ଭୁବନେଶ୍ୱର: ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଚାଲିବ ଏକାମ୍ର ଉତ୍ସବ। ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ, ଫ୍ଲି ମାର୍କେଟ ଓ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମ ରହିଛି। ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପାର୍ଶ୍ବରେ ଆଦିବାସୀ ମେଳା ଓ ଅନ୍ୟପାର୍ଶ୍ବରେ ଛୋଟ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। କିନ୍ତୁ ବଲିଉଡ୍ କଳାକାର ଆସିବେ ନାହିଁ। ପୂର୍ବବର୍ଷ ଭଳି ଡଟ୍ଫେଷ୍ଟ ଆୟୋଜିତ ହେବ ନାହିଁ। ବିଡିଏ ଡଟ୍ଫେଷ୍ଟରେ ଗତ ଥର ୧୩ କୋଟି ଖର୍ଚ୍ଚ କରିଥିବା ବେଳେ ଏଥର ଏହି ଏକାମ୍ର ଉତ୍ସବକୁ ୩ରୁ ୪ କୋଟି ଖର୍ଚ୍ଚରେ ସୀମିତ ରଖିଥିବା ଆଜି ଏକ ସାମ୍ବାଦିକ ସମ୍ମଳନୀରେ ବିଡିଏ ଉପାଧ୍ୟକ୍ଷ ଏନ୍. ତିରୁମାଲା ନାଏକ ସୂଚନା ଦେଇଛନ୍ତି। ୫ରୁ ୧୨ ପର୍ଯ୍ୟନ୍ତ ମଧୁସୂଦନ, ଇନ୍ଦିରା ଗାନ୍ଧୀ, ବୁଦ୍ଧ, ଫରେଷ୍ଟ, ଓ ଅବଦୁଲ କଲାମ ପାର୍କରେ ହେବାକୁ ଥିବା ପାର୍କ ଉତ୍ସବରେ ସଂସ୍କୃତି, ସୃଜନଶୀଳତା ସହ ସ୍ୱାସ୍ଥ୍ୟ ଓ ମନୋରଞ୍ଜନର ମାହୋଲ ସୃଷ୍ଟି ହେବ। ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଯୋଗ, ଜୁମ୍ବା ଭଳି ବ୍ୟାୟାମ, ଅପରାହ୍ନ ସାଢ଼େ ୩ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଲୋକକଳା, ଓଲିଉଡ୍ ସେଲିବ୍ରିଟିଙ୍କ ସହ ଆଳାପ, ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି କର୍ମଶାଳା ଆୟୋଜିତ ହେବ। ଓଡ଼ିଶାର ଖ୍ୟାତନାମା କଳାକାର ଲାଇଭ ସଂଗୀତ ପରିବେଷଣ କରିବେ। କୁଶଳୀ କାରିଗର ଓଡ଼ିଶାର ପାରମ୍ପରିକ କଳା ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିବେ। ପ୍ରଦର୍ଶନୀ ପଡ଼ିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ। ୧୪ ଷ୍ଟଲ୍ରେ ଓଡ଼ିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଓ ଅନ୍ତର୍ଜାତୀୟ ଖାଦ୍ୟ ଉପଲବ୍ଧ ହେବ। ଖାଓଗଳିର ୨୮ ଷ୍ଟଲ୍ ମଧ୍ୟ ଏଥିରେ ସାମିଲ୍ ହେବ। ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଫ୍ଲି ମାର୍କେଟ୍ ଖୋଲିବ। ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ଓ ଘରୋଇ ବ୍ୟବସାୟ ଓ ସ୍ଥାନୀୟ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶିତ ହେବ। ଏକାମ୍ର ୱାକ୍ସ୍ ଫେବ୍ରୁଆରି ୨୩ ପର୍ଯ୍ୟନ୍ତ ଚାଲିବ।
ପଥ ଉତ୍ସବ ଆଜି
ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଜନପଥରେ ରବବାର ପ୍ରଥମ ପଥ ଉତ୍ସବ ଆରମ୍ଭ ହେଉଛି। ସକାଳ ସାଢ଼େ ୬ରୁ ପୂର୍ବାହ୍ନ ୧୦ଟା ଯାଏ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଗ, ପେଣ୍ଟିଂ, ଶାସ୍ତ୍ରୀୟ ନୃତ୍ୟ, ଷ୍ଟାଣ୍ଡଅପ୍ କମେଡି, ଫେସ୍ପେଣ୍ଟିଂ, ମ୍ୟାଜିକ୍ ସୋ, ବେଲୁନ୍ ଆର୍ଟ ପ୍ରଦର୍ଶିତ ହେବ। ଫୁଡ୍ ଫେଷ୍ଟିଭାଲ୍ରେ ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ।