ଭୁବନେଶ୍ବର: ଶିକ୍ଷା ହିଁ ସାମୂହିକ ବିକାଶର ମାଧ୍ୟମ। ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ଶିକ୍ଷାର ଭୂମିକା ସର୍ବାଗ୍ରେ। ଶିକ୍ଷାର ପ୍ରସାର ବିନା ବିକାଶର ପରିକଳ୍ପନା କେବଳ ଏକ ତାଳିପକା କାମ ସଦୃଶ। ସେଭଳି ବିକାଶକୁ ଏକପାଖିଆ ବୋଲି କୁହାଯିବ। ଓଡ଼ିଆ ଭାଷାରେ ପ୍ରକାଶିତ ଅର୍ଥନୀତିଭିତ୍ତିକ ପତ୍ରିକା ‘ଭୂମି: ଦି ମଦର ଆର୍ଥ’ ତରଫରୁ ଆଜି ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।
‘ଓଡ଼ିଶାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ -ସୁଯୋଗ ଓ ସମ୍ଭାବନା’ ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ବିକଶିତ ଦେଶମାନେ ବାୟୁମଣ୍ଡଳକୁ ଧୂଆଁରେ ଭର୍ତ୍ତି କରିଦେଲେ, ଶିଳ୍ପାୟନ ନାଁରେ ଜଙ୍ଗଲ କାଟି ସଫା କରିଦେଲେ, ପରମାଣୁ ବୋମା ତିଆରି କରି ସାରା ବିଶ୍ୱରେ ଭୟର ବାତାବରଣ ଖେଳାଇଲେ। ଅଥଚ ଏବେ ସେମାନେ ପରିବେଶ ପ୍ରଦୂଷଣ ରୋକିବା ପାଇଁ, ମଦର୍ ଆର୍ଥକୁ ସୁରକ୍ଷିତ ରଖିବା ପାଇଁ, ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ପରାମର୍ଶ ଦେଉଛନ୍ତି। ବିଶ୍ବ ସମୁଦାୟର ସହଯୋଗ ଲୋଡ଼ୁଛନ୍ତି। ଏବେ ସାରା ଦୁନିଆର ଆଖି ଆମ ରାଜ୍ୟର ଭୂମି ତଳେ ଥିବା ଖଣିଜ ସମ୍ପଦ ଉପରେ, ଆମ ଜଙ୍ଗଲ ଉପରେ, ଆମ ୪୫୦କିମି ଦୈର୍ଘ୍ୟ ବିଶିଷ୍ଟ ସୁନ୍ଦର ସାମୁଦ୍ରିକ ବେଳାଭୂମି ଉପରେ। ଯେଉଁଠି ଲୋକମାନେ ପେଟ ପାଇଁ ବିକଳ ହୁଅନ୍ତି, ଏତେ ସମ୍ପତ୍ତି ଥାଇ ଆମେ କରିଛୁ କ’ଣ ବୋଲି ନିଜକୁ ନିଜେ ପ୍ରଶ୍ନ କରିବାକୁ ପଡ଼ିବ। ଖଣିଜ ସମ୍ପଦ ବିକ୍ରିରେ ଯେଉଁମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ସେମାନଙ୍କୁ ଲଲିପପ୍ ଦେବା ଭଳି ବିଶ୍ୱବିଦ୍ୟାଳୟ (କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ)ଟିଏ ଦେଇ ସନ୍ତୁଷ୍ଟ କରିଦେଲେ, ସାମାଜିକ ସମନ୍ବୟ ରକ୍ଷା ହେବ ବୋଲି ସେ ବିଶ୍ବାସ କରନ୍ତି ନାହିଁ ବୋଲି କହିଥିଲେ।
ଆଦିବାସୀଙ୍କ ସାନ୍ଦ୍ରତା ଦୃଷ୍ଟିରୁ ଏଠାରେ ବହୁ ପୂର୍ବରୁ ଏଭଳି ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ଜରୁରୀ ଥିଲା। ପୂର୍ବତନ ମାନବ ସମ୍ବଳ ମନ୍ତ୍ରୀ ଅର୍ଜୁନ ସିଂହ ରାଜନୈତିକ କ୍ଷମତାର ଉପଯୋଗ କରି ନିଜ ରାଜ୍ୟ ମଧ୍ୟପ୍ରଦେଶର ଅମରକଣ୍ଟକଠାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଅଥଚ ଆମର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ଓଡ଼ିଶା ଆଜି ପର୍ଯ୍ୟନ୍ତ ଏଥିରୁ ବଞ୍ଚିତ ହୋଇରହିଛି ବୋଲି ଏହି କର୍ମଶାଳାରେ ମତ ପ୍ରକାଶ ପାଇଥିଲା। ଆଦିବାସୀବହୁଳ ଜିଲ୍ଲାମାନଙ୍କ ମଧ୍ୟରେ ମୟୂରଭଞ୍ଜ, କୋରାପୁଟ ଓ ସୁନ୍ଦରଗଡ଼ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଶିକ୍ଷା ପ୍ରତିଷ୍ଠାନ ସ୍ଥାପିତ ହୋଇସାରିଥିଲେ ମଧ୍ୟ କେନ୍ଦୁଝର ଅନେକ ପଛରେ ପଡ଼ି ରହିଛି। ପ୍ରାଥମିକ ଅବସ୍ଥାରେ କେନ୍ଦୁଝରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ଥାଇ ନଥିବା ଅବସ୍ଥାରେ ଥିବାରୁ ଏହାର ଭିତ୍ତିଭୂମିକୁ ପ୍ରସ୍ତାବିତ ଆଦିବାସୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି ବକ୍ତାମାନେ ମତ ରଖିଥିଲେ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ପାଣ୍ଠିରୁ ମଧ୍ୟ ଏହି କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପାଇଁ ଆଂଶିକ ଅନୁଦାନ ମିଳିପାରିବ ବୋଲି କୁହାଯାଇଥିଲା। ତେଣୁ ପ୍ରସ୍ତାବିତ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦୁଝର ଏକ ଉପଯୁକ୍ତ ସ୍ଥାନ ବୋଲି ବକ୍ତାମାନେ କହିଥିଲେ। ଆରମ୍ଭରେ ‘ଭୂମି: ଦି ମଦର ଆର୍ଥ’ର ସମ୍ପାଦକ ସତ୍ୟବ୍ରତ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଓ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା ଆଲୋଚନାଚକ୍ରର ପ୍ରାସଙ୍ଗିକତା ସମ୍ବନ୍ଧରେ ସୂଚନା ଦେଇଥିଲେ। ପତ୍ରିକାର ସହସମ୍ପାଦିକା ରୀନା ରାଉତରାୟ ବିଭିନ୍ନ ଅଧିବେଶନ ଓ ସେଥିରେ ଉଠିଥିବା ପ୍ରସଙ୍ଗଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଆଲୋଚନାଚକ୍ରର ଉଦ୍ଯାପନ ପର୍ବରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଅତିଥି ଭାବେ ଉପସ୍ଥିତ ଥିଲେ। କବି ଶଙ୍କର୍ଷଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶେଷ ଭାଷା ସାହିତ୍ୟ ଚର୍ଚ୍ଚାରେ ଅସୀମା ସାହୁଙ୍କ କବିତା ସଂକଳନ ‘ଥାକ ଥାକ ବାହାନା’, ଅନୁବାଦିକା ନମ୍ରତା ଚଢାଙ୍କ ପୁସ୍ତକ ‘ପୁକାରେ କୋଇ ଖିତିଜ୍ କେ ପାର୍ ସେ’, ଅନୁବାଦିକା ରଶ୍ମିରେଖା ଜେନାଙ୍କ ପୁସ୍ତକ ‘କସମ୍ ସେ’, ବିନ୍ଦୁ ନିବେଦିତାଙ୍କ କବିତା ସଙ୍କଳନ ‘ବିନ୍ଦୁ ବିନ୍ଦୁ କାକର’ ଓ ଉମାକାନ୍ତ ନାୟକଙ୍କ ଗଦ୍ୟ ସଂକଳନ ‘କଥା ମୋ ଅନୁଭୂତିର’ ଲୋକାର୍ପିତ ହୋଇଥିଲା।
କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତିଭୂଷଣ ଦାସ, ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କୁଳପତି କିଶୋର ବାସା, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଏନ୍ ନାଗରାଜୁ, ପ୍ରାକ୍ତନ ଭାରତୀୟ ବିଦେଶ ସେବା ଅଧିକାରୀ ବିକ୍ରମ ମୁଣ୍ଡା, ସମାଜ ବିଜ୍ଞାନୀ ମେରୀ ବାଗେ, ବିଶେଷଜ୍ଞ ପରମାନନ୍ଦ ପଟେଲ, ଅନୀଲ ଧୀର, ପ୍ରଭାସ ମିଶ୍ର, ମିହିର ଜେନା ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ।