ଇଦ୍‌ ମିଳନ ଉତ୍ସବ

ଭୁବନେଶ୍ବର: ଖ୍ବାଜା ମେ‌ରେ ଖ୍ବାଜା…, ପିଆ ହାଜି ଅଲ୍ଲୀ, ହମେ ତୋ ଲୁଟଲିଆ…, ଇହ୍ନି ଲୋଗୋ ନେ’…, ଦୁଲ୍‌ହୈ କା ସେହରା… ଏବଂ ପରଦା ହୈ ପରଦା… ଆଦି ସୁଫି ସଙ୍ଗୀତ ପରିବେଶକୁ ଆମୋଦିତ କରିଥିଲା। ରଙ୍ଗିନ୍‌ ଆଲୋକ, ମନମୁଗ୍ଧକର ସଙ୍ଗୀତ ଏବଂ ମୁସଲ୍‌ମାନ୍‌ ସମ୍ପ୍ରଦାୟର ସୁନ୍ଦର ଓ ଆକଷର୍ଣୀୟ ସାଜସଜ୍ଜା ରାଜକୀୟ ଅନୁଭବ ଦେଉଥିଲା। ସବୁ ସମ୍ପ୍ରଦାୟର ବ୍ୟକ୍ତି ଏଠାରେ ଏକାଠି ହୋଇ ପରସ୍ପରକୁ ଇଦ୍‌-ମୁବାରକ୍‌ର ଶୁଭେଚ୍ଛା ଜଣାଉଥିଲେ। ଅବସର ଥିଲା ‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ)’ ପକ୍ଷରୁ ସତ୍ୟନଗରସ୍ଥିତ ‘ଓଡ଼ିଶା ଦୃଷ୍ଟିହୀନ ସଂଘ’ଠାରେ ଆୟୋଜିତ ‘ଇଦ୍‌ ମିଳନ ଉତ୍ସବ’ର। ଇଦ୍‌-ଉଲ୍‌-ଜୁହା ଉପଲକ୍ଷେ କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଉତ୍ସବରେ କଣ୍ଠଶିଳ୍ପୀ ହସନ ନିଜାମି, ମହମ୍ମଦ ଆବିଦ, ସୌକଦ ରସିଦ, ଦେବ ଆନନ୍ଦ, ଚନ୍ଦ୍ରିକା ନାୟକ, ଶର୍ମିଳା ସିଂହ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। କାପୋକର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ଉପଦେଷ୍ଟା ହୁସେନ୍‌ ରବି ଗାନ୍ଧୀ, ସଭ୍ୟ ଦିଲ୍ଲୀପ ନାୟକ, ସଂଘମିତ୍ରା ଦାସ, ସୁବ୍ରତ ପାଇକରାୟ, ଲଲାଟ ସାହୁ, ପ୍ରଦୀପ ମହାନ୍ତି ଓ ମାନସ ରଥ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର