ଗରିବ ପିଲାଙ୍କୁ ପଢ଼ାଇବାର ସଂକଳ୍ପ

ବନ୍ଧୁତ୍ୱ କୌଣସି କାଳ ନିର୍ଣ୍ଣୟ କରି କେବେ ସୃଷ୍ଟି ହୁଏନି କି କଳ୍ପନା କରାଯାଏନି। ପରସ୍ପର ବୁଝାମଣା, ସ୍ନେହ ଓ ଭଲପାଇବା ହିଁ ଦୁଇ ଅନ୍ତର ମଧ୍ୟରେ ବନ୍ଧୁତାର ସେତୁଟିଏ ଗଢ଼ିଦିଏ। ଏମିତି ବନ୍ଧୁତ୍ୱର ତ ଅନେକ ଉଦାହରଣ ଅଛି। ମାତ୍ର ବସ୍ତିରେ ଦାରୁଣ ଦାରିଦ୍ର୍ୟ ଯୋଗୁଁ ହେଉ ଅବା ପରିବାରର ଅବହେଳାରୁ ପାଠ ଘର ମାଡ଼ି ନଥିବା ପିଲାଙ୍କୁ ବନ୍ଧୁ ଭାବେ ଗ୍ରହଣ କରି ବନ୍ଧୁତ୍ୱ ଦିବସର ସାର୍ଥକତାକୁ ପ୍ରତିପାଦିତ କରୁଛନ୍ତି ରାଜେଶ ମହାରଣା ଓ ତାଙ୍କର ଯୁବସାଥୀ। ପୂର୍ବବର୍ଷ ସେମାନେ ୭ଜଣ ଗରିବ ପିଲାଙ୍କୁ ସ୍କୁଲ୍‌ରେ ନାମ ଲେଖାଇଥିବା ବେଳେ ଚଳିତ ବର୍ଷ ୧୦ଜଣଙ୍କ ନାମ ସଂଗ୍ରହ କରିଛନ୍ତି। ସେମାନଙ୍କୁ ସ୍କୁଲ୍‌ରେ ଭର୍ତି କରି ଏଇ ଯୁବ ବନ୍ଧୁମାନେ ବନ୍ଧୁତାର ଆଉ ଏକ ସ୍ୱାକ୍ଷର ବହନ କରିବେ।

ଖାଲି ସେତିକି ନୁହେଁ ଚଳିତ ବର୍ଷ ଯୁବ ବନ୍ଧୁମାନେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦିବ୍ୟାଙ୍ଗ ପିଲାମାନେ ବେଳେବେଳେ ଅସହାୟବୋଧରେ ଘାରି ହେଉଥିବା ବେଳେ ସେମାନଙ୍କୁ ନେଇ ପରିବେଶ ସେବାର ଉଦାହରଣ ସୃଷ୍ଟି କରିଛନ୍ତି। ଦିବ୍ୟାଙ୍ଗଙ୍କୁ ସାଥୀ କରି ବସ୍ତି ମଧ୍ୟରେ ବୃକ୍ଷ ରୋପଣ କରିଛନ୍ତି। ଗଛ ଲଗାଇ କେବଳ ନିଜ ଦାୟିତ୍ୱ ସାରି ଦେଇନାହାନ୍ତି। ଗଛରେ ସଂକଳ୍ପର ଫିତା ବାନ୍ଧି ବନ୍ଧୁଟିଏ ଭଳି ତା’ର ଯତ୍ନ ନେବାକୁ ପଣ କରିଛନ୍ତି। ରାଜେଶଙ୍କ କହିବା ମୁତାବକ, ଦିବ୍ୟାଙ୍ଗ ପିଲାମାନେ ବି ପରିବେଶ ପାଇଁ ନିଜକୁ ଅଂଶୀଦାର କରିପାରିବେ, ଏଇ ଭାବନା ତାଙ୍କ ମନରେ ଜାଗ୍ରତ କରିବା ପାଇଁ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଛୁ। ଆସନ୍ତାକାଲି ବିଶ୍ୱ ବନ୍ଧୁତ୍ୱ ଦିବସ ଥିଲେ ହେଁ ଏହାର ଅବ୍ୟବହିତ ପୂର୍ବରୁ ପିଲାମାନଙ୍କୁ ଏକାଠି କରି ଯୁବ ବନ୍ଧୁମାନେ ବନ୍ଧୁତ୍ୱ ଦିବସର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର