ସ୍କୁଲକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ, ବିଳମ୍ବରେ ଆସିଥିବା ଶିକ୍ଷକଙ୍କୁ କୈଫିୟତ ତଲବ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୁଣିଥରେ ସ୍କୁଲକୁ ଅଚାନକ ଚଢ଼ଉ କରିଛନ୍ତି। ମାସକ ପୂର୍ବରୁ ମନ୍ତ୍ରୀ ଶ୍ରୀ ଦାଶ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ଉପରେ ଅଚାନକ ଚଢ଼ଉ କରିଥିଲେ। କାର୍ଯ୍ୟ ଶୈଳୀ ତଦାରଖ କରିବା ସହ ପାଠପଢ଼ା ସମୟରେ ଶିକ୍ଷକମାନେ ବିଇଓଙ୍କ କାର୍ଯ୍ୟାଳୟକୁ ନଆସିବାକୁ ନିର୍ଦେଶ ଦେଇଥିଲେ। ଏହାର ଏକ ମାସ ପରେ ଆଜି ମନ୍ତ୍ରୀ ଶ୍ରୀ ଦାଶ ପୁଣିଥରେ ଭୁବନେଶ୍ବରରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନକୁ ଅଚାନକ ଗସ୍ତ କରିଛନ୍ତି। ସ୍କୁଲରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାର ଯାଞ୍ଚ କରିବା ସହ ୟୁନିଟ୍‌-୬ରେ ଥିବା ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ପହଞ୍ଚି ସେଠାରେ ଥିବା ପ୍ରଶିକ୍ଷାର୍ଥୀମାନଙ୍କ ସହ ମତ ବିନିମୟ କରିଥିଲେ। ବିଳମ୍ବରେ ଆସିଥିବା ଶିକ୍ଷକମାନଙ୍କୁ କୈଫିୟତ ତଲବ କରିବାକୁ ନିର୍ଦେଶ ଦେଇଛନ୍ତି।

ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ଅନୁଷ୍ଠାନରେ ଖାଲିଥିବା ନିୟମିତ ଶିକ୍ଷକ ପଦବି ବିଷୟରେ ଅବଗତ ହୋଇଥିଲେ। ଶିକ୍ଷକମାନେ ଠିକ୍‌ ସମୟରେ ଆସୁଛନ୍ତି କି ନାହିଁ, ପାଠପଢ଼ା କିଭଳି ଚାଲିଛି, ଭିତ୍ତିଭୂମି ଠିକ୍‌ ଅଛି କି ନାହିଁ, ଆଉ କ’ଣ ଆବଶ୍ୟକତା ରହିଛି ଆଦି ବିଷୟରେ ପଚାରି ବୁଝିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷା ଅପର୍ଣ୍ଣା ମିଶ୍ର ଉପସ୍ଥିତ ଥିଲେ। ଅନୁରୂପ ଭାବେ ମଧ୍ୟାହ୍ନରେ ମନ୍ତ୍ରୀ ଶ୍ରୀ ଦାଶ ୟୁନିଟ୍‌-୬ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ବିଦ୍ୟାଳୟର ପ୍ରତି ଶ୍ରେଣୀଗୃହ ବୁଲିବା ସହ ପିଲାଙ୍କ ପାଠପଢ଼ା ଯାଞ୍ଚ କରିଥିଲେ। ସ୍କୁଲରେ ଉତ୍ଥାନ ଓ ଉତ୍କର୍ଷ କାର୍ଯ୍ୟକ୍ରମ କିଭଳି ଚାଲିଛି ସେବିଷୟରେ ପଚାରି ବୁଝିଥିଲେ। ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଓ ତାହାର ମାନ ଯାଞ୍ଚ କରିଥିଲେ। ପିଲାମାନେ କିଭଳି ସ୍ବଚ୍ଛ ପରିବେଶରେ ଖାଦ୍ୟ ଖାଇପାରିବେ ସେଥିପ୍ରତି ଗୁରୁତ୍ବ ଦେଇଥିଲେ। ପ୍ରାୟ ଏକ ଘଣ୍ଟା ଧରି କ୍ୟାମ୍ପସରେ ରହିବା ସହ ପିଲାଙ୍କ ସହ କିଛି ସମୟ ଆଲୋଚନା‌ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ବେହେରା ମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର