ଭୁବନେଶ୍ୱର : ରାତି ପାହିଲେ ଇଦ୍। ମୁସଲ୍୍ମାନ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ପର୍ବ। ଗୋଟିଏ ପଟେ ସହରରେ ରଜ ପର୍ବର ହସ ଉଲ୍ଲାସମୟ ପରିବେଶ ପୁଣି ଅନ୍ୟପଟେ ରାତି ପାହିଲେ ‘ଇଦ୍’ ହୋଇଥିବାରୁ ସମସ୍ତ ମସ୍ଜିଦ୍ରେ ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏବେଠୁ ରାଜଧାନୀର ସମସ୍ତ ମସ୍ଜିଦ୍ ସଜେଇ ହେଲେଣି। ପବିତ୍ର ରମ୍ଜାନ୍ ମାସର କଠୋର ଉପବାସର ଅବସାନ ଘଟିଛି। ଏଥିପାଇଁ ମୁସଲ୍ମାନ ଭାଇ ଭଉଣୀମାନେ ବେଶ୍ ଉତ୍ସାହିତ। ନୂଆ ପୋଷାକ ପିନ୍ଧି ଆସନ୍ତା କାଲି ସମସ୍ତେ ମସ୍ଜିଦ୍ ଓ ଇଦ୍ଗାହରେ ସମବେତ ହେବେ। ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍ ମୁବାରକ୍’ ଶୁଭେଚ୍ଛା ଜଣାଇବେ। କିଏ କ’ଣ ଖାଇବେ, ବନ୍ଧୁ ପରିଜନଙ୍କ ସହ ସମୟ କେମିତି କାଟିବେ ସେ ନେଇ ଯୋଜନା ଚାଲିଛି। ଖାଲି ସେତିକି ନୁହେଁ ଇଦ୍ ଖାଦ୍ୟର ଚାହିଦାକୁ ମେଣ୍ଟାଇବା ପାଇଁ କିଛି ମସ୍ଜିଦ୍ ବାହାରେ ବ୍ୟବସାୟୀମାନେ ପସରା ବି ମେଲିଛନ୍ତି। ବେପାର ବି ବେଶ୍ ଜମୁଛି।
ଆସନ୍ତାକାଲି ସକାଳେ ସମସ୍ତେ ମସ୍ଜିଦ୍ ଓ ଇଦ୍ଗାହରେ ସମବେତ ହେବେ। ସମୂହ ନମାଜ ପାଠ ହେବ। ଜାତି ଧର୍ମ ନିର୍ବିଶେଷରେ କିଛି ଅସହାୟଙ୍କୁ ନିଜ ସାଧ୍ୟ ମୁତାବକ ଦାନ କରି ଆଲ୍ଲାଙ୍କ ନିର୍ଦ୍ଦେଶ ପାଳନ କରିଥାନ୍ତି। ଏହାକୁ ‘ଜକାତ୍’ ଓ ‘ଫିତରା’ କୁହାଯାଇଥାଏ। ସାଧାରଣତଃ ଏହି ଦାନ କାର୍ଯ୍ୟ ରମ୍ଜାନ୍ ମାସରେ ଶେଷ କରିବାକୁ ପଡ଼ିଥାଏ। ଯଦି ଏହା କାହାର ବାକି ରହିଯାଇଥାଏ ତେବେ ଆସନ୍ତା କାଲି ନମାଜ ପାଠ ପୂର୍ବରୁ ଏହି ଦାନ ଧର୍ମ ଶେଷ କରିବାକୁ ପଡ଼େ ବୋଲି ୟୁନିଟ୍-୩ ଜାମା ମସ୍ଜିଦ୍ର ସଭାପତି ମହମ୍ମଦ୍ ଶାହ ନଓ୍ଵାଜ କହିଛନ୍ତି। ନିୟମାନୁସାରେ ବର୍ଷ ସାରାର ଆୟର ୨.୫% ଅଂଶଧନ ପ୍ରତ୍ୟେକ ମୁସଲ୍ମାନ୍ ଭାଇଙ୍କୁ ଦାନ କରବାକୁ ପଡ଼ିଥାଏ, ଏହାକୁ ‘ଜକାତ୍’ କୁହାଯାଏ। ସେହିପରି ସେହି ବର୍ଷର ଗହମର ଦାମ୍ ଅନୁଯାୟୀ ଅଢ଼େଇ କିଲୋ ଗହମର ଦାମ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତରଫରୁ ଦିଆଯାଇଥାଏ। ଏହାକୁ ‘ଫିତରା’ କୁହାଯାଏ।