ଭୁବନେଶ୍ବର: ଏକବିଂଶ ଶତାବ୍ଦୀରେ ଓଡ଼ିଶା ସାରା ବିଶ୍ବକୁ ଉଚ୍ଚଶିକ୍ଷିତ ମାନବସମ୍ବଳ ଯୋଗାଇ ଦେବା ଲାଗି ଅଙ୍ଗୀକାରବଦ୍ଧ। ଏଥିଲାଗି ରାଜ୍ୟ ସରକାର ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ନିରନ୍ତର ରୂପାନ୍ତରଣ କାର୍ଯ୍ୟ ଜାରି ରଖିଛନ୍ତି। ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଇ ସେଠାରେ ବିଶ୍ବସ୍ତରୀୟ ଶିକ୍ଷା ଭିତ୍ତିଭୂମି ସୃଷ୍ଟି କରାଯାଇଛି। ୫ଟି ଓ ମୋ’ ସ୍କୁଲ ଅଭିଯାନରେ ବିଦ୍ୟାଳୟଗୁଡ଼ିକର ଭୌତିକ ଓ ଶୈକ୍ଷିକ ବିକାଶ ଦ୍ରୁତଗତିରେ କରାଯାଇଛି। ଶିକ୍ଷାରେ ରୂପାନ୍ତରଣ ପଦକ୍ଷେପରୁ ଚମକପ୍ରଦ ଫଳ ମିଳିଛି।

Advertisment

ରାଜ୍ୟରେ ଜ୍ଞାନଭିତ୍ତିକ ଉଦ୍ୟୋଗର ବିକାଶ ଲାଗି ସରକାର ବ୍ୟାପକ ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଆମର ସରକାରୀ ସ୍କୁଲଗୁଡ଼ିକ ଏବେ ବିଶ୍ବସ୍ତରୀୟ ବିଦ୍ୟାଳୟ ସହ ପ୍ରତିଯୋଗିତା କରିବାକୁ ସକ୍ଷମ ହୋଇଛି। ୫ଟି ‌ଯୋଜନାରେ ବିଦ୍ୟାଳୟଗୁଡ଼ିକର ନବକଳେବର କରାଯାଇ ସେଠି ସ୍ମାର୍ଟ କ୍ଲାସରୁମ,ଇ-ଲାଇବ୍ରେରି, ଅତ୍ୟାଧୁନିକ ଲାବୋରେଟୋରି, ଉନ୍ନତ କ୍ୟାମ୍ପସ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଇଛି।

ସେହିପରି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଭଳି ସବୁ ବ୍ଲକରେ ଆଦର୍ଶ ଦିବ୍ୟାଳୟ ଏବଂ ରାଜ୍ୟରେ ଗୋଟିଏ ଉଦାହରଣୀୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। ମୋ ସ୍କୁଲ ଅଭିଯାନରେ ପୁରୁଣା ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ସରକାର ୫୦ ହଜାର ସ୍କୁଲର ଉନ୍ନତୀକରଣ କରିବା ସହ ୩୦ ଲକ୍ଷ ପୁରୁଣା ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଯୋଡ଼ି ପାରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶିକ୍ଷାକୁ ଆଗେଇ ନେବା ଲାଗି ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଜନା ମାଧ୍ୟମରେ ୧୨୫ କୋଟି ଟଙ୍କାର ପୁରସ୍କାର ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବାକୁ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ଉପରେ ଦୁଇଟି କଫି ଟେବୁଲ ବୁକ୍‌ ଏବଂ ଏକ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାଜ୍ୟର ୩୨ଟି ଆଦର୍ଶ ବିଦ୍ୟାଳୟରେ ନୂତନ ଭାବେ ସ୍ଥାପନ କରାଯାଇଥିବା ଛାତ୍ରୀନିବାସ ଏବଂ ୬ଟି ଏକାଡିମିକ ବିଲଡିଂକୁ ଉଦ୍‌ଘାଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପ‌ଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଆଶ୍ବଥି ଏସ୍‌ ପ୍ରମୁଖ ଉପସ୍ଥିତ ଥିଲେ।