ପ୍ରଜନନ କେନ୍ଦ୍ରରେ ଉଡ଼ିଲେ ଶାଗୁଣା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶାଗୁଣା ପ୍ରଜନନ କେନ୍ଦ୍ରକୁ ଆଜି ଗ୍ୱାଲିୟର୍‌ରୁ ୧୨ଟି ଲମ୍ବାବେକ ଶାଗୁଣା ଆସିଛନ୍ତି। ସେମାନଙ୍କ ମଧ୍ୟରେ ୬ଟି ମାଈ ଓ ୬ଟି ପୁରୁଷ ଥିବା ଜଣାଯାଇଛି। ଗତ ୨୦ ତାରିଖରେ ଗ୍ୱାଲିୟର୍‌ ଯାଇଥିବା ୭ଜଣିଆ କର୍ମଚାରୀ ଦଳ ମଙ୍ଗଳବାର ରାତିରେ ପୃଥକ୍‌ ପୃଥକ୍‌ ପେଟିରେ ଶାଗୁଣାମାନଙ୍କୁ ଧରି ନନ୍ଦନକାନନରେ ପହଞ୍ଚିଛନ୍ତି। ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶାରୁ ଲୋପ ପାଇ ଯାଇଥିବା ଶାଗୁଣା ବଂଶବୃଦ୍ଧି ଯୋଜନା ଲାଗି ଗ୍ୱାଲିୟର୍‌ ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କରୁ ଏହି ଏହି ଶବଭକ୍ଷୀ ପକ୍ଷୀମାନଙ୍କୁ ଅଣାଯାଇଛି। ଆଜି ସକାଳେ ସେମାନଙ୍କୁ ପ୍ରଜନନ କେନ୍ଦ୍ର ମଧ୍ୟରେ ଛଡ଼ାଯିବା ପରେ ନୂଆ ଜାଗାଟିରେ ସେମାନେ ଏଣେତେଣେ ଉଡ଼ି ବୁଲିଥିଲେ। କିଛି ସମୟ ପରେ ତଳେ ଓ ଭିତରେ ଥିବା ଗଛ, ଡାଳ ଓ ୬ଟି ଖଟିଆ ବାନ୍ଧି କରାଯାଇଥିବା କୃତ୍ରିମ ବସାରେ କିଛି ସମୟ ବସି ନିରୀକ୍ଷଣ କରିଥିଲେ। ପରେ ଆଶ୍ବସ୍ତ ହେବାରୁ ଜାଗାକୁ ଆପଣାଇ ନେଇଥିଲେ ଓ ସାଥୀ ବାଛି ନେଇ ପରୁଷ ଓ ମାଈ ଯୋଡ଼ି ହୋଇ ବସୁଥିବା ପରିଲକ୍ଷିତ ହୋଇଥିଲା। ତେବେ ସଂଧ୍ୟା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କେଉଁ ବସାଟି କାହାର ସ୍ଥିର କରିପାରିନଥିଲେ। ଅପରାହ୍‌ଣରେ ସେମାନଙ୍କୁ ମଇଁଷି ମାଂସ ଦିଆ ଯାଇଥିଲା। ଶାଗୁଣାମାନଙ୍କ ସବୁ ପ୍ରକାର ଗତିବିଧିକୁ ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା‌ରେ ନିରୀକ୍ଷଣ କରୁଛନ୍ତି। ଅପରପକ୍ଷେ ଏହି ଶାଗୁଣାମାନଙ୍କ ମଧ୍ୟରୁ କିଛି ପୂର୍ବରୁ ମିଳନ କରିଥିବାରୁ ଆସନ୍ତା ଜାନୁଆରି ମାସ ସୁଦ୍ଧା ଅଣ୍ତା ଦେବା ଅନୁମାନ କରାଯାଉଛି। ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ ଦାସ କହିଛନ୍ତି, ଶାଗୁଣା ପର୍ଯ୍ୟଟକମାନଙ୍କୁ ଦେଖାଇବା ସମ୍ଭବ ନୁହେଁ। ଏହା କେବଳ ପ୍ରଜନନ ଯୋଜନା ପାଇଁ ଆସିଛି। ପ୍ରଜନନ କେନ୍ଦ୍ରକୁ ପ୍ରବେଶ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର