ସୁରଭି ପକ୍ଷରୁ ଏକାମ୍ର ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ସୁରଭି ପକ୍ଷରୁ ୧୬ତମ ଏକାମ୍ର ନୃତ୍ୟ ମହୋତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ.ନୃସିଂହ ସାହୁ, ପୂର୍ବତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ମଞ୍ଜୁ ରାୟ, ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା, କନକ ନ୍ୟୁଜ୍‌ର ସମ୍ପାଦକ ମନୋରଞ୍ଜନ ମିଶ୍ର, ବରିଷ୍ଠ ଓଡ଼ିଶୀ ନୃତ୍ୟଙ୍ଗନା ଡ. ସ୍ନେହପ୍ରଭା ସାମନ୍ତରାୟ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଙ୍ଗୀତା ଗୋସ୍ୱାମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟକ କରିଥିଲେ। ଓଡ଼ିଶୀ ନୃତ୍ୟ ହେଉଛି ଓଡ଼ିଶାର ପରିଚୟ। ସେଥିପାଇଁ ଓଡ଼ିଶୀ ନୃତ୍ୟ କିପରି ବିଶ୍ୱସ୍ତରରେ ପହଞ୍ଚି ପାରିବ ତାହା ଉପରେ ଗବେଷଣା କରିବା ଜରୁରୀ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଆଜିର ମୁଖ୍ୟ ଆକର୍ଷଣରେ ଥିଲେ ବଙ୍ଗୀୟ ନୃତ୍ୟଶିଳ୍ପୀ ନନ୍ଦିନୀ ଘୋଷାଲ।  ତାଙ୍କର ଓଡ଼ିଶୀ ଯୁଗ୍ମଦ୍ୱୈତ୍ୱ ପଲ୍ଲବୀ ନୃତ୍ୟ ଓ ଅଭିନୟରେ ପ୍ରାଣସଙ୍ଗିନୀ…କଲି ମୁୁଁ କି ଲାଜେ ବୁଡିଲି…ନୃତ୍ୟରେ ଉପସ୍ଥିତ ଅତିଥି ଓ ଦର୍ଶକବୃନ୍ଦ ବିଭୋର ହୋଇଯାଇଥିଲେ। ତା’ପରେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀମାନଙ୍କ ଦ୍ୱରା ସାତମାତ୍ରା ତ୍ରିପଟା ତାଳରେ ମର୍ଦଳ ବାଦନ ପରିବେଷିତ ହୋଇଥିଲା। ପରେ ପରେ ଦୁର୍ଗା ତିଲକଙ୍କ ଭାରତନାଟ୍ୟମ ନୃତ୍ୟ ପରିବେଷିତ ହୋଇଥିଲା। ଆରମ୍ଭରେ ପ୍ରଜ୍ଞା ମିଶ୍ରଙ୍କ ନିର୍ଦ୍ଦେଶନାରେ ନାଦୋପାସନା କଳା ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସରସ୍ୱତୀ ବନ୍ଦନା ପରିବେଷିତ ହୋଇଥିଲା। ଏହି ଅବସରରେ ବଙ୍ଗୀୟ ନୃତ୍ୟଶିଳ୍ପୀଙ୍କୁ ସୁରଭି ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୁରୁ ପିତାମ୍ବର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ।

ସମ୍ବନ୍ଧିତ ଖବର