ଭୁବନେଶ୍ୱର: ଭୁବନେଶ୍ବରରେ ମିଳିବନି ଅଣ୍ଡା ଓ ବ୍ରଏଲର୍ କୁକୁଡ଼ା ମାଂସ। ଓପୋଲ୍ଫେଡ୍ ଅଚଳାବସ୍ଥା କାରଣରୁ ଏଭଳି ସ୍ଥିତି ଦେଖାଦେଇଛି। ସମୟରେ ଟଙ୍କା ମିଳୁ ନଥିବାରୁ ଚାଷୀମାନେ ଓପୋଲ୍ଫେଡ୍କୁ କୁକୁଡ଼ା ଓ ଅଣ୍ଡା ଯୋଗାଣ ବନ୍ଦ କରି ଦେଇଛନ୍ତି। ସେପଟେ କର୍ମଚାରୀମାନେ ୬ ମାସ ହେବ ଦରମା ପାଇନଥିବାରୁ ପ୍ରତିବାଦ ଜଣାଇ ଧାରଣାରେ ବସିଛନ୍ତି। ଫଳରେ ଓପୋଲ୍ଫେଡ୍ ପରିଚାଳିତ ଫାଷ୍ଟଫୁଡ୍ ବୁଥ୍ ଓ ଚିକେନ୍ ଫ୍ରେସ୍ରେ ତାଲା ଝୁଲିଛି। ଓପୋଲ୍ଫେଡ୍ ଭୁବନେଶ୍ବରବାସୀଙ୍କ ମାଂସ ଓ ଅଣ୍ଡାର ଯେଉଁ ଦୈନିକ ଆବଶ୍ୟକତା ପୂରଣ କରୁଥିଲା, ତାହା ଗୁରୁତର ପ୍ରଭାବିତ ହୋଇଛି। କେବଳ ଭୁବନେରଶ୍ବର ନୁହେଁ, କଟକ ବି ଏହାଦ୍ବାରା ପ୍ରଭାବିତ ହୋଇଛି। ଏଠାରେ ଖୋଲିଥିବା ଓପୋଲ୍ଫେଡ୍ ବୁଥ୍ ଓ ଚିକେନ୍ ଫ୍ରେସ୍ରେ ବି ତାଲା ଝୁଲିଛି। ସେପଟେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ, ଓପୋଲ୍ଫେଡ୍ର ସ୍ଥିତିକୁ ଦିନକୁ ଦିନ ଦୁର୍ଦ୍ଦିନକୁ ନେଇଯାଉଛି।
ଓପୋଲ୍ଫେଡ୍ ବୁଥ୍, ଚିକେନ୍ ଫ୍ରେସ୍ରେ ତାଲା
ଟଙ୍କା ମିଳିନଥିବାରୁ ଚାଷୀଙ୍କ ଯୋଗାଣ ବନ୍ଦ
ଧାରଣାରେ କର୍ମଚାରୀ, ମିଳିନି ୬ ମାସର ଦରମା
ଧାନ, କ୍ଷୀର ଭଳି ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ସିଧାସଳଖ ଭଲ ଦରରେ ବ୍ରଏଲର୍ କୁକୁଡ଼ା ଓ ଅଣ୍ଡା କ୍ରୟର ବ୍ୟବସ୍ଥା କରିଛନ୍ତି। ଓପୋଲ୍ଫେଡ୍ ଜରିଆରେ ଚାଷୀଙ୍କଠାରୁ କୁକୁଡ଼ା ଓ ଅଣ୍ଡା କ୍ରୟ କରୁଛନ୍ତି। ଏହି କୁକୁଡ଼ା ମାଂସ ଓ ଅଣ୍ଡା ଓପୋଲ୍ଫେଡ୍ ଫାଷ୍ଟଫୁଡ୍ ବୁଥ୍ ଓ ଚିକେନ୍ ଫ୍ରେସ୍ ଜରିଆରେ ବିକ୍ରି କରୁଛି। ଚିକେନ୍ ଫ୍ରେସ୍ରେ କେବଳ କୁକୁଡ଼ା ମାଂସ ବିକ୍ରି କରାଯାଉଛି। କିନ୍ତୁ ବୁଥ୍ରେ ଫାଷ୍ଟଫୁଡ୍ ଖାଦ୍ୟ ପ୍ରସ୍ତୁତ କରି ଚିକେନ୍ ଓ ଅଣ୍ଡା ବିକ୍ରି କରାଯାଉଛି। ଚିକେନ୍ ଫ୍ରେସ୍ ସଂଖ୍ୟା ଦେଖିଲେ, ଭୁବନେଶ୍ବରରେ ୫ଟି ଓ କଟକରେ ଗୋଟିଏ ଚିକେନ୍ ଫ୍ରେସ୍ ରହିଛି। ସେହିଭଳି ଭୁବନେଶ୍ବରରେ ୪୦ଟି ଓ କଟକରେ ୩୩ଟି ଓପୋଲ୍ଫେଡ୍ ଫାଷ୍ଟଫୁଡ୍ ବୁଥ୍ ରହିଛି। ଦୈନିକ ପ୍ରାୟ ୧୦ରୁ ୧୨ ଟନ୍ କୁକୁଡ଼ା ମାଂସ ଓ ୧ଲକ୍ଷ ଅଣ୍ଡା ଏଠାରେ ବିକ୍ରି ହେଉଛି। କର୍ମଚାରୀ କଥା ଦେଖିଲେ, କେବଳ ଭୁବନେଶ୍ବରରେ ୩୯ଜଣ କର୍ମଚାରୀ ଓପୋଲ୍ଫେଡ୍ ଅଧୀନରେ କାମ କରୁଛନ୍ତି। ରାଜ୍ୟ ପୋଲଟ୍ରି ଟ୍ରେଡର୍ସ ମହାସଂଘର ସାଧାରଣ ସଂପାଦକ ଜ୍ୟୋତିକାନ୍ତ ମହାପାତ୍ର କହିଛନ୍ତି, ଓପୋଲ୍ଫେଡ୍ ବ୍ୟାପକ ଅନିୟମିତତା ଚାଲିଛି। ଓପୋଲ୍ଫେଡ୍ ସମୟରେ ଚାଷୀଙ୍କୁ ଟଙ୍କା ଦେଉନି। ୭ ଦିନରେ ଚାଷୀଙ୍କୁ ଟଙ୍କା ଦେବାର ନିୟମ ଥିବାବେଳେ ମାସ ମାସ ଦୌଡ଼ାଉଛି। ଏଣୁ ଚାଷୀମାନେ ଓପୋଲ୍ଫେଡ୍ ଉପରୁ ଭରସା ହରାଇ ଅଣ୍ଡା ଓ କୁକୁଡ଼ା ଯୋଗାଣ ବନ୍ଦ କରି ଦେଇଛନ୍ତି। ଏଭଳି ଅନିୟମିତତା ବିରୋଧରେ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେପଟେ କର୍ମଚାରୀମାନେ ୬ ମାସ ହେଲାଣି ଦରମା ପାଉନଥିବାରୁ ଅସହଯୋଗ ପ୍ରଦର୍ଶନ କରିଛନ୍ତି। ଓପୋଲ୍ଫେଡ୍ ନିର୍ଦ୍ଦେଶକ(ଡିଆର) ଭକ୍ତହରି ମଲ୍ଲିକ କହିଛନ୍ତି, ଗତ ୫ ମାସ ଭିତରେ ଏକାଧିକ ଥର ପରିଚାଳନା ନିର୍ଦ୍ଦେଶକ(ଏମ୍ଡି)ଙ୍କୁ ବଦଳି କରାଗଲାଣି। ଆର୍ଥିକ କାରବାରରେ ପରିଚାଳନା ନିର୍ଦ୍ଦେଶକଙ୍କ ଦସ୍ତଖତ ଆବଶ୍ୟକ ଥିବାରୁ ବାରମ୍ବାର ବଦଳି କାରଣରୁ ଟଙ୍କା ନେଣଦେଣରେ ସମସ୍ୟା ଉପୁଜୁଛି। ଏଥିପାଇଁ ଗତମାସରେ ୭ ଦିନ ବଦଳରେ କିଛିଦିନ ବିଳମ୍ବ ହୋଇଯାଇଥିଲା। ତଥାପି ଚାଷୀଙ୍କ ସମୟରେ ଟଙ୍କା ଦେବାରେ ଆଉ ସମସ୍ୟା ରହିବନି। ବାକି କର୍ମଚାରୀମାନେ ଯାହା ବ୍ୟବସାୟ ହେଉଛି, ତାର ଲାଭାଂଶରୁ ଦରମା ପାଉଛନ୍ତି। ଯେଉଁଥିପାଇଁ କିଛିଟା ସମସ୍ୟା ରହିଯାଉଛି। ତଥାପି ବୁଧବାରଠାରୁ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।