ରାଜଧାନୀରେ ଇଜିପ୍ଟିଆନ ଶାଗୁଣା

ଭୁବନେଶ୍ବର : ଯେବେ କରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବ ଘରେ ରହି ଲଢ଼ୁଛି, ଶୂନଶାନ୍‌ ସହର ଭିତରେ ଏବେ ବିରଳ ପକ୍ଷୀମାନଙ୍କୁ ଦେଖିବାକୁ ମିଳିଲାଣି। ନିକଟରେ କଳିଙ୍ଗ ଷ୍ଟାଡିୟମ୍‌ ନିକଟରେ ବିରଳ ଶାଗୁଣାକୁ ଦେଖିବାକୁ ମିଳିଛି। ଶାଗୁଣାଟି ଇଜିପ୍ଟିଆନ ଶାଗୁଣା ପ୍ରଜାତିର। କିଛି ଜନ୍ତୁପ୍ରେମୀ ଲୋକେ ଷ୍ଟାଡିୟମ ନିକଟରେ ପକ୍ଷୀଟିକୁ ଦେଖିବା ପରେ ହିଂସ୍ରଜନ୍ତୁଙ୍କ ଉପରେ ଗବେଷଣା କରୁଥିବା ସଂଗଠନ ‘ଗ୍ରୋ ୱିଥ୍‌ ନେଚର’କୁ ଖବର ଦେଇଥିଲେ। ଖବର ପାଇ ସଂଗଠନର ସଦସ୍ୟମାନେ ପହଞ୍ଚିଥିଲେ। ସେତେବେଳକୁ ସ୍ଥାନୀୟ ଲୋକେ ଶାଗୁଣାଟିକୁ ଉଦ୍ଧାର କରିସାରିଥିଲେ।

ଏପ୍ରିଲ୍‌ ୩୦ ତାରିଖରେ ଏହି ବିରଳ ପ୍ରଜାତି ଶାଗୁଣା ଦେଖାଯାଇଥିଲା। ଏହାକୁ ମେ’ ୧ରେ ଉଦ୍ଧାର କରାଯିବା ସହ ମେଡିକାଲ୍‌ ଚେକ୍‌-ଅପ୍‌ ପାଇଁ ଭୁବନେଶ୍ବର ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଥିଲା। କିଛି ଦିନ ପର୍ଯ୍ୟବେକ୍ଷଣରେ ରଖାଯିବା ପରେ ଶାଗୁଣାଟିକୁ ମେ’ ୫ ତାରିଖରେ ଚନ୍ଦକା ଡମପଡ଼ାରେ ଛଡ଼ା ଯାଇଥିଲା ବୋଲି ବନ୍ୟଜନ୍ତୁ ଗବେଷିକା ତଥା ଗ୍ରୋ ୱିଥ୍‌ ନେଚରର ଗାୟତ୍ରୀ ଦେବୀ ସୂଚନା ଦେଇଛନ୍ତି। ଭାରତରେ ଦେଖାଯାଉଥିବା ୯ଟି ବିରଳ ଶାଗୁଣା ପ୍ରଜାତି ମଧ୍ୟରୁ ଇଜିପ୍ଟିଆନ ଶାଗୁଣା ଅନ୍ୟତମ। ଯଦିଓ ଏହା ଓଡ଼ିଶାରେ ପ୍ରାୟତଃ ଦେଖାଯାଏ ନାହିଁ, ମାତ୍ର ୨୦୧୩ରୁ ୨୦୧୬ ମସିହା ମଧ୍ୟରେ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ଏହା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର