ଭୁବନେଶ୍ବର: ରାଜଧାନୀରେ ଥିବା ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ନିଶାମୁକ୍ତ କରାଯିବ। ନିଶା ମୂଳପୋଛ ପାଇଁ ନା କ୍ୟାମ୍ପସ ଭିତରେ ନା ଆଖପାଖ ଅଞ୍ଚଳରେ ବିକ୍ରି ହେବ ନିଶାଦ୍ରବ୍ୟ। ସେହିପରି କ୍ୟାମ୍ପସରେ ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଦିନକୁ ଦିନ ରାଜଧାନୀରେ ନିଶାଦ୍ରବ୍ୟ ଓ ଅପରାଧିକ କାରବାର ବଢ଼ୁଥିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ଏଭଳି କଠୋର ପଦେକ୍ଷପ ନେବାକୁ ଯୋଜନା କରାଯାଇଛି। ତେବେ ବିଳମ୍ବ ହେଉ ପଛେ କମିସନରେଟ୍‌ ପୁଲିସର ନିଦ ଭାଙ୍ଗିଛି। ଏନେଇ ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଆଲୋଚନା ମାଧ୍ୟମରେ ବିଭିନ୍ନ ଦିଗକୁ ବିଚାରକୁ ନିଆଯାଇ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।

Advertisment

ପ୍ରତି ସ୍କୁଲ ଓ କଲେଜ୍‌ରେ ଦିସା କ୍ଲବ
ଯାଞ୍ଚ ପାଇଁ ଗଠନ ହେବ ସ୍ବତନ୍ତ୍ର ଟିମ୍‌
ଖୋଲିବ ୬ ନିଶା ନିବାରଣ କେନ୍ଦ୍ର
ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନାହିଁ

ନିଷ୍ପତ୍ତି ଅନୁଯାୟୀ, କ୍ୟାମ୍ପସରୁ ନିଶାଦ୍ରବ୍ୟକୁ ବାରଣ କରାଯାଇଛି। ଏହା ଉପରେ ନଜର ରଖିବା ପାଇଁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ, ପୁଲିସ, ଏସ୍‌ଏସ୍‌ଇପିଡି, ଉଚ୍ଚଶିକ୍ଷା ବିଭାଗ କର୍ତୃପକ୍ଷଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ସ୍ଥାନୀୟ ପୁଲିସ ଓ ସମ୍ପୃକ୍ତ ଶିକ୍ଷାନୁଷ୍ଠନ କର୍ତୃପକ୍ଷ ରୀତିମତ କ୍ୟାମ୍ପସ, ହଷ୍ଟେଲ୍‌ ଓ ମେସ୍‌କୁ ଯାଞ୍ଚ କରିବେ। ଯଦି କେହି ଶିକ୍ଷାନୁଷ୍ଠାନ ଭିତରେ କିମ୍ବା ଆଖପାଖ ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ପ୍ରତି ଶିକ୍ଷାନୁଷ୍ଠାନରେ ଦିସା ସ୍କିମ୍‌ରେ ‘ଦିସା କ୍ଲବ’ ଖୋଲାଯିବ। ସେଠାରେ ଛାତ୍ରଛାତ୍ରୀଙ୍କୁ ଦାୟିତ୍ବ ଦିଆଯାଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପାଣ୍ଠିର ବନ୍ଦୋବସ୍ତ କରାଯିବ। ସମୟ ବ୍ୟବଧାନରେ ସ୍ଥାନୀୟ ପୁଲିସ, ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ ବିଶେଷଜ୍ଞଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟ ସେବନ କରିବାର ଦେଖାଯାଏ ସେମାନଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ବାରା କାଉନ୍‌ସେଲିଂ କରାଯାଇ ପରାମର୍ଶ ଦିଆଯିବ। ସେମାନଙ୍କ ଅଭିଭାବକଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ଏହା ସତ୍ତ୍ବେ ସେମାନେ ନ ଚେତିଲେ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଯିବ। ତେଣୁ ରାଜଧାନୀରେ ୬ଟି ନିଶାନିବାରଣ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି।

ଖାଲି ନିଶାଦ୍ରବ୍ୟ ନୁହେଁ, କ୍ୟାମ୍ପସରେ ଅପରାଧିକ କାର୍ଯ୍ୟକଳାପକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ କ୍ୟାମ୍ପସ ଭିତରେ ଅଣଛାତ୍ର ପ୍ରବେଶ ନେଇ ବାରଣ କରାଯାଇଛି। ଶିକ୍ଷାନୁଷ୍ଠାନ ଭିତରେ କି ଆଖପାଖରେ କେହି ଖଟି କିମ୍ବା ମେଳି କରିପାରିବେ ନାହିଁ। ଏଥିପାଇଁ ସିକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ‌ଶିକ୍ଷାନୁଷ୍ଠାନର ଫାଟକ ଗୁଡ଼ିକରେ ନିୟୋଜିତ ସୁରକ୍ଷା କର୍ମୀ ଗାଡ଼ି, ମୋଟର ଯାଞ୍ଚ କରି ଭିତରକୁ ଛାଡ଼ିବେ। ସେହିପରି ସମସ୍ତ ସ୍ଥାନରେ ସିସିଟିଭି ଲଗାଯାଇ ଅଣଛାତ୍ର ଓ ଅସାମାଜିକଙ୍କ ଉପରେ ନଜର ରଖାଯିବ।

ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତୀକରଣ ବିଭାଗ(ଏସ୍‌ଏସ୍‌ଇପିଡି)ର ଅତିରିକ୍ତ ସଚିବ ଦିଲ୍ଲୀପ କୁମାର ବଳ, ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା, ଡିସିପି ପ୍ରତୀକ ସିଂହ ଓ ଅମ୍ରିତ ପାଟ୍ଟଯୋଶୀ ଉପସ୍ଥିତ ରହି ନିଜର ମତ ରଖିଥିଲେ। ତେବେ ରାଜଧାନୀର ୧୫୦ରୁ ଊର୍ଧ୍ବ ଶିକ୍ଷାନୁଷ୍ଠାନର ଅଧିକାରୀ ଯୋଗଦେଇ ନିଜ ନିଜ କ୍ୟାମ୍ପସର ଟିକ୍‌ନିକ୍‌ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ତେବେ କିଭଳି ଏହାର ସମାଧାନ ହେବ? କେଉଁମାନେ ଏଥିରେ ସାମିଲ ହେବେ? କ’ଣ ସବୁ ପଦକ୍ଷେପ ନିଆଯିବ? ସମସ୍ତ ଦିଗକୁ ନେଇ ଆଲୋଚନା କରାଯାଇଥିଲା। ଆଲୋଚନାଚକ୍ରରେ ସମସ୍ତ ଜୋନ୍‌ ଏସିପି ଏବଂ ଆଇଆଇସି ମଧ୍ୟ ଯୋଗଦେଇଥିଲେ।