ରାଜଧାନୀରୁ ସାଢ଼େ ୬ ଟନ୍‌ ଇ-ବର୍ଜ୍ୟ ସଂଗ୍ରହ: ବଢ଼ୁଛି ସଚେତନତା, କମୁଛି ପ୍ରଦୂଷଣ

ଭୁବନେଶ୍ବର: ବିଏମ୍‌ସିର ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ସଫଳ ରୂପ ନେଉଛି। ଦୁଇ ମାସ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନର ୬ଟି ଶନିବାରରେ ପାଖାପାଖି ସାଢ଼େ ୬ ମେଟ୍ରିକ୍‌ ଟନ୍‌ ଇ-ବର୍ଜ୍ୟ ସଂଗ୍ରହ କରାଯାଇଛି। ଅର୍ଥାତ ପ୍ରତି ଶନିବାର ପାଖାପାଖି ଏକ ମେଟ୍ରିକ୍‌ ଟନ୍‌ ଇ-ବର୍ଜ୍ୟ ଲୋକଙ୍କ ପାଖରୁ ଆସୁଛି। ଆଗରୁ କମ୍ପ୍ୟୁଟର୍‌, ତାର, ଟ୍ରିମର, ଖେଳଣା ଭଳି ଅନେକ ଜିନିଷ ଖରାପ ହେବା ପରେ ମଧ୍ୟ ଲୋକେ ତାକୁ ଘରେ ପକାଇ ରଖୁଥିଲେ। ଇ-ବର୍ଜ୍ୟକୁ ଲୋକ ସହଜରେ ଫୋପାଡ଼ୁ ନଥିଲେ। ଭାଙ୍ଗି ଯାଇଥିବା ବା ନଷ୍ଟ ହୋଇଥିବା ଜାଣିବା ପରେ ବି ତାକୁ ଘରର କୌଣସି କୋଣ ହେଉ କିମ୍ବା ଷ୍ଟୋର୍‌ ରୁମ୍‌‌ରେ ଗଦାଉଥିଲେ। ଯେଉଁଗୁଡ଼ିକ ଅତ୍ୟନ୍ତ ଅଦରକାରୀ ହୋଇପଡ଼ୁଥିଲା, ତାକୁ ଘର ବାହାର ବା ନାଳ ନର୍ଦ୍ଦମାରେ ଫୋପାଡ଼ି ଦେଉଥିଲେ। ବିଶେଷକରି ପ୍ଲାଷ୍ଟିକ୍‌ ନିର୍ମିତ ହୋଇଥିବାରୁ ଏହା ନଷ୍ଟ ହୋଇନପାରି ଡ୍ରେନ୍‌ରେ ଜମା ହୋଇ ଜଳ ନିଷ୍କାସନରେ ବାଧକ ସାଜୁଥିଲା। ପ୍ରଦୂଷଣ ମଧ୍ୟ ସୃଷ୍ଟି କରୁଥିଲା। ହେଲେ ବିଏମ୍‌ସିର ଏହି ଅଭିଯାନ ଆରମ୍ଭ ହେବା ପରେ ଅଧିକରୁ ଅଧିକ ଲୋକ ସଚେତନ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରତି ୱାର୍ଡର ଲୋକଙ୍କ ପାଖରେ ପହଞ୍ଚି ପାରିଛି। ବିଏମ୍‌ସିର ଯେଉଁ କର୍ମଚାରୀମାନେ ପ୍ରତିଦିନ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରୁଛନ୍ତି, ସେହି କର୍ମଚାରୀମାନେ କେବଳ ପ୍ରତି ଶନିବାର ଘରକୁ ଘର ବୁଲି ଏହି ଇ-ବର୍ଜ୍ୟ ସଂଗ୍ରହ କରୁଛନ୍ତି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର