‘ଫନି’ ଦୋହଲାଇଦେଲା ଶିକ୍ଷା ଭିତ୍ତିଭୂମି, ଆକଳନ ବାହାରକୁ ଚାଲିଗଲାଣି କ୍ଷୟକ୍ଷତି

ବିଶ୍ବବିଦ୍ୟାଳୟଗୁଡ଼ିକ କ୍ଷତି ୫୦୦ କୋଟି ଟପିବ! ପୁରୀ ଓ ଖୋର୍ଧାରେ ୫ ହଜାର ସ୍କୁଲ, କଲେଜ ପ୍ରଭାବିତ
ଭୁବନେଶ୍ବର: ବାତ୍ୟା ମାଡ଼ରେ ପୁରୀ, ଖୋର୍ଧା ଓ କଟକ ଜିଲ୍ଲାର ଅନେକ ଶିକ୍ଷାନୁଷ୍ଠାନ ଛାରଖାର ହୋଇଛି। ୧୦ରୁ ଅଧିକ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ପ୍ରଭାବିତ ହେବା ସହ ହଜାର ହଜାର ସଂଖ୍ୟାରେ ସ୍କୁଲ, କଲେଜ ଭାଙ୍ଗିଛି। କୋଟି କୋଟି ଟଙ୍କାର କ୍ଷୟକ୍ଷତି ‌ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନି। ନା କ୍ଷୟକ୍ଷତିର ଆକଳନ କରାଯାଇଛି। ନା କ୍ଷତିପୂରଣ ଦେବାକୁ କୌଣସି ଯୋଜନା ହୋଇଛି। ଲାଗୁଛି ସମସ୍ତେ ଯେପରି ଶିକ୍ଷା ଭିତ୍ତିଭୂମି କଥା ଭୁଲିଯାଇଛନ୍ତି। ବାତ୍ୟାର ପ୍ରଭାବ ୧୧ଟି ବିଶ୍ବବିଦ୍ୟାଳୟ ଉପରେ ପଡ଼ିଛି। କେଉଁ ବିଶ୍ବବିଦ୍ୟାଳୟର କିଭଳି କ୍ଷତି ହୋଇଛି ତା’ର ବି ଆକଳନ କରାଯାଇ ନାହିଁ। ଓୟୁଏଟିର ସ୍ଥାୟୀ କୁଳପତି ନ ଥିବାରୁ ଅଧିକାରୀମାନେ ମନଇଚ୍ଛା କ୍ଷତି ଆକଳନ କରିଚାଲିଛନ୍ତି। ଏହାର ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ତେବେ ଅଧିକାରୀମାନେ ୨୦ କୋଟି ଭିତରେ କ୍ଷତି ହୋଇଥିବା କହୁଛନ୍ତି। ଅନୁରୂପ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କେଉଁଦିନ ୨୦୦ କୋଟିର ଆକଳନ କରୁଛନ୍ତି ତ ଆର ଦିନକୁ ଶହେ କୋଟି କହୁଛନ୍ତି। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପାଚେରି, ପ୍ରାଶାସନିକ କୋଠା, ସମ୍ମିଳନୀ କକ୍ଷ, ଛାତ୍ରାବାସ, ଛାତ୍ରୀନିବାସ ଆଦି କ୍ଷତିଗ୍ରସ୍ତ ହୋଇଛି। କ୍ଷତିର ପରିମାଣ ପ୍ରାୟ ୧୦ କୋଟି ହେବ ବୋଲି କୁହାଯାଉଛି। ପୁରୀସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିଛି। ତେବେ କ୍ଷତିର ଆକଳନ କରାଯାଇପାରିନି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବି କ୍ଷତିଗ୍ରସ୍ତ ହୋଇଛି। ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍‌ ଶିକ୍ଷାସମୂହର ୧୫୦ କୋଟି ଟଙ୍କା କ୍ଷତି ହୋଇଥିବା କର୍ତ୍ତୃପକ୍ଷ ପ୍ରାରମ୍ଭିକ ଆକଳନ କରିଛନ୍ତି। ସେହିପରି ସୋଆ ବିଶ୍ବବିଦ୍ୟାଳୟରେ ୩୦ କୋଟିରୁ ଅଧିକ କ୍ଷତି ହୋଇଛି ବୋଲି କର୍ତୃପକ୍ଷ କହିଛନ୍ତି।

ପୁରୀ ସମେତ ଖୋର୍ଧା ଓ କଟକ ଜିଲ୍ଲାର ଅଧିକାଂଶ ସ୍କୁଲ, କଲେଜ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ସରକାରୀ ଆକଳନ କରାଯାଇପାରି ନାହିଁ। ତଥାପି ପୁରୀ ଜିଲ୍ଲାରେ ୨୦୦୦ରୁ ଅଧିକ ବିଦ୍ୟାଳୟ, ଖୋର୍ଧାରେ ଦେଢ଼ ହଜାରରୁ ଅଧିକ ସ୍କୁଲ ପ୍ରଭାବିତ ହୋଇଛି। ଏହି ଦୁଇ ଜିଲ୍ଲାରେ ଆଜବେଷ୍ଟସ୍‌ ବିଲ୍‌ଡିଂ ଥିବା ଅଧିକାଂଶ କଲେଜ ପ୍ରଭାବିତ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଏହି ତିନି ଜିଲ୍ଲାର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି। ନୂଆ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଣ ହୋଇଥିଲା। ବାତ୍ୟା ଯୋଗୁଁ ପିଲାଙ୍କ ପାଠ୍ୟପୁସ୍ତକ ନଷ୍ଟ ହୋଇଯାଇଛି। ପୁରୀ ଜିଲ୍ଲାରେ ଘର ଭାଙ୍ଗିବା ଯୋଗୁଁ ଅନେକ ଛାତ୍ରଛାତ୍ରୀଙ୍କ ବହି ଏବେ କାନ୍ଥ ତଳେ ରହିଯାଇଛି। କାନ୍ଥ ତଳୁ ଓଦା ବହିକୁ ଉଦ୍ଧାର କରି ଖରାରେ ଶୁଖାଇବାରେ ଲାଗିପଡ଼ିଛନ୍ତି। ଭୁବନେଶ୍ବରର ବସ୍ତି ଅଞ୍ଚଳରେ ବି ସମାନ ଚିତ୍ର ଦେଖିବାକୁ ମିଳୁଛି। ପିଲାମାନଙ୍କୁ ଆଉଥରେ ବହି ଦିଆଯିବ କି ନାହିଁ? ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଅବସ୍ଥାରେ ସୁଧାର ଆସିଥିବ ତ? ଏଭଳି କିଛି ପ୍ରଶ୍ନ ଏବେ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର