମାଜସେବା ପାଇଁ ‘ଡା. ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ’, ବଇଁଚୁଆ ସରପଞ୍ଚ ରଶ୍ମିତା ସାହୁଙ୍କୁ ‘ଆରାଧନା ନନ୍ଦ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

‘କେଟିଟି’, ‘ଦଶାବତାର ନାଟ୍ୟଶାଳା’, ‘ଭିକିଡ୍ୟାନ୍ସ ଗ୍ରୁପ୍‌’ ଓ ‘ଦିବ୍ୟଜ୍ୟୋତି ସ୍ମୃତିପୀଠ’ର ଶିଶୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା। ପିକକ୍‌ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର