ଏଣିକି ପିଲାଙ୍କ ପାଠପଢ଼ାକୁ ସୁନିଶ୍ଚିତ କରିବ ‘ଶିକ୍ଷା ରଥ’

ବ୍ଲକ୍‌ ଓ ସିଆର୍‌ସିସିସ୍ତରରେ ଗଠନ ହେଲା କମିଟି
ଅଫ୍‌ଲାଇନ୍‌ରେ ପିଲାଙ୍କ ପାଠପଢ଼ା ଉପରେ ଗୁରୁତ୍ବ
ଅଭିଭାବକଙ୍କୁ ସଚେତନ କରାଉଛି ‘ଶିକ୍ଷା ସନ୍ଦେଶ’

ଭୁବନେଶ୍ବର : ପ୍ରତିଟି ପିଲାଙ୍କ ପାଖରେ ପହଞ୍ଚିବ ଶିକ୍ଷା। କରୋନା ସମୟରେ ‌କେହି ଯେମିତି ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେନେଇ ତୃଣମୂଳସ୍ତରରେ ନଜର ରଖାଯିବ। ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ) ଓ ସିଆର୍‌ସିସି(କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର)ସ୍ତରରେ ଏକାଡେମିକ କମିଟି ଗଠନ କରାଯିବା ସହ ସ୍କୁଲ ଶିକ୍ଷକଙ୍କୁ ଏଥିରେ ସାମିଲ କରାଯିବ। ସେମାନେ ପିଲାଙ୍କ ପାଠପଢ଼ା ଉପରେ ନଜର ରଖିବେ। ହାନିଲାଭ ବୁଝିବେ। ଅନ୍‌ଲାଇନ୍‌ କିମ୍ବା ଅନ୍ୟ ଯେକୌଣସି ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି, ତାହାକୁ ପିଲାମାନେ ଠିକ୍‌ ଭାବେ ଗ୍ରହଣ କରୁଛନ୍ତି କି ନାହିଁ; କମିଟିର ସଦସ୍ୟମାନେ ତାହା ଉପରେ ଦୃଷ୍ଟି ଦେବେ। ପ୍ରତି ୧୫ ଦିନରେ କମିଟି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ରିପୋର୍ଟ ପ୍ରଦାନ କରାଯିବ। କରୋନା କ‌ାଳରେ ସରକାରୀ ବିଦ୍ୟାଳୟର ପିଲାଙ୍କ ପାଠପଢ଼ାକୁ ସୁନିଶ୍ଚିତ କରିବା ଲାଗି ଖୋର୍ଧା ଜିଲ୍ଲାରେ ‘ରିଚ୍‌ ଆଣ୍ଡ ଟିଚ୍‌ ଇଚ୍‌ ଚାଇଲ୍ଡ’ ପରି ଅଭିନବ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଯାହାର ନାମକରଣ ହୋଇଛି ‘ଶିକ୍ଷା ରଥ’। ଏଥିସହ ଅନ୍‌ଲାଇନ୍‌ ପାଠପଢ଼ା ସମ୍ପର୍କରେ ଅଭିଭାବକଙ୍କୁ ସଚେତନ କରିବା ଲାଗି ‘ଶିକ୍ଷା ସନ୍ଦେଶ’ ନାମକ ଏକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ଅଭିଭାବକଙ୍କୁ ପିଲାଙ୍କ ପାଠପଢ଼ା ଲାଗି ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି।

ଖୋର୍ଧା ଡିଇଓ ବନ୍ଦନା ମହାପାତ୍ରଙ୍କ କହିବାନୁଯାୟୀ କରୋନା ସମୟରେ ପିଲାଙ୍କୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଯଥା ଶିକ୍ଷା ସଂଯୋଗ, ଶିକ୍ଷା ଶିଖର, ଶିକ୍ଷା ସମ୍ଭବ, ୟୁଟ୍ୟୁବ୍‌ କ୍ଲାସ୍‌, ଶିକ୍ଷା ଦର୍ପଣ, ରେଡିଓ, ପାଠଶାଳା ଆଦି ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ତାହା କିଭଳି ସ୍କୁଲସ୍ତରରେ ଠିକ୍‌ ଭାବେ ମନିଟରିଂ କରାଯାଇପାରିବ ସେଥିପାଇଁ ବ୍ଲକ୍ ଓ ସିଆସିସିସ୍ତରରେ କମିଟି ଗଠନ ୍‌କରାଯାଇଛି। ବ୍ଳକ୍‌ସ୍ତରୀୟ କମିଟିରେ ବିଇଓଙ୍କ ସମେତ ଏବିଇଓ, ବ୍ଲକ୍‌ରେ ଥିବା ହାଇସ୍କୁଲର ୩ ଜଣ ବରିଷ୍ଠ ପ୍ରଧାନଶିକ୍ଷକ, ୩ ଜଣ ସିଆରସିସି ସଦସ୍ୟ ରହିବେ। ସିଆର୍‌ସିସିସ୍ତରୀୟ କମିଟିରେ ବରିଷ୍ଠ ପ୍ରଧାନଶିକ୍ଷକ, ନିକଟସ୍ଥ ଦୁଇଟି କ୍ଲଷ୍ଟରର ସିଆର୍‌ସିସି, ୩ ଜଣ ଲେଖାଏଁ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟର ଆସିଷ୍ଟାଣ୍ଟ ଶିକ୍ଷକ ରହିବେ। ସେହି ଅନୁଯାୟୀ କମିଟି ଗଠନ ସହ ସେମାନଙ୍କ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ କରାଯାଇଛି। ଆଜିଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ବ୍ଲକ୍‌ସ୍ତରୀୟ କମିଟି କ୍ଲଷ୍ଟର ଓ ବ୍ଲକ୍‌ସ୍ତରୀୟ ଏକାଡେମିକ ପ୍ଲାନ୍‌ କରିବ। କ୍ଲଷ୍ଟରସ୍ତରୀୟ କମିଟି ଯେପରି ଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ତାହାର ଅନୁଧ୍ୟାନ ସହ ୭ ଦିନରେ ସମୀକ୍ଷା କରି ରିପୋର୍ଟ ଦେବ। ଜିଲ୍ଲା କର୍ତୃପକ୍ଷଙ୍କ ସମେତ ଡିଆଇଇଟିର ଶିକ୍ଷକ, ଛାତ୍ରଛାତ୍ରୀ, ବ୍ଲକ୍‌ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବ ଏହି କମିଟି। ଶିକ୍ଷକ ଆଲୋଚନାଚକ୍ର, ବକ୍ତୃତା, ସ୍ବାସ୍ଥ୍ୟ କ୍ୟାମ୍ପ, ଲାଇଫ୍‌ ସ୍କିଲ୍‌ କ୍ୟାମ୍ପ୍‌ ଆଦି କରିବ। ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମାସିକ ରିପୋର୍ଟ ପ୍ରଦାନ କରିବେ। ବ୍ଲକ୍‌ରେ ଶିକ୍ଷା ବ୍ୟବସ୍ଥା ନେଇ କମିଟି ତଦାରଖ କରିବ। ପାଠ୍ୟପୁସ୍ତକ ସମେତ ଅନ୍ୟାନ୍ୟ ସାମଗ୍ରୀ ଯେପରି ପିଲାଙ୍କ ପାଖରେ ଠିକ୍‌ ସମୟରେ ପହଞ୍ଚିବ ତାହାକୁ ପରିଚାଳନା କରିବେ। ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଆସୁଥିବା ହାଇସ୍କୁଲକୁ ଅଧିକ ଫୋକସ୍‌ ଦେବ କମିଟି।

ସେହିପରି କ୍ଲଷ୍ଟର‌ସ୍ତରୀୟ ଏକାଡେମିନ କମିଟି ହାଇସ୍କୁଲସ୍ତରୀୟ ଏକାଡେମିକ୍‌ ପ୍ଲାନ୍‌ ପ୍ରସ୍ତୁତକୁ ସୁନିଶ୍ଚିତ କରିବେ। ସ୍କୁଲସ୍ତରରେ ପିଲାଙ୍କ ସଂଖ୍ୟା କିଭଳି ବୃଦ୍ଧି ପାଇବ ତାହା ଉପରେ ଗୁରୁତ୍ବ ଦେବେ। କ୍ଲାସ୍‌ ଓ ବିଷୟ ଅନୁଯାୟୀ ହ୍ବାଟ୍‌ସଆପ୍ ଗ୍ରୁପ୍‌ ସମସ୍ତ ସ୍କୁଲରେ ଗଠନ, ସବୁ ପ୍ରକାର ପାଠପଢ଼ାର ତଦାରଖ କରିବେ। ଯେଉଁ ପିଲାମାନଙ୍କ ପାଖରେ ସ୍ମାର୍ଟ ଫୋନ୍‌ ନାହିଁ, ସେମାନେ କିଭଳି ଅଫ୍‌ଲାଇନ୍‌ରେ ଶିକ୍ଷା ପାଇପାରିବେ ସେଦିଗରେ ପଦକ୍ଷେପ ନେବେ। ଅନ୍‌ଲାଇନ୍‌ ସୁବିଧା ଥିବା ପିଲାମାନେ ‌ଯେପରି ପ୍ରତିଦିନ କ୍ଲାସ୍‌ କରିବେ ତାହାକୁ ଅନୁଧ୍ୟାନ କରିବେ। ଛାତ୍ରଛାତ୍ରୀଙ୍କ ପାଠପଢ଼ାର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ରିପୋର୍ଟ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର