‘ଇଦ୍‌ ମୁବାରକ୍‌’: ସମୂହ ନମାଜ ପାଠରେ କମ୍ପିଲା ମସଜିଦ୍‌

ଭୁବନେଶ୍ୱର: ‘ଇଦ୍‌ ମୁବାରକ୍‌’। ୨ ବର୍ଷ ପରେ ମୁସଲମାନ ସମ୍ପ୍ରଦାୟର ଅନନ୍ୟ ପର୍ବ ଇଦ୍‌ ଅବସରରେ ସାରା ରାଜଧାନୀରେ ଗୁଞ୍ଜରି ଉଠିଥିଲା ଏହି ଧ୍ୱନି। କରୋନା ଯୋଗୁଁ ୨ ବର୍ଷ ହେଲା ନିରବ ଥିବା ମସ୍‌ଜିଦ୍‌ ଓ ଇଦ୍‌ଗାହ ପଡ଼ିଆ ଆଜି କୋଳାହାଳରେ ଭରିଯାଇଥିଲା। ମୁସଲମାନ୍‌ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ। ମୋଟ୍‌ ଉପରେ ଆଜି ଏଭଳି ଥିଲା ରାଜଧାନୀ‌ରେ ଥିବା ସବୁ ମସଜିଦ୍‌ର ଦୃଶ୍ୟ।

ସରିଯାଇଛି ରମ୍‌ଜାନ୍‌ ମାସ। ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୬.୨୫ଟାରେ ଚାନ୍ଦ ଦେଖିବା ପରେ ଆଜି ‘ଇଦ୍‌’ ପାଳିତ ହୋଇଥିଲା। ସକାଳୁ ନିତ୍ୟକର୍ମ ସାରି ନୂଆ ପୋଷାକ ପିନ୍ଧି ମସ୍‌ଜିଦ୍‌ ଯିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଯାଇଥିଲେ। ସକାଳ ପ୍ରାୟ ୮ଟା ସୁଦ୍ଧା ସହରର ସମସ୍ତ ମସ୍‌ଜିଦ୍‌ ଲୋକାରଣ୍ୟ ହୋଇଯାଇଥିଲା। ସକାଳ ୯ଟାରୁ ୧୦ଟା ମଧ୍ୟରେ ବିଭିନ୍ନ ମସ୍‌ଜିଦ୍‌ ଓ ଇଦ୍‌ଗାହ ପଡ଼ିଆରେ ସମୂହ ନମାଜ ପାଠ କରାଯାଇଥିଲା। ଏଥିପାଇଁ ପ୍ରତି ମସ୍‌ଜିଦ୍‌ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ୟୁନିଟ୍‌-୩ସ୍ଥିତ ଜାମା ମସ୍‌ଜିଦ୍‌, ୟୁନିଟ୍‌-୪ କ୍ୟାପିଟାଲ ମସ୍‌ଜିଦ୍‌, ଝାରପଡ଼ା, ସୁନ୍ଦରପଦା, ଝରଣା ସାହି, ଯଦୁପୁର, ୟୁନିଟ୍‌-୮, ସତ୍ୟନଗର, ଶିଖରଚଣ୍ଡି, ବାଲିଅନ୍ତା, କଟକରୋଡ୍‌ ଓ ସିଆର୍‌ପିଏଫ୍‌ ବାଟାଲିଅନ୍‌ରେ ଥିବା ବିଭିନ୍ନ ମସ୍‌ଜିଦ୍‌ ଓ ଇଦ୍‌ଗାହମାନଙ୍କରେ ସମୂହ ନମାଜ ପାଠ କରାଯାଇଥିଲା। ଇସ୍‌ଲାମ୍‌ ଧର୍ମର ତାତ୍ତ୍ୱିକ କଥାକୁ ବଖାଣିଥିଲେ ଇମାମ୍‌। ଏକ ଘଣ୍ଟା କାଳ ଧର୍ମଚର୍ଚ୍ଚା ହୋଇଥିଲା। ପରେ ପବିତ୍ର ସମୂହ ନମାଜ ପାଠ କରାଯାଇଥିଲା। ଶେଷରେ ପିଲାଠାରୁ ବୟସ୍କ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍‌ ମୁବାରକ୍‌’ ଜଣାଇଥିଲେ।

ସମ୍ବନ୍ଧିତ ଖବର