ଫୁଲନଖରା : ୮ ଚେନ୍‌ ଲୁଟେରା ଗିରଫ, ବନ୍ଧୁକ, ୩ ବାଇକ୍‌ ଓ ୬ଲକ୍ଷ ଟଙ୍କାର ସୁନା ଜବତ

ଫୁଲନଖରା : କଟକ ସଦର ଥାନା ହାତରେ ୮ ଜଣିଆ ଚେନ୍‌ ଲୁଟେରା ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି। ସେମାନେ ହେଲେ, ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ମାନସ ଲେଙ୍କା(୨୮), କଟକ ତେନ୍ତୁଳିନାଳୀ ଗ୍ରାମର ଧନେଶ୍ବର ପ୍ରଧାନ (୨୮) ଓରଫ ଧନୁଆ, ନନ୍ଦନକାନନ ଥାନା ଅଧୀନ ବାଲିପଡ଼ାର ସଂଗ୍ରାମ ରାଉତ(୩୧) ଓରଫ କଟାସ, ବାଲିଅନ୍ତା ଥାନା ଅଧୀନ ଅଟଳାର ଜଗନ୍ନାଥ ଭୋଇ(୨୬) ଓରଫ ଜଗା, ନୟାଗଡ଼ ରଗଡ଼ିପଡ଼ାର ପ୍ରଦୀପ ବେହେରା(୩୫), ବାରଙ୍ଗ ଥାନା ଦାଢ଼ାପାଟଣା ଗ୍ରାମର ବୈଦ୍ୟନାଥ ସାହୁ(୩୭) ଓରଫ ବଣିଆ, ଲକ୍ଷ୍ମୀସାଗର ଅଞ୍ଚଳର କାମିନୀକାନ୍ତ ରଣା(୩୪) ଓରଫ ଛୋଟୁ ଓ କଟକ ମଙ୍ଗଳାବାଗ ଥାନା ଅଧୀନ ବଣିଆସାହିର ବେପାରୀ ଦିଲ୍ଲୀପ କୁମାର ମହାରଣା। ଏମାନଙ୍କ ନିକଟରୁ ପୁଲିସ ପ୍ରାୟ ୬ଲକ୍ଷ ଟଙ୍କା ମୂଲ୍ୟର ୧୨୦ ଗ୍ରାମର ସୁନା, ଗୋଟିଏ ବନ୍ଧୁକ ଓ ୩ଟି ବାଇକ୍‌ ଜବତ କରିଛି।

ସୂଚନାନୁଯାୟୀ, ଗତ ୫ ତାରିଖ ସଂଧ୍ୟା ପ୍ରାୟ ସାଢ଼େ ୬ଟା‌ରେ କଟକ ବିଡ଼ାନାସୀ ଅଞ୍ଚଳର ସତ୍ୟରଂଜନ ନାୟକ ମା’ଙ୍କ ସହ ଭୁବନେଶ୍ବରରୁ ଫେରୁଥିଲେ। ବମ୍ଫକୁଦ ନିକଟରେ ଦୁଇ ଲୁଟେରା ତାଙ୍କ ମା’ଙ୍କ ବେକରୁ ସୁନା ଚେନ୍‌ ଛିନତାଇ କରି ଫେରାର୍‌ ହୋଇଯାଇଥିଲେ। ଛିନ୍‌ତାଇ ସମୟରେ ସତ୍ୟରଂଜନଙ୍କ ମା’ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ଏ ସଂକ୍ରାନ୍ତରେ କଟକ ସଦର ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ଏହି ଲୁଟେରା ଗ୍ୟାଙ୍ଗ୍‌ କଟକ ‌ଲିଙ୍କରୋଡ୍‌, କଟକ-ଭୁବ‌ନେଶ୍ବର ରାସ୍ତା, ପୁରୀ ବାଇପାସ୍‌, କଟକ-ପାରାଦୀପ ରାସ୍ତା, ଜଗତପୁର ମଙ୍ଗୁଳି ଚୌଦ୍ବାରା ରାସ୍ତା ଆଦି ଅଞ୍ଚଳରେ ଛିନତାଇ କରିଥା’ନ୍ତି। ଲୁଟ୍‌ ସମୟରେ ଟଣାଓଟରା ଓ ଗାଡ଼ି ପଡ଼ିଯିବା କାରଣରୁ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ୭ ଲୁଟେରାଙ୍କ ନାମରେ କଟକ, କଟକ ସଦର, ଭୁବେନେଶ୍ବର, ଖୋର୍ଦ୍ଧା ଆଦି ଥାନାମାନଙ୍କରେ ଏକାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ମୁନା ନାମରେ ୧୭ଟି ମାମଲା ଥିବା ବେଳେ ଧନୁଆ ନାମରେ ୯, କଟାସ ନାମରେ ୧୨, ଜଗା ନାମରେ ୮, ବଣିଆ ନାମରେ ୩, ଦିଲ୍ଲୀପ ନାମରେ ୪ ଓ ଛୋଟୁ ନାମରେ ୩ ମାମଲା ରହିଛି।

ଏ ସମସ୍ତ ଲୁଟେରାଙ୍କ ସମେତ ବେପାରୀକୁ ଆଜି କଟକ ସଦର ଥାନା ପୁଲିସ ଗିରଫ କରିଛି। ସମସ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର