ବିନା ରକ୍ତରେ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେବ ‘ଇଜି ଚେକ୍‌’ ୧୦ ମେସିନ୍‌ ଦାନ କଲା ଏମ୍‌ଜିଏମ୍‌ ମିନେରାଲ୍ସ

ଭୁବନେଶ୍ବର: ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ ପକ୍ଷରୁ ବିଏମ୍‌ସିକୁ ୧୦ଟି ‘ଇଜି ଚେକ୍’ ମେସିନ୍‌ ଦାନ କରାଯାଇଛି। ଆଜି ସନ୍ଧ୍ୟାରେ ବିଡିଏ କନଫରେନ୍ସ ହଲରେ ଏମଜିଏମ ଫାଉଣ୍ଡେସନ ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ଓ ପଦ୍ମଲୋଚନ ମହାନ୍ତି ବିଏମସି କମିସନର ସଞ୍ଜୟ ସିଂଙ୍କୁ ଏହି ମେସିନ୍‌ ପ୍ରଦାନ କରିଛନ୍ତି। ଏହି ମେସିନ ଦ୍ବାରା ରକ୍ତହୀନତା, ଡାଇବେଟିସ୍‌ ଚିହ୍ନଟ, ଫୁସ୍‌ଫୁସ୍‌, ଯକୃତ ଏବଂ କିଡ୍‌ନିଜନିତ ସମସ୍ୟା ବିଷୟରେ ୧୦ ସେକେଣ୍ଡରେ ଜାଣିହେବ। ଏଥିପାଇଁ ଶରୀରରୁ ରକ୍ତ ନିଆଯାଇ ନଥାଏ।

ଏନେଇ ବିଏମସି କମିସନର ଶ୍ରୀ ସିଂ କହିଛନ୍ତି, ସହରର ସାଧାରଣ ଲୋକଙ୍କୁ ଏହି ମେସିନ୍‌ ସହାୟତାରେ ନିଶ୍ଚିତ ଭାବେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ହେବ। ଲୋକେ ସ୍ୱଳ୍ପ ମୂଲ୍ୟରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ପାଇବାକୁ ସକ୍ଷମ ହେବେ।। ଫାଉଣ୍ଡେସନ ନିର୍ଦ୍ଦେଶକ ଶ୍ରୀ ମହାନ୍ତି କହିଛନ୍ତି, ସଂସ୍ଥାର ସାମାଜିକ ପ୍ରତିବଦ୍ଧତାର ଅଂଶ ଭାବରେ ବିଏମସି ସହ ହାତ ମିଳାଇ ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ। ଏହି ଚିକିତ୍ସା ଉପକରଣ ଲୋକଙ୍କ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପାଇଁ ଅତ୍ୟନ୍ତ ଉପଯୋଗୀ ହେବ।

ଏଗୁଡିକ ବିଏମସି ଡାକ୍ତରଖାନା ଓ ବିଭିନ୍ନ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବହୃତ ହେବ। ଏହି ମେସିନ୍‌କୁ ତିଆରି କରିଥିବା ସଂସ୍ଥା ଇଜ୍‌ରକ୍ସ ହେଲଥ୍‌ଟେକ୍‌ ପ୍ରା ଲିଃ ପ୍ରତିଷ୍ଠାତା ତଥା ସିଇଓ ପାର୍ଥ ପ୍ରତୀମ ଦାସ ମହାପାତ୍ର ମେସିନ୍‌ର ଉପଯୋଗିତା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଥିଲେ। ସିଟି ନଲେଜ୍‌ ଇନୋଭେସନ କ୍ଲଷ୍ଟର ଅଧ୍ୟକ୍ଷ ଡା.ମୃତ୍ୟୁଞ୍ଜୟ ସୁଆର ମେସିନ୍‌ର ଆବଶ୍ୟକତା ଉପରେ କହିଥିଲେ। ଏଥିରେ ବିଏମସି ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଅତିରିକ୍ତ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଅନ୍ତର୍ଯ୍ୟାମୀ ମିଶ୍ର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର