ଭୁବନେଶ୍ବର: ଅ, ଆ, ଇ, ଈ ପଢ଼ି ଶିଖିନାହାନ୍ତି। ଲେଖା ବି ଜଣା ନାହିଁ। ପାଠପଢ଼ାରୁ ବହୁ ଦୂରରେ ଥିବା ବ୍ୟକ୍ତିବିଶେଷ ସିଲଟ ଖଡ଼ି ଧରୁଛନ୍ତି। ବୟସର ଅପରାହ୍ଣରେ ଉପନୀତ ହୋଇଥିଲେ ମଧ୍ୟ ପଢ଼ିବାକୁ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ବରଂ ପୁଅ ଝିଅ ନାତିନାତୁଣୀ ବୟସର ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ପାଠପଢ଼ା ଶିଖୁଛନ୍ତି। ପାଠପଢ଼ାରୁ ବଞ୍ଚିତ ବା ପାଠ ପଢିବାର ସୁଯୋଗ ପାଇ ନ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ କେନ୍ଦ୍ର ସରକାରଙ୍କ ‘ଉଲ୍ଲାସ’ କାର୍ଯ୍ୟକ୍ରମରେ ମୌଳିକ ଶିକ୍ଷାରେ ସାମିଲ ହେଉଛନ୍ତି। ଏପରିକି ବୟସର ଅପରାହ୍ଣରେ ଉପନୀତ ହୋଇଥିଲେ ମଧ୍ୟ ନିରକ୍ଷରତାକୁ ଦୂରେଇ ସାକ୍ଷର ହେବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏହିପରି ପାଠ ଜାଣିବାର ସୁଯୋଗ ସୃଷ୍ଟି କରିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଉଛନ୍ତି। ପାଠାଭ୍ୟାସଠାରୁ ଆରମ୍ଭ କରି ସଂଖ୍ୟା ଜ୍ଞାନ ପରି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରୁଛନ୍ତି। ଦିନ କେଇଟା ମଧ୍ୟରେ ସେମାନେ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପରି ନିଜକୁ ଦକ୍ଷ କରିପାରିଛନ୍ତି।
‘ଉଲ୍ଲାସ’ରେ ସାମିଲ ହେଲେ ୧୬,୧୩୦ ଅଣସାକ୍ଷର
ଭୁବନେଶ୍ବରରୁ ୩,୫୨୪ ଜଣ
କେବଳ ସେତିକି ନୁହେଁ, ଗ୍ରାମ, ପଡ଼ା, ବସ୍ତିର ଅନ୍ୟମାନଙ୍କୁ ପଢ଼ିବାକୁ ଉତ୍ସାହିତ କରୁଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ଚାଲିଥିବା ‘ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ’ ‘ଉଲ୍ଲାସ’ ଅଧୀନରେ ପ୍ରଥମ ଥର ୨୦୨୫-୨୬ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲ୍ଲାରେ ଏହିପରି ୧୬,୧୩୦ ଅଣସାକ୍ଷର ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇ ‘ଉଲ୍ଲାସ’ କାର୍ଯ୍ୟକ୍ରମର ପ୍ରଥମ ପରୀକ୍ଷାରେ ସାମିଲ କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ ୩,୫୨୪, ଚିଲିକାରୁ ୩,୬୨୩, ବୋଲଗଡ଼ରୁ ୨,୧୫୦ ଜଣ ବୃଦ୍ଧ ବୃଦ୍ଧା ସାମିଲ ହୋଇଛନ୍ତି। ପ୍ରଥମଥର ଏତେ ସଂଖ୍ୟକ ବୟସ୍କ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି।
ଜିଲ୍ଲାର ସମସ୍ତ ବ୍ଲକ୍ରେ ଏହି ପରୀକ୍ଷା ସଫଳତାର ସହ ଆୟୋଜିତ ହୋଇଛି। ଚିହ୍ନଟ ହୋଇଥିବା ବିଦ୍ୟାର୍ଥୀଙ୍କୁ ‘ଉଲ୍ଲାସ୍’ ଆପ୍ମାଧ୍ୟମରେ ଯୋଡ଼ାଯାଇ ଲେଖନୀ ଓ ସଂଖ୍ୟାଜ୍ଞାନ କ୍ଷେତ୍ରରେ ମୂଳ ସାକ୍ଷରତା ଶିକ୍ଷା ପ୍ରଦାନ କରାଯାଇଛି। ସବୁ ବୟସର ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ। ସେପ୍ଟେମ୍ବର ୧ରୁ ୮ ପର୍ଯ୍ୟନ୍ତ ଉଲ୍ଲାସ୍ସାକ୍ଷରତା ସପ୍ତାହ ଅବସରରେ ଭୁବନେଶ୍ବର ସମେତ ଜିଲ୍ଲାର ସମସ୍ତ ବ୍ଲକରେ ‘ଅନ୍ତର୍ଜାତୀୟ ସାକ୍ଷରତା ସପ୍ତାହ’ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଘର ବୁଲି ସର୍ଭେ, ବିଦ୍ୟାର୍ଥୀ ଓ ସେବକ ଶିକ୍ଷକ ନିବନ୍ଧନ ଅଭିଯାନ, ଶୋଭାଯାତ୍ରା, ସଭା, ପୋଷ୍ଟର ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ସଚେତନ କରିଥିଲେ। ସେପ୍ଟେମ୍ବର ୮ରେ ଅନୁଷ୍ଠିତ ସ୍ବତନ୍ତ୍ର ଅଭିଯାନରେ ୧୮ ହଜାର ଅଣସାକ୍ଷର ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇ ଶିକ୍ଷା ଦିଆଯାଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ସୋନାମିକା ରାୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା ଜିଲ୍ଲା ନୋଡାଲ ଅଧିକାରୀ ଭାବରେ ଏହି କାର୍ଯ୍ୟ ନିର୍ବାହ କରୁଛନ୍ତି। ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷୟିତ୍ରୀ, ଆଞ୍ଚଳିକ ସାଧନ ସଂଯୋଜକଙ୍କ ସମେତ ପଞ୍ଚାୟତିରାଜ ସଂସ୍ଥା, ଜାତୀୟ ସେବା ଯୋଜନା, ନେହରୁ ଯୁବ କେନ୍ଦ୍ର, ଗାଇଡ୍ସ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ ଏହି ସାକ୍ଷରତା ଅଭିଯାନକୁ ସଫଳତା ଦେଇଛି। ସମସ୍ତ ବ୍ଲକ୍ର ପରୀକ୍ଷାଫଳ ଆସନ୍ତା ୩ ଦିନରେ ଜିଲ୍ଲା କାର୍ଯ୍ୟାଳୟକୁ ଏବଂ ୧୫ ଦିନ ମଧ୍ୟରେ ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରକୁ ପଠାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/28/fshhfsshfxbv-2025-10-28-01-52-48.jpg)