୨୦୧୯-୨୦ ଶିକ୍ଷାବର୍ଷ ସରିବାକୁ ଆଉ ୨ ମାସ: ଛାତ୍ରଛାତ୍ରୀ ପାଇଲେନି ପୋଷାକ

ସାଢ଼େ ୩ ଲକ୍ଷ ପିଲାଙ୍କ ପାଇଁ ୨୦ କୋଟି ମଞ୍ଜୁର, ଡିପିସିଙ୍କୁ ଏବେ ପଠାଗଲା, ସ୍କୁଲରେ କେବେ?

ଭୁବନେଶ୍ବର: ଦୁଇ ମାସ ପରେ ସରିବ ୨୦୧୯-୨୦ ଶିକ୍ଷାବର୍ଷ। ତେବେ ଏ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପାଇନାହାନ୍ତି ମାଗଣା ପୋଷାକ। ସରକାରଙ୍କ ଘୋଷଣା ଅନୁଯାୟୀ, ଏପିଏଲ୍‌ ବର୍ଗ ଛାତ୍ର ଓ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟର ବାଳକ ବାଳିକାଙ୍କୁ ଏ ବର୍ଷ ମାଗଣା ପୋଷାକ ଦିଆଯିବା କଥା। ହେଲେ ଦୁର୍ଭାଗ୍ୟର ବିଷୟ; ଶିକ୍ଷାବର୍ଷ ଶେଷ ହେବାକୁ ବସିଥିଲେ ମଧ୍ୟ ପିଲାଙ୍କ ପାଖରେ ପହଞ୍ଚି ପାରିନି ପୋଷାକ। କେବେ ପହଞ୍ଚିବ, ସେନେଇ ବି କାହା ପାଖରେ ଠିକ୍‌ ଉତ୍ତର ନାହିଁ। କାରଣ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେସା) ପକ୍ଷରୁ ଗତ ସପ୍ତାହରେ ପୋଷାକ ବଣ୍ଟନ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନଙ୍କୁ ଅନୁଦାନ ପଠା ଯାଇଛି। ଯଦି ଏବେ ଜିଲ୍ଲାସ୍ତରରେ ଅର୍ଥ ପହଞ୍ଚୁଛି, ତେବେ ସ୍କୁଲରେ ପହଞ୍ଚିବାକୁ ଆଉ କେତେ ଦିନ ଲାଗିବ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ୩୦ଟି ଜିଲ୍ଲାରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟର ଏପିଏଲ୍‌ ବର୍ଗର ଛାତ୍ର ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୩ଲକ୍ଷ ୪୬ ହଜାର ୫୪୭ ଜଣ ଶିକ୍ଷା ଗ୍ରହଣ କରୁଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରୁ ସେମାନଙ୍କୁ ମାଗଣା ପୋଷାକ ବଣ୍ଟନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଚଳିତ ଶିକ୍ଷାବର୍ଷ ମଧ୍ୟ ଭାଗରେ ଅନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆଯାଇଥିବା ବେଳେ ଏହି ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହୋଇଥିଲେ। ପୋଷାକ ମିଳିବ କି ନାହିଁ, ତାହାକୁ ନେଇ ବି ଛାତ୍ରଛାତ୍ରୀ ଆଶଙ୍କାରେ ପଡ଼ିଥିଲେ। ତେବେ ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଚଳିତ ଶିକ୍ଷାବର୍ଷ ସରିବାକୁ ଆଉ ଦୁଇ ମାସ ବାକିଥିବା ବେଳେ ଏବେ ପୋଷାକ ବଣ୍ଟନ ପାଇଁ ୨୦ କୋଟି ୭୯ ଲକ୍ଷ ୨୮ ହଜାର ୨୦୦ ଟଙ୍କା ମଞ୍ଜୁର ହୋଇଛି। ଜଣେ ପିଲା ପିଛା‌ ୬୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାରେ ସର୍ବାଧିକ ୨୮ ହଜାର ୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧ କୋଟି ୬୮ ଲକ୍ଷ ୧୮ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ୨୭ ହଜାର ୩୬୬ ପିଲାଙ୍କ ପାଇଁ ୧ କୋଟି ୬୪ ଲକ୍ଷ ୧୯ ହଜାର ୬୦୦, ସୁନ୍ଦରଗଡ଼ ଜିଲ୍ଲାର ୨୩ ହଜାର ୯୪୦ ଛାତ୍ରଛାତ୍ରୀଙ୍କ ଲାଗି ୧ କୋଟି ୪୩ ଲକ୍ଷ ୬୪ ହଜାର, ପୁରୀ ଜିଲ୍ଲାର ୨୩ ହଜାର ୫୩୦ ଛାତ୍ରଛାତ୍ରୀଙ୍କ ପାଇଁ ୧ କୋଟି ୪୧ ଲକ୍ଷ ୧୮ ହଜାର ଟଙ୍କା ମଞ୍ଜୁର ହୋଇଛି।

ଡିପିସିମାନଙ୍କୁ କୁହାଯାଇଛି ଯେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଏପିଏଲ୍‌ ବର୍ଗର ଛାତ୍ର ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ବାବଦ ଅର୍ଥ ନିର୍ଦ୍ଧାରିତ ବ୍ୟାଙ୍କକୁ ଟ୍ରାନ୍ସଫର୍‌ କରାଯାଇଛି। ଏହି ଅର୍ଥ କେବଳ ପୋଷାକ ବଣ୍ଟନ ପାଇଁ ଖର୍ଚ୍ଚ ହେବ। ପୋଷାକ ବଣ୍ଟନର ବିନିଯୋଗ ପ୍ରମାଣପତ୍ର(ୟୁଟିଲାଇଜେସନ ସାର୍ଟିଫିକେଟ୍‌) ‌ଖୁବ୍‌ଶୀଘ୍ର ଦାଖଲ କରିବାକୁ ବି ନିର୍ଦେଶ ଦିଆଯାଇଛି। ଯଦି ଅର୍ଥ ବଞ୍ଚିବ, ତେବେ ତାହାକୁ ଅଲଗା ଭାବେ ଓସେପା କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି। ଓପେସାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‌ଯେ ଘୋଷଣା କରାଯିବା ପରେ ଅର୍ଥ ବିଭାଗର ଅନୁମତି ମିଳିବାରେ ବିଳମ୍ବ ହେଲା। ‌ତେଣୁ ବିଳମ୍ବରେ ଅର୍ଥ ପଠାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ପିଲାଙ୍କୁ ପୋ‌ଷାକ ବାବଦ ଅର୍ଥ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର