ରାଜଧାନୀରେ ଇଜିପ୍ଟ ପିଆଜ : ପାଇକାରୀ ଖସିଲା, ଖସିଲାନି ଖୁଚୁରା ଦର

ଭୁବନେଶ୍ବର : ରାଜଧାନୀରେ ପ୍ରବେଶ କଲା ଇଜିପ୍ଟ ପିଆଜ। ଫଳରେ ଦର ୧୦୦ ଟଙ୍କା ତଳକୁ ଖସିଥିବା ଜଣାପଡ଼ିଛି। ଇଜିପ୍ଟ ପିଆଜର ପାଇକାରୀ ଦର କିଲୋ ପିଛା ୮୦ ଟଙ୍କା ରହିଛି। ତେଣୁ ନାସିକ୍ ପିଆଜର ପାଇକାରୀ ଦର କିଲୋ ପିଛା ୭୦/୭୫ ଟଙ୍କାକୁ ଖସିଛି। ଇଜିପ୍ଟ ପିଆଜ ପାଇଁ ନାସିକ୍‌ ପିଆଜର ଭାଉ କମିଥିବାରୁ ଖାଉଟିଙ୍କ ମନରେ କିଛିଟା ଆଶ୍ବସ୍ତି ଆସିଛି। ମହାରାଷ୍ଟ୍ରରେ ପିଆଜ ଅମଳ ଋତୁ ପାଖେଇ ଆସୁଥିବା ବେଳେ ଇଜିପ୍ଟ ପିଆଜ ଭାରତ ବଜାରକୁ ଆସିଥିବାରୁ ଖୁବ୍ ଶୀଘ୍ର ଦରରେ ଦ୍ରୁତ ହ୍ରାସ ଘଟିବା ଆଶା କରାଯାଉଛି। ନୂଆବର୍ଷ ପ୍ରଥମ ସପ୍ତାହ ସୁଦ୍ଧା ଆଖିଦୃଶିଆ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।

କୁବେରପୁରୀରୁ ମିଳିଥିବା ତଥ୍ୟ ଅନୁସାରେ ଇଜିପ୍ଟ ପିଆଜ କମ୍ ପରିମାଣର ଆସୁଛି। ଛତିଶଗଡ଼ ରାୟପୁର ମଣ୍ଡିରୁ କିଛି ବ୍ୟବସ‌ାୟୀ ପରୀକ୍ଷାମୂଳକଭାବେ ଭୁବନେଶ୍ବର ବଜାରକୁ ଆଣିଛନ୍ତି। ଆଜି ପ୍ରାୟ ୩୨ ଟନ୍‌ ପାଖାପାଖି କୁବେରପୁରୀକୁ ଆସିଛି। ଏହି ପିଆଜର ଆକାର ବେଶ୍ ବଡ଼ ହୋଇଥିବାରୁ ଖାଉଟି ଏହାକୁ କିଭଳି ଗ୍ରହଣ କରିବେ, ତାହା ଜଣାପଡ଼ିନାହିଁ। ଏମିତିକି ଗୋଟିଏ ପିଆଜ ଓଜନ ଅଧ କିଲୋଠାରୁ ଅଧିକ ରହୁଛି। ହୋଟେଲ ଭଳି ସଂସ୍ଥା ପାଇଁ ଏହି ପିଆଜ ବେଶ୍ ଲାଭ ଦାୟକ। ମାତ୍ର ଏବେ ଚାଲିଥିବା ବର୍ଧିତ ଦରରେ ସାଧାରଣ ଖାଉଟି ଏହି ପିଆଜ ପ୍ରତି ଆଗ୍ରହୀ ହେବା ସମ୍ଭାବନା କମ୍। ତେଣୁ ଅଧିକ ଆମଦାନି କଲେ କ୍ଷତି ସହିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଇଜିପ୍ଟ ପିଆଜ ପାଇଁ ନାସିକ୍‌ ପିଆଜ ଦର ମଧ୍ୟ କମିଛି। ଆଜି କୁବେରପୁରୀରେ ନାସିକ୍‌ ପିଆଜର ପାଇକାରୀ ଦର କିଲୋ ପିଛା ୭୦/୭୫ ଟଙ୍କା ହୋଇ ଯାଇଛି। ଗତ ଦୁଇ ଦିନ ପୂର୍ବେ ଏହା ୯୦/୧୦୦ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ ପିଆଜ କିଲୋ ୧୦୦ ଟଙ୍କା ତଳକୁ ଖସୁନଥିଲା। ତେବେ ପାଇକାରୀ ଦର ହ୍ରାସ ପାଇଥିବା ସତ୍ତ୍ବେ ଆଜି ଖୁଚୁରା ବଜାରରୁ ପିଆଜ ତାତି କମିନଥିବା ଜଣାପଡ଼ିଛି। ସୋମବାର କ୍ୟାପିଟାଲ ହାଟ ବନ୍ଦ ରହିବା ମଉକାରେ ରାଜଧାନୀରେ ପ୍ରାୟ ସବୁ ହାଟରେ ପିଆଜ ଦର ପୂର୍ବଭଳି ୧୦୦ ଟଙ୍କା ଉପରେ ରହିଥିଲା। ଏମିତିକି ଇଜିପ୍ଟ ପିଆଜକୁ ଖୁଚୁରା ବଜାରରେ କିଲୋ ପିଛା ୧୩୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି। ପାଇକାରୀ ଦର ୮୦ ଟଙ୍କାରେ କିଣି ଖୁଚୁରା ‌ବେପାରୀମାନେ କିଲୋ ପିଛା ୫୦ ଟଙ୍କା ମୁନାଫା ରଖି ଖାଉଟିଙ୍କୁ ଶୋଷିଛନ୍ତି। ସେହିଭଳି ନାସିକ୍ ପିଆଜ କିଲୋକୁ ୭୦/୭୫ ଟଙ୍କାରେ କିଣି ଖୁଚୁରା ବେପାରୀମାନେ ଖାଉଟିଙ୍କୁ ୧୦୦/୧୧୦ ଟଙ୍କା ଦରରେ ବିକିଛନ୍ତି। ଯୋଗାଣ ବିଭାଗ ଶୋଇପଡ଼ିଥିବାରୁ ଖୁଚୁରା ବେପାରୀମାନେ ବେଧଡ଼କ ଖାଉଟିଙ୍କୁ ଶୋଷଣ କରି ଚାଲିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର