ସମାଜର ପ୍ରଗତି ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ

‘ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା’ କର୍ମଶାଳା

ଭୁବନେଶ୍ୱର: ସାମ୍ବାଦିକତା ହେଉଛି ଜ୍ଞାନର ଏକ ଅଂଶ। ସାମ୍ବାଦିକ ରାଷ୍ଟ୍ର ଗଠନରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥାଏ। ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ସମାଜ ଜାତି, ଲିଙ୍ଗ ଓ ବର୍ଗ ଭିତ୍ତିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହେଇ ବହୁ ସମସ୍ୟାର ସୂତ୍ରଧର ପାଲଟିଛି। ଫଳରେ ଦେଶର ସାମାଜିକ କ୍ଷେତ୍ର ଅବକ୍ଷୟ ହେବାରେ ଲାଗିଛି। ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରୀକରଣ ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଏବଂ ଏହା ହିଁ ବର୍ତ୍ତମାନ ସମୟର ଆହ୍ୱାନ। ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଏହା କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ‘ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା’ ଶୀର୍ଷକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରର ସାମାଜିକ ବିକାଶ କ୍ଷେତ୍ରରେ ଗଣମାଧ୍ୟମ କେତେ ମାତ୍ରାରେ ସହଯୋଗ କରୁଛି, ସେନେଇ ଗଣମାଧ୍ୟମକୁ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ପ୍ରଫେସର୍‌ ମଲ୍ଲିକ କହିଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡ. ବନ୍ଦିତା ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ଗଣମାଧ୍ୟମର ଭୂମିକା ସବୁବେଳେ ସକାରାତ୍ମକ ଭାବେ ସମାଜ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ। ସମାଜର ବିକାଶ ସେତେବେଳେ ସମ୍ଭବ, ଯେତେବେଳେ ନାରୀ-ପୁରୁଷ ମଧ୍ୟରେ ଭେଦଭାବ ଦୂର ହୋଇପାରିବ। ସାମ୍ବାଦିକତା ଓ ଗଣମାଧ୍ୟମ ଛାତ୍ରଛାତ୍ରୀମାନେ ନିରପେକ୍ଷ ଭାବେ ନିଜର ଦକ୍ଷତା ଅନୁଯାୟୀ ଏହାକୁ ଉପସ୍ଥାପନା କରିବା ଉଚିତ ବୋଲି ସେ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜିକା ପ୍ରଫେସର୍‌ ପଦ୍ମାଳୟା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ସହକାରୀ ପ୍ରଫେସର୍‌ ଡ. ହେମନ୍ତ କୁମାର ଦାଶ ଓ ଡ. ଜ୍ୟୋତିର୍ମୟୀ ଟୁଡୁ ବକ୍ତବ୍ୟ ରଖିଥିଲେ। ଡ.ରମାକାନ୍ତ ମହାନନ୍ଦ ଧନ୍ୟବାଦ ଦେଇଥିଲେ। ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ସୁଦେଷ୍ଣା ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଏବଂ ଲୋକ ପ୍ରଶାସନ ବିଭାଗର ଛାତ୍ରଛାତ୍ରୀ ଓ ଗବେଷକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର