ପୁଣି ୮ ବିଦ୍ରୋହୀ ବିଜେଡିରୁ ବିଦା, ନିଲମ୍ବନ ସଂଖ୍ୟା ୧୫ରେ ପହଞ୍ଚିଲା

ୱାର୍ଡ ୪ରେ ସର୍ବାଧିକ କାର୍ଯ୍ୟାନୁଷ୍ଠାନ, ସ୍ବାକ୍ଷର, ରଶ୍ମିରେଖାଙ୍କୁ କାଢ଼ିଦେଲା ଦଳ

ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଲଗାତାର ଦୁଇ ଦିନରେ ବିଜେଡି ୮ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ଭୁବନେଶ୍ବରରେ ୭ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏବେ ଏହି ସଂଖ୍ୟା ୧୫ରେ ପହଞ୍ଚିଛି। ଏଭଳି ଦଳ ବିରୋଧୀ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ଚିହ୍ନଟ ଚାଲିଥିବାରୁ କାର୍ଯ୍ୟାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ୩ ଜଣ ସମ୍ପାଦକଙ୍କୁ ଭୁବ‌ନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ନିଲମ୍ବିତ କରିଛନ୍ତି। ସେମାନେ ହେଉଛନ୍ତି, ୱାର୍ଡ ନମ୍ବର ୪ର ସ୍ବାକ୍ଷର ରଞ୍ଜନ ମହାନ୍ତି, ୧୪ ନମ୍ବରର ରଶ୍ମିରେଖା ଜେନା ଓ ୧୫ ନମ୍ବର ୱାର୍ଡର ଅଶୋକ ରାଜ। ସ୍ବାକ୍ଷର ଦଳର ସମ୍ପାଦକ ଥାଇ ବିଜେଡି ପ୍ରାର୍ଥୀ ଅକ୍ଷୟ କୁମାର ଲେଙ୍କାଙ୍କ ବିରୋଧରେ କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ୧୪ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥିନୀ ମୋନାଲିସା ସାହୁଙ୍କ ବିରୋଧରେ ରଶ୍ମିରେଖା ସ୍ବାଧୀନ ଭାବେ ଲଢ଼ୁଛନ୍ତି। ୱାର୍ଡ ନମ୍ବର ୧୫ରେ ବିଜେଡି କର୍ପୋରେଟର ପ୍ରାର୍ଥିନୀ ରାଜଲକ୍ଷ୍ମୀ ବେହେରାଙ୍କ ବିରୋଧରେ ଅଶୋକ ରାଜଙ୍କ ପତ୍ନୀ ପିଙ୍କି ସ୍ବାଇଁ ସ୍ବାଧୀନ ଭାବେ ଲଢ଼ୁଛନ୍ତି। ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଦଳର ଯୁଗ୍ମ ସମ୍ପାଦକ ଦୀପକ ସାମନ୍ତରାୟଙ୍କୁ ନିଲମ୍ବିତ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି। ବିଜୁ ମହିଳା ଜନତା ଦଳରୁ ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ୩ ଜଣଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଉଛନ୍ତି, ଉପସଭାନେତ୍ରୀ ୱାର୍ଡ ନମ୍ବର ୪ର ଝରଣା ମଲ୍ଲିକ, କାର୍ଯ୍ୟକାରୀ ସଦସ୍ୟା ଜୟନ୍ତୀ ବେହେରା ଓ ୱାର୍ଡ ନମ୍ବର ୧୩ରୁ ସମ୍ପାଦିକା ବିଣାପାଣି ଦାସ। ଏମାନେ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ସମର୍ଥନ କରୁଥିବାରୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେହିଭଳି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଯୁଗ୍ମ ସମ୍ପାଦକ ବିକାଶ ତରେଇଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର