ଜଟଣୀ: ଭାବର ମିଳନ ହେଉଛି ସାହିତ୍ୟ। ଏହାର ସ୍ବରୂପ ଓ ରୂପ ମଧ୍ୟ ଭିନ୍ନ। ଯଦି ଯୁବପିଢ଼ି ସାହିତ୍ୟ ପାଇଁ ଆଗକୁ ନ ଆସିବେ, ତାହେଲେ ସାହିତ୍ୟ ଆଗକୁ ବଢ଼ିବ ନାହିଁ। ସାହିତ୍ୟର ପ୍ରତିଟି ବିଭବକୁ ‘ସମ୍ବାଦ ସାହିତ୍ୟଘର’ ମାଧ୍ୟମରେ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇ ପାରିଲେ ଓଡ଼ିଆ ଭାଷାର ଶୁଦ୍ଧତା ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଜଟଣୀ ‘ସମ୍ବାଦ ସାହିତ୍ୟଘର’ର ଅଷ୍ଟମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ୟଙ୍ଗକବି ଜ୍ଞାନ ହୋତା କହିଛନ୍ତି। ୱେଲକମ୍ ଗେଷ୍ଟହାଉସ ପରିସରରେ ସାହିତ୍ୟଘରର ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ହୋତା ଯୋଗଦେଇ କହିଛନ୍ତି ଯେ ଯୁବପିଢ଼ି ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ଆଗ୍ରହୀ ନହେଲେ, ଓଡ଼ିଆ ସାହିତ୍ୟ ପ୍ରଭାବିତ ହେବ।
ପ୍ରଭେଦ ନଦେଖି ଆଗକୁ ବଢ଼ିବାକୁ ହେବ: ଶୁଭଶ୍ରୀ ଲେଙ୍କା
ମୁଖ୍ୟବକ୍ତାଭାବେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ ଜଟଣୀ‘ସମ୍ବାଦ ସାହିତ୍ୟଘର’ର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଡ. ଲେଙ୍କା କହିଥିଲେ ଯେ ଭାରତବର୍ଷରେ ନାରୀ ସମସ୍ୟା ଏକାପରି। ଏହି ଅବସରରେ ଡ. ଲେଙ୍କା ବୁକର ପୁରସ୍କାର ବିଜୟିନୀ ବାନୁ ମୁସ୍ତାକଙ୍କ ‘ହାର୍ଟ ଲ୍ୟାମ୍ପ୍’ ପୁସ୍ତକର ଉଦାହରଣ ଦେଇ କହିଥିଲେ ଯେ ନାରୀ, ସେତେବେଳେ ଜଳୁଥିଲା, ଆଜି ବି ଜଳୁଛି। ତେଣୁ ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନାରୀର ଦୁଃଖ ସମାନ। ତେଣୁ ସମାଜରୁ ଏହି ନାରୀ-ପୁରୁଷ ମଧ୍ୟରେ ଥିବା ଭେଦଭାବ ଦୂର ହେବା ଆବଶ୍ୟକ। ତେଣୁ ନାରୀ-ପୁରୁଷ ମଧ୍ୟରେ ପ୍ରଭେଦ ନରଖି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ସେହିପରି ଭାରତର ବିଭିନ୍ନ ଭାଷାରେ ସୃଷ୍ଟି ହେଉଥିବା ସାହିତ୍ୟ ଉପଯୁକ୍ତ ଅନୁବାଦକଙ୍କ ଅଭାବ ଯୋଗୁ ବିଶ୍ବ ଦରବାରରେ ପହଞ୍ଚି ପାରୁନାହିଁ ବୋଲି ଡ. ଲେଙ୍କା କହିଛନ୍ତି।
ସମ୍ମାନିତ ଅତିଥିଭାବେ ସହିତ୍ୟିକ ସତ୍ୟସୁନ୍ଦର ମହାନ୍ତି ଯୋଗଦେଇ ଯୁବପିଢ଼ି କିପରି ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ ହେବେ ଓ ପାଠକ ସଂଖ୍ୟା ବଢ଼ିବ ସେ ବିଷୟରେ ଆଲୋଚନା କରିଥିଲେ। ବାର୍ଷିକ ଉତ୍ସବର ସଂଯୋଜିକା ରଶ୍ମିମୟୀ ପଟ୍ଟନାୟକଙ୍କ ସଂଯୋଜନାରେ ସାହିତ୍ୟଘରର ବାର୍ଷିକ ପତ୍ରିକା '‘ଆଖି’ ର ଉନ୍ମୋଚନ ହୋଇଥିଲା। ଏଥିସହ ସ୍ନିଗଧା ସ୍ବାଇଁଙ୍କ ଦ୍ୱାରା ରଚିତ ପୁସ୍ତକ ‘ଡ. ଶୁଭେନ୍ଦ୍ରମୋହନ: ସୃଷ୍ଟି ଓ ଦୃଷ୍ଟି’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଅନ୍ୟପଟେ ସାହିତ୍ୟ ଘରର ଉପଦେଷ୍ଟା ସୀତାକାନ୍ତ ଶତପଥୀଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ଚକ୍ରଧର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଶୁତୋଷ ଦାଶ ସଭା ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କବି ଓ କବିୟିତ୍ରୀମାନେ ଯୋଗଦେଇ ନିଜର ସ୍ୱରଚିତ କବିତା ପାଠ କରିଥିଲେ। କବିତାଗୁଡ଼ିକୁ ବିପିନ ବେହେରା ଓ ଜୟଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିଲେ। ଶେଷରେ ସାହିତ୍ୟିକ ସୁକାନ୍ତି ମହାପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଅଙ୍କିତା ଶର୍ମା, ପ୍ରିୟଙ୍କା ମହାନ୍ତି, ବାସୁଦେବ ମହାନ୍ତି, ରମେଶ ଚନ୍ଦ୍ର ମିଶ୍ର, ଗୋବିନ୍ଦ ଚନ୍ଦ୍ର ସାହୁ, ବିଷ୍ଣୁ ପଟ୍ଟନାୟକ, ସ୍ୱର୍ଣ୍ଣମୟୀ ଦେବୀ, ସ୍ନିଗ୍ଧା ସ୍ବାଇଁ, ଦେବଯାନୀ ରାୟ, ସରୋଜିନୀ ଜେନା, ଲକ୍ଷ୍ମୀପ୍ରିୟା ସାହୁ, ‘ସମ୍ବାଦ’ ଜଟଣୀ ପ୍ରତିନିଧି ଦେବବ୍ରତ ଷେଣ୍ଢ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ସାହିତ୍ୟ ସଂସଦର ସତ୍ୟବାଦୀ ସାହୁ, ତ୍ରିଲୋଚନ ମହାପାତ୍ର, ପ୍ରସନ୍ନ ରଥ, ପଦ୍ମନାଭ ପାଣିଗ୍ରାହୀ, ରମାକାନ୍ତ ମିଶ୍ର, ଜବାହରଲାଲ ସୁବୁଦ୍ଧି, ସଚ୍ଚି ପଟ୍ଟନାୟକ, ଶରତ ଦାସ, ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।