ଖଣ୍ଡଗିରି: ଶ୍ରୀହୀନ ହୋଇପଡ଼ିଥିବା ଏକାମ୍ରକାନନକୁ ଶିରୀ ଫେରୁଛି। ପୁଣିଥରେ ଏହି କାନନ କୋଳାହଳମୟ ହେବ। ସହର ମଝିରେ ଭୋଜିଭାତ ପାଇଁ ରାଜଧାନୀଆଙ୍କୁ ସୁଯୋଗ ମିଳିବ। ଏଭଳି ଯୋଜନା କରି ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍ପିଆର୍ସି) ଏହା ଭିତରେ ଭୋଜିପିଣ୍ଡି ପ୍ରସ୍ତୁତ କରୁଛି। ସେସବୁ ପ୍ରସ୍ତୁତ ହୋଇଗଲେ ଜୟଦେବ ବାଟିକା ଭଳି ଏଠାରେ ମଧ୍ୟ ପ୍ରାକୃତିକ ପରିବେଶ ଭିତରେ ରୋଷେଇ କରି ବଣଭୋଜି ମଉଜ କରିବାକୁ ସୁଯୋଗ ମିଳିବ। ଆସନ୍ତା ପିକ୍ନିକ୍ ଋତୁ ବେଳକୁ ଏହା ପ୍ରସ୍ତୁତ ହୋଇ ସାରିଥିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ବିଏମ୍ସିର ୱାର୍ଡ ନଂ ୧୫ରେ ରହିଥିବା ଏକାମ୍ର ପାର୍କ ୫୦୦ ଏକର ଜମିରେ ପ୍ରସ୍ତୁତ ହେବାକୁ ଯୋଜନା ହୋଇଥିଲା। ଏଯାଏ ୭୫ଏକର ଜମିର ଉନ୍ନତୀକରଣ ହୋଇଛି। ଏବେ ପିଣ୍ଡି ପାଇଁ ବା ଭୋଜି ପାଇଁ କାମ ଆରମ୍ଭ ହୋଇଛି। ଭୋଜି ପାଇଁ ପିଣ୍ଡି ସହ ପାନୀୟ ଜଳ, ଆଲୋକ, ରାସ୍ତା ପ୍ରଭୃତି ମୌଳିକ ସୁବିଧା କରାଯିବ। ଏବେ ରାସ୍ତା ପାଇଁ ଜଙ୍ଗଲ ସଫା କରାଯିବା ସହ ମୋରମ ପକାଯାଉଛି। ଏହାପରେ ପିଣ୍ଡି ଓ ଆଲୋକୀକରଣ କରାଯିବ। ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଭିତ୍ତିଭୂମି ପ୍ରସ୍ତୁତ ହେବାପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଭୋଜି ପାଇଁ ଦର ଓ ଅନ୍ୟାନ୍ୟ କଟକଣା ବାବଦରେ ସୂଚନା ଖୁବ୍ଶୀଘ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଏହି ପାର୍କର ଏବେ ଅବଧି ବଢ଼ିଛି। ସକାଳ ସାଢ଼େ ୫ଟାରୁ ସାଢ଼େ ୮ଟା ପ୍ରାତଃଭ୍ରମଣ ପାଇଁ ଏଠାରେ ସୁବିଧା ରହିଛି। ପୂର୍ବରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ଏହା ଖୋଲା ଯାଉଥିବା ବେଳେ ଏବେ ଏହା ସାଢ଼େ ୬ଟା ପର୍ଯ୍ୟନ୍ତ ଖୋଲା ରହୁଛି।
ବୋଟିଂ ବ୍ୟବସ୍ଥା କେବେ?
ବନ ବିଭାଗ ପକ୍ଷରୁ ଏଠାରେ ଥିବା ବଡ଼ ପୁଷ୍କରିଣୀରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ପାର୍କରେ ବୁଲାବୁଲି ସହ ଏହି ବୋଟିଂ ବ୍ୟବସ୍ଥା ଦର୍ଶକଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏହାକୁ ପରିଚାଳନା କରୁଥିଲା। କିନ୍ତୁ ଏହି ବୋଟିଂ ହଠାତ୍ ବନ୍ଦ ହୋଇଗଲା। ବୋଟ୍ଗୁଡ଼ିକ ଏବେ ଖତ ଖାଉଛି। ଜଗନ୍ନାଥ ବାଟିକାକୁ ପୂର୍ଣ୍ଣରୂପରେ ପ୍ରସ୍ତୁତ କରିବା ସହ ବୋଟିଂ ବ୍ୟବସ୍ଥା ଆରମ୍ଭ କଲେ ନୂଆ କରି ପ୍ରସ୍ତୁତ ହେଉଥିବା ଭୋଜିପିଣ୍ଡି ଆହୁରି ଆକର୍ଷଣୀୟ ହେବ ବୋଲି ଲୋକେ ମତ ଦେଇଛନ୍ତି।
ସୌନ୍ଦର୍ଯ୍ୟ ହରାଇଛି ଜଗନ୍ନାଥ ବାଟିକା
ତେବେ ଗୋଟିଏ ପଟେ ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନୂଆ ନୂଆ ଯୋଜନା କରାଯାଉଥିବା ବେଳେ ମୂଳ ପାର୍କ ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। ପାର୍କ ପରିସରରେ ଥିବା ଜଗନ୍ନାଥ ବାଟିକା ଅବସ୍ଥା ଭାରି ଖରାପ। ଏଠାରେ ୧୨୫ ପ୍ରକାରର ଗଛ ଲାଗିବାର ଯୋଜନା କରାଯାଇଥିଲା, ହେଲେ ଏବେସୁଦ୍ଧା ୧୦୦ ପ୍ରକାରର ଗଛ ବି ନାହିଁ। କଇଁ, ପଦ୍ମଫୁଲରେ ଯେଉଁ ପୁଷ୍କରିଣୀ ସୁଶୋଭିତ ହେବାକଥା, ତାହା ମଇଳା ପାଣିରେ ଭର୍ତ୍ତି ହୋଇଛି। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ଗବେଷଣା ପାଇଁ ପ୍ରତିଷ୍ଠା ହୋଇଥିବା ଏହି ବାଟିକା ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଉପଯୋଗୀ ହେଉନଥିବା ଅଭିଯୋଗ ହୋଇଛି।
ରାଜ୍ୟ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଜଗନ୍ନାଥ ସଂସ୍କୃତି ବାବଦରେ ବୁଝିପାରିବା ପାଇଁ ଶ୍ରୀଜଗନ୍ନାଥଙ୍କ ଦିନଯାକର ନୀତିଠାରୁ ଆରମ୍ଭ କରି ବିଭିନ୍ନ ବେଶ, ରଥ ଓ ଦାରୁ ପାଇଁ ଆବଶ୍ୟକ ବୃକ୍ଷ ଲଗାଯିବାକୁ ଯୋଜନା ହୋଇଥିଲା। ନାନାଜାତିର ଫୁଲ ସହ ନଡ଼ିଆ, ଗୁଆ, ସପୁରି, ପିଜୁଳି, ହରିଡ଼ା, ବାହାଡ଼ା, ଅଁଳା ଆଦି ଫଳ ଗଛ ମଧ୍ୟ ଲଗାଯାଇଥିଲା। ହେଲେ ଏହି ବାଟିକା ଏବେ ମରୁଭୂମି ପାଲଟି ଯାଇଛି। ଶ୍ରୀଜଗନ୍ନାଥଙ୍କ ସେବାରେ ସବୁଦିନ ଲାଗୁଥିବା ଚନ୍ଦନ ଓ ତୁଳସୀ ଗଛ ମଧ୍ୟ ଯଥେଷ୍ଟ ପରିମାଣରେ ନାହିଁ। ସେହିଭଳି ଯେଉଁ ପରିମାଣ ଓ ଯେଉଁ ପ୍ରକାରର ଫୁଲ ରହିବା କଥା ତାହା ମଧ୍ୟ ନାହିଁ। ମୋଟ୍ ଉପରେ ଏହାକୁ ଏକ ବିଫଳ ଯୋଜନା କହିଲେ ଭୁଲ୍ ହେବନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/dgjgdgjdgjjg.jpg)