ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାରି ଫିଙ୍ଗିଦେଲେ! କୁଆଖାଇ ନଦୀରୁ ମୃତଦେହ ଉଦ୍ଧାର

ହୋଲି ଦିନଠାରୁ ନିଖୋଜ ଥିଲେ, ସନ୍ଦେହ‌ରେ ଜେଲ୍‌ ଫେରନ୍ତା ଦୁଇ ବନ୍ଧୁ

ଭୁବନେଶ୍ବର: କୁଆଖାଇ ନଦୀର ଟଙ୍କପାଣି ବ୍ରିଜ୍‌ ନିକଟରୁ ସୋମବାର ଦିନ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ, ଖୋର୍ଧା ଜିଲ୍ଲା କୁହୁଡ଼ି ଅଞ୍ଚଳର ଟିକନ ଜେନାଙ୍କ ପୁଅ ଆଲୋକ ଜେନା। ଆଲୋକ ବିଜେବିନଗର ହାଇସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ମା’ ବର୍ଷାରାଣୀଙ୍କ ସହ ସେମାନେ ଏଠାରେ ମଇଁଷାଖାଲ ଅଞ୍ଚଳରେ ରହନ୍ତି।

ସହିଦନଗର ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଆଲୋକଙ୍କ ଦେହସାରା ଫୋଟକା ଏବଂ ମୁଣ୍ଡ ଓ ହାତରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ଆଲୋକଙ୍କୁ ଅନ୍ୟ କେଉଁଠାରେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ ପାଇଁ ତାକୁ ନଦୀରେ ଭସାଇ ଦିଆଯାଇଛି ବୋଲି ମା’ ବର୍ଷାରାଣୀ ଅଭିଯୋଗ କରିଛନ୍ତି।

ବାପା-ମା’ଙ୍କ ଅଭିଯୋଗ ଅନୁସା‌ରେ, ଗତ ଶନିବାର ହୋଲି ଦିନ ଆଲୋକର ୨ ସାଙ୍ଗ ନଦୀକୁ ଗାଧୋଇଯିବାକୁ କହି ତାକୁ ଘରୁ ଡାକି ନେଇଥିଲେ। ହେଲେ ଆଲୋକ ଆଉ ଘରକୁ ଫେରି ନଥିଲା। ଅପରାହ୍‌ଣରେ ୨ ସାଙ୍ଗ ଆଲୋକ ଘରେ ପହଞ୍ଚି ତା’ ମୋବାଇଲ୍‌, ଗାମୁଛା, ଗଞ୍ଜି ଦେଇଥିଲେ। ଆଲୋକ କୁଆଡ଼େ ଗଲା ପଚାରିବାରୁ, ସେ ପଛରେ ଆସିବ କହି ଚାଲି ଯାଇଥିଲେ। ଅପରାହ୍‌ଣରେ ବହୁ ଖୋଜାଖୋଜି କରି ନ ପାଇବାରୁ ବାପା ଟିକନ ବଡଗଡ଼ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ପୁଲିସ୍‌ ୨ ସାଙ୍ଗଙ୍କୁ ଡାକି ପଚରାଉଚରା କରିବାରୁ ଆଲୋକ ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିଲା ବୋଲି କହିଥିଲେ।

ଆଲୋକର ଏହି ୨ ସାଙ୍ଗ କିଛି ଦିନ ତଳେ ଜେଲ୍‌ରୁ ଫେରିଛନ୍ତି। ଆଲୋକଙ୍କ ନିଖୋଜ ହେବା ନେଇ ମଧ୍ୟ ସେମାନେ ଭିନ୍ନ ଭିନ୍ନ କଥା କହୁଥିବାରୁ ସେମାନେ ହିଁ ପୁଅକୁ ମାରି ଦେଇଛନ୍ତି ବୋଲି ମା’ ବର୍ଷାରାଣୀ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ସୋମବାର ସକାଳେ ଟଙ୍କପାଣି ବ୍ରିଜ୍‌ ତଳେ ଏକ ମୃତଦେହ ଭାସୁଥିବା ଦେଖି କିଛି ଲୋକ ପୁଲିସକୁ ଖବର ଦେଇଥିଲେ। ବଡ଼ଗଡ଼ ଥାନା ସୀମାନ୍ତ ଅଞ୍ଚଳରୁ ମୃତଦେହ ଠାବ ହୋଇଥିବାରୁ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପାଣିରୁ ମୃତଦେହକୁ ଉଦ୍ଧାର କରାଯିବା ପରେ ପୂର୍ବରୁ ପୁଅ ନିଖୋଜ ଅଭିଯୋଗ କରିଥିବା ବାପା-ମା’ଙ୍କୁ ଡକାଯାଇଥିଲା। ବାପା ଟିକନ ଜେନା ଓ ମା ବର୍ଷାରାଣୀ ଜେନା ବ୍ରିଜ୍‌ ନିକଟରେ ପହଞ୍ଚି ପୁଅର ଶବକୁ ଚିହ୍ନଟ କରିଥିଲେ।

ତେବେ ଘଟଣାସ୍ଥଳ ସହିଦନଗର ଥାନା ଅଧୀନରେ ଆସୁଥିବାରୁ ବଡ଼ଗଡ଼ ପୁଲିସ୍‌ ଏହି ମାମଲା ସହିଦନଗର ଥାନାକୁ ହସ୍ତାନ୍ତର କରିଥିଲା। ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ଦେହସାରା ଫୋଟକା, ମୁଣ୍ଡ ଓ ହାତରେ କ୍ଷତ

ଆଲୋକ ଜେନା ଓରଫ ରାଜା ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏତେ କମ୍‌ ବୟସର ପିଲାଟିର କେମିତି ମୃତ୍ୟୁ ହେଲା? ଅସାବଧନତା ଯୋଗୁଁ ପାଣିରେ ପଡ଼ି ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗା ଯାଇଛି? ଯଦି ହତ୍ୟା କରାଯାଇଛି,କିଏ କରିଛି ହତ୍ୟା? ଏଭଳି ଆଲୋଚନା ଏବେ ସ୍ଥାନୀୟ ଅଂଚଳରେ ଜୋର ଧରିଛି।

ଆଲୋକର ଦେହରେ ୫୦ରୁ ଅଧିକ ଛୋଟ ବଡ଼ ଫୋଟକା ରହିଛି। ଏହାବ୍ୟତୀତ ମୁଣ୍ଡରେ ଗଭୀର କ୍ଷତ ରହିଛି। ଡାହାଣ ପାଖ ହାତରେ ମଧ୍ୟ କ୍ଷତ ହୋଇଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ହୁଏତ ଅନ୍ୟ କେଉଁଠା‌ରେ ଆଲୋକକୁ ହତ୍ୟା କରି ପାଣିରେ ଫିଙ୍ଗା ଯାଇଛି। କାରଣ ପାଣିରେ ପଡ଼ି ମୃତ୍ୟୁ ହେଲେ ଦେହରେ ଫୋଟକା ହେବ ନାହିଁ। ପାଣିରେ ପଡ଼ି ରହିଲେ ଦେହ ପାଣି ଖାଇ ଧଳା ପଡ଼ିଯାଏ। କିନ୍ତୁ ଛାତ୍ରଙ୍କ ଦେହ କଳା ରଙ୍ଗ ଥିଲା। ବିଦ୍ୟୁତ୍‌ ଆଘାତ ଦିଆଯିବା ଯୋଗୁଁ ‌ଦେହରେ ଫୋଟକା ହୋଇଥାଇପାରେ।

ସମ୍ବନ୍ଧିତ ଖବର