କ୍ୟାପିଟାଲ ହସ୍ପିଟାଲରୁ ୮ ପଜିଟିଭ୍, ଆଜି ଉଦ୍‌ଘାଟିତ ହେବ ପ୍ଲାଜମା ବ୍ୟାଙ୍କ୍

ରାଜଧାନୀରେ ଆଉ ଏକ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ହସ୍ପିଟାଲରୁ ୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ଜଣେ ହସ୍ପିଟାଲର କର୍ମଚାରୀ ଓ ଅନ୍ୟମାନେ ରୋଗୀ ବୋଲି ଜଣାପଡ଼ିଛି। ଗତକାଲି ମଧ୍ୟ ହସ୍ପିଟାଲରୁ ୮ଜଣ ରୋଗୀ ଚିହ୍ନଟ ହୋଇଥିଲେ। ହସ୍ପିଟାଲର କର୍ମଚାରୀଜଣକ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସଙ୍ଗରୋଧରେ ରହିଥିଲେ। ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠା ଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାବାଦ୍ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ହୋଇଥିବା ପରୀକ୍ଷାରେ ୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆସନ୍ତାକାଲି ହସ୍ପିଟାଲରେ ପ୍ଲଜମା ବ୍ୟାଙ୍କ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏସ୍‌ସିବି ମେଡିକାଲ କଲେଜ ସମେତ ୩ଟି କୋଭିଡ୍‌ ହସ୍ପିଟାଲରେ ଏହା କାର୍ଯ୍ୟକ୍ଷମ କରାଯାଇଛି। ଆଗକୁ ଏମ୍‌କେସିଜି ମେଡିକାଲ କଲେଜ ସମେତ ଅନ୍ୟ ୪ଟି ସ୍ଥାନରେ ଏହି ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି।

ରାଜଧାନୀରେ ଆଉ ଏକ କୋଭିଡ୍‌ ହସ୍ପିଟାଲ
ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ଆଉ ଏକ କୋଭିଡ ହସ୍ପିଟାଲ ଖୋଲିଛି। ଚନ୍ଦ୍ରଶେଖରପୁରସ୍ଥିତ ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ଓ ବିଏମ୍‌ସି ମଧ୍ୟରେ ଆଜି ଏନେଇ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ଆଜି ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏହି ୧୫୦ ଶଯ୍ୟା ହସ୍ପିଟାଲରେ ୩୦ଟି ଆଇସିୟୁ ଓ ୨୧ଟି ଏଚ୍‌ଡିୟୁ ଶଯ୍ୟା ରହିଛି। ଏଠାରେ ଅଧିକ ଗୁରୁତର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ମିଳିବ ବୋଲି କୁହାଯାଇଛି। ଏହି ହସ୍ପିଟାଲ ତୁରନ୍ତ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ପାଇଁ ୩୫୨୧ଟି ଶଯ୍ୟା, ୧୧୫ଟି ଆଇସିୟୁ ଏବଂ ୨୧ଟି ଏଚ୍‌ଡିୟୁ ଉପଲବ୍ଧ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର