ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ, ବିଇଓଙ୍କ କାର୍ଯ୍ୟାଳୟରେ ଅଚାନକ ଚଢ଼ଉ

ସ୍କୁଲ ସମୟରେ ଶିକ୍ଷକଙ୍କୁ ବିଇଓ କାର୍ଯ୍ୟାଳୟ ମନା
ଭୁବ‌ନେଶ୍ବର: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ଆକ୍ସନ ମୋଡ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀ ହେବା ପରଠାରୁ ସେ ଏକାଧିକ ନିଷ୍ପତ୍ତି ନେଇଛନ୍ତି। ବିଭାଗ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଗସ୍ତ କରି ତନାଘନା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଭୁବନେଶ୍ୱର ୟୁନିଟ୍-୮ରେ ଥିବା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରି କାଗଜପତ୍ର ଓ ଅଧିକାରୀଙ୍କ ଉପସ୍ଥାନ ଯାଞ୍ଚ କରିଛନ୍ତି। ବିଇଓଙ୍କଠାରୁ ଶିକ୍ଷକମାନଙ୍କ ତଥ୍ୟ, କର୍ମଚାରୀଙ୍କ ସ୍ଥିତି ଆଦି ବିଷୟରେ ପଚାରି ବୁଝିଛନ୍ତି। ଏହାବ୍ୟତୀତ ସ୍କୁଲ ସମୟରେ କୌଣସି ଶିକ୍ଷକ ଯେପରି ବିଇଓଙ୍କ କାର୍ଯ୍ୟାଳୟକୁ ନ ଆସନ୍ତି, ସେ ନେଇ ତାଗିଦ୍‌ କରିଛନ୍ତି।

ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ମନ୍ତ୍ରୀ ଶ୍ରୀ ଦାଶ ଅଚାନକ ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେତେବେଳେ ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳି କାର୍ଯ୍ୟାଳୟରେ ନଥିଲେ। କ୍ଷେତ୍ର ପରିଦର୍ଶନ ଲାଗି ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇଥିଲେ। ମନ୍ତ୍ରୀଙ୍କ ଅଚାନକ ଗସ୍ତ ଖବର ପାଇ ବିଇଓ ତତ୍‌କ୍ଷଣାତ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏବିଇଓମାନେ ମଧ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ଦାଶ ତନାଘନା ଆରମ୍ଭ କରିବାରୁ ଜଣାପଡ଼ିଥିଲା ଯେ ସମସ୍ତ ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି। ବିଦ୍ୟାଳୟଗୁଡ଼ିକର ମନିଟରିଂ ଲାଗି ଆଉ ମାତ୍ର ଦୁଇ ଦିନ ସମୟ ରହିଛି। ତେଣୁ ଏବିଇଓମାନେ ଭିଜିଟ୍‌ରେ ଯାଇଥିବା ବିଇଓ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ କ୍ଲଷ୍ଟର ରିସୋର୍ସ କୋର୍ଡିନେଟର୍‌ (ସିଆରସି)ମାନେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ। ଏହାପରେ ମନିଟରିଂ ଲାଗି ଫିଲ୍ଡ ଭିଜିଟ୍‌ କରିବେ। ଏବେ ସିଆରସିଙ୍କ କାର୍ଯ୍ୟକଳାପକୁ ଅନ୍‌ଲାଇନ୍‌ରେ ମନିଟରିଂ କରାଯାଉଛି। ବିଇଓଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ନେଇ ମନ୍ତ୍ରୀ ଶ୍ରୀ ଦାଶ ଅବଗତ ହୋଇଛନ୍ତି। ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜଧାନୀରୁ ଲୋକଙ୍କୁ ଉଦାହରଣ ମିଳିବା ଉଚିତ୍। ସରକାରୀ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ପ୍ରଥମେ ରାଜଧାନୀ ଉପରେ ନଜର ରଖାଯାଇଛି। ଭୁବନେଶ୍ୱରରୁ ହିଁ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରାଗଲେ, ସାରା ରାଜ୍ୟକୁ ଏହା ସୂଚନା ଆକାରରେ ପହଞ୍ଚିବ। ତେଣୁ ପ୍ରାଥମିକ ଭାବେ ଭୁବନେଶ୍ବର ବିଇଓଙ୍କ କାର୍ଯ୍ୟାଳୟକୁ ଗସ୍ତ କରିଛି। ପରବର୍ତୀ ସମୟରେ ରାଜ୍ୟରେ ଥିବା ଅନ୍ୟାନ୍ୟ ବିଦ୍ୟାଳୟ, ବିଇଓ, ଡିଇଓଙ୍କ କାର୍ଯ୍ୟାଳୟ ଗସ୍ତ କରି ପ୍ରାଥମିକ ଶିକ୍ଷାର ସ୍ଥିତି ଅନୁଧ୍ୟାନ କରିବି।

ସର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳଙ୍କ ତନାଘନା
ବାତ୍ୟା ‘ଫନି’ ପରେ କିଭଳି ରହିଛି ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତି? କେମିତି ଚାଲିଛି ପିଲାଙ୍କ ପାଠପଢ଼ା? ମଧ୍ୟାହ୍ନଭୋଜନ ମିଳୁଛି କି ନାହିଁ? ନୂଆ କରି ଖୋର୍ଧା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିବା ସୀତାଂଶୁ କୁମାର ରାଉତ ଆଜି ଜିଲ୍ଲାର ପ୍ରା‌ଥମିକ ଶିକ୍ଷାର ସ୍ଥିତି ସମୀକ୍ଷା କରିଛନ୍ତି। ଭୁବନେଶ୍ବର ସର୍କିଟ ହାଉସ୍‌ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଥିବା ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଗ୍ରାମ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ବାତ୍ୟାରେ ପ୍ରଭାବିତ ଖୋର୍ଧା ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଚାଲିଛି। ତେବେ କିଛି ବିଦ୍ୟାଳୟରେ ଆଜବେଷ୍ଟସ୍‌ ଉଡ଼ି ଯାଇଥିବାରୁ ପାଠପଢ଼ା ହୋଇପାରୁନାହିଁ। ପିଲାମାନେ ଓଳି କରି ଶିକ୍ଷା ଗ୍ରହଣ କରୁଛନ୍ତି। ଆଉ କିଛି ସ୍ଥାନରେ ଗୋଟିଏ ଘରେ ଏକାଧିକ ଶ୍ରେଣୀ ଚାଲୁଛି। ତାହାକୁ ନେଇ ଜିଲ୍ଲାପାଳ ଶ୍ରୀ ରାଉତ ଉଦ୍‌ବେଗ ପ୍ରକାଶ କରିଥିଲେ। ସ୍ଥିତିରେ ତୁରନ୍ତ ସୁଧାର ଆଣିବାକୁ ସେ ନିର୍ଦେଶ ଦେଇଥିଲେ। ଏଥିସହ ଛାତ୍ରଛାତ୍ରୀ ସ୍ବଚ୍ଛ ପରିବେଶରେ ଯେପରି ମଧ୍ୟାହ୍ନଭୋଜନ ଗ୍ରହଣ କରିବେ, ସେ ଦିଗରେ ସ୍କୁଲଗୁଡ଼ିକ ପଦକ୍ଷେପ ନେବାକୁ କହିଥିଲେ।

ସମ୍ବନ୍ଧିତ ଖବର