ସରକାରୀ ବିଦ୍ୟାଳୟରେ ଅଭିନବ ପ୍ରୟାସ : ହ୍ବାଟ୍ସଆପ୍‌ରେ ଚାଲିଲା ପାଠପଢ଼ା

ଭୁବନେଶ୍ବର : ତାଲାବନ୍ଦ ପରେ ନାମୀ ଦାମୀ ଘରୋଇ ବିଦ୍ୟାଳୟମାନଙ୍କରେ ଚାଲିଛି ଅନ୍‌ଲାଇନ୍‌ ଶିକ୍ଷାଦାନ। ପିଲାମାନେ ଲାପଟପ୍‌ କିମ୍ବା ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌ ସେଟ୍‌ ସହଯୋଗରେ ଭିଡିଓ ଅପ୍‌ଲୋଡ୍‌ କରି ଘରେ ବସି ପଢ଼ିପାରୁଛନ୍ତି। ତେବେ ସରକାରୀ ବିଦ୍ୟାଳୟମାନେ ମଧ୍ୟ ପଛରେ ପଡ଼ି ଯାଇନାହାନ୍ତି। ଏବେ କିଛି ସରକାରୀ ବିଦ୍ୟାଳୟରେ ଆରମ୍ଭ ହୋଇଛି ହ୍ବାଟ୍ସଆପ୍‌ରେ ଶିକ୍ଷାଦାନ। ରାଜଧାନୀ ଓ ତା’ର ଉପକଣ୍ଠ କିଛି ବିଦ୍ୟାଳୟମାନଙ୍କରେ ଆରମ୍ଭ ହୋଇ ଯ‌ାଇଛି ଏହି ଅଭିନବ ପ୍ରୟାସ।

ଭୁବନେଶ୍ବର ବ୍ଲକ ନଁପୁଟ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟରୁ ମିଳିଥିବା ସୂଚନାନୁସାରେ ପ୍ରତି ଶ୍ରେଣୀର ପିଲାଙ୍କୁ ନେଇ ଶିକ୍ଷକମାନେ ଏକ ହ୍ବାଟସ୍‌ଆପ୍‌ ଗ୍ରୁପ୍ କରିଛନ୍ତି। ବିଷୟ ଅନୁସାରେ ଶିକ୍ଷକମାନେ ନିଜ ନିଜର ଗ୍ରୁପ୍ କରି ପିଲାମାନଙ୍କୁ ସେଥିରେ ଯୋଡ଼ିଛନ୍ତି। ସମ୍ପୃକ୍ତ ଶିକ୍ଷକ କୌଣସି ଗୋଟିଏ ଅଧ୍ୟାୟ ବାବଦରେ ପ୍ରଥମେ ଭଏସ୍ ରେକର୍ଡିଂ କରି ଉକ୍ତ ଗ୍ରୁପ୍‌ରେ ଛାଡ଼ୁଛନ୍ତି ଓ ପରେ ପରେ କାଗଜରେ ପ୍ରଶ୍ନ ଓ ତା’ର ସମାଧାନ ଲେଖି ସେଥିରେ ଛାଡ଼ୁଛନ୍ତି। ପିଲାମାନେ ଶିକ୍ଷକଙ୍କ ଉକ୍ତ ଭଏସ୍‌ ରେକର୍ଡିଂ ଓ ପ୍ରଶ୍ନ ପତ୍ର ସମାଧାନ ଦେଖି ନିଜ ନିଜ ବହିରୁ ଅନୁଶୀଳନୀ କରୁଛନ୍ତି। କିଛି ବୁଝିନହେଲେ ପିଲାମାନେ ଉକ୍ତ ଗ୍ରୁପ୍‌ରେ ନିଜ ପ୍ରଶ୍ନ ଛାଡ଼ୁଛନ୍ତି ଓ ଶିକ୍ଷକମାନେ ଫୋନ୍‌ କରି ହେଉ ବା ପୁଣି ସେହି ଗ୍ରୁପ୍‌ରେ ‌ଲେଖି ପିଲାମାନଙ୍କୁ ସନ୍ଦେହ ମୋଚନ କରୁଛନ୍ତି। ଏହି ବିଦ୍ୟାଳୟର ଦଶମ ଶ୍ରେଣୀରେ ମୋଟ୍ ୪୮ ଜଣ ଛାତ୍ରଛାତ୍ରୀ ଥିବାବେଳେ ୪୦ ଜଣ ଗ୍ରୁପ୍‌ରେ ସାମିଲ୍ ହୋଇ ସାରିଛନ୍ତି। ଅବଶିଷ୍ଟ ୮ ଜଣ ପିଲାଙ୍କ ପାଖ‌ରେ ଆଣ୍ଡଏଡ୍‌ ଫୋନ୍‌ ସେଟ୍‌ ନଥିବାରୁ ସେମାନଙ୍କୁ ପାଖ ପିଲାଙ୍କ ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି। ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏଭଳି ପ୍ରୟାସକୁ ନେଇ ବେଶ୍ ଖୁସି ଅଛନ୍ତି। ଜଣେ ବିଭାଗୀୟ ଅଧିକାରୀଙ୍କ ସୂଚନାନୁସାରେ ଆଗକୁ ଶିକ୍ଷକମାନେ ଭିଡିଓ ଅପ୍‌‌ଲୋଡ୍‌ କରିବେ ଓ ତା’ ଦ୍ବାରା ଶିକ୍ଷାଦାନକୁ ଆହୁରି ଅଧିକ ସୁନ୍ଦର କରିହେବ। ଗାଁ ଗହଳି ତଥା ସହରର ବସ୍ତି ଅଞ୍ଚଳର କିଛି ଗରିବ ପିଲାମାନଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ୍‌ ସେଟ୍‌ ନଥିଲେ ମଧ୍ୟ ଏହି ପ୍ରୟାସ ଦ୍ବାରା ଶତକଡ଼ା ୫୦ଭାଗରୁ ଅଧିକ ପିଲା ଉପକୃତ ହୋଇପାରିବେ। ଏବେ ରାଜଧାନୀ ଉପକଣ୍ଠ ନାରଗୋଦା ପ୍ରାଥମିକ ବିଦ୍ୟାଳୟ ଭଳି କିଛି ବିଦ୍ୟାଳୟରେ ମଧ୍ୟ ଏମିତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି। ଖୁବ୍‌ ଶୀଘ୍ର ଭୁବନେଶ୍ବରର ସମସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଏହି ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ ହୋଇଯିବ। ଫଳରେ ତାଲା ବନ୍ଦ ଯୋଗୁଁ ପାଠପଢ଼ାରେ ହୋଇଥିବା କ୍ଷତିର କିଛି ଅଂଶ ଭରଣା କରିହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର