ଭୁବନେଶ୍ୱର: ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତକୁ ପ୍ରୋତ୍ସାହନ ତଥା ଶିଳ୍ପୀମାନଙ୍କୁ ବିକ୍ରୟ ଓ ପ୍ରଦର୍ଶନ ପାଇଁ ଏକ ସ୍ଥାୟୀ ହାଟ ଯୋଗାଇ ଦେବା ଲକ୍ଷ୍ୟରେ ୨୦୦୨ ମସିହାରୁ ଆରମ୍ଭ ହୋଇଥିଲା ଏକାମ୍ର ହାଟ। ହେଲେ ପରିଚାଳନାଗତ ବିଭ୍ରାଟ ଓ ଯୋଜନାବଦ୍ଧ ଉଦ୍ୟମର ଅଭାବ ଯୋଗୁ ହାଟଟି ଏବେ ତା’ର ଉଦ୍ଦେଶ୍ୟରୁ ଦୂରେଇ ଯାଇଛି। ଏହାର ପୁନରୁଦ୍ଧାର ପାଇଁ ସାମାଜିକ ଅନୁଷ୍ଠାନ ‘ଆମ ସ୍ବର’ ପକ୍ଷରୁ ଦାବି କରାଯାଇଛି।
ଇଡ୍କୋ ଏକାମ୍ର ହାଟକୁ ନିର୍ମାଣ କରିବା ସହ ପରିଚାଳନା ଦାୟିତ୍ବ ବୁଝୁଥିଲା। ମାତ୍ର ୨୦୨୦ ମସିହାରେ ଏହାର ନବୀକରଣ ପାଇଁ ସରକାରୀ ଅନୁଦାନ ଆସିବା ପରେ ‘ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ’ ଏକାମ୍ର ହାଟକୁ ନିଜ ହାତକୁ ନେଲା। ପୂର୍ବରୁ ଏଠାରେ ଥିବା ଶିଳ୍ପୀ ଓ କାରିଗରମାନଙ୍କୁ ବିଦା କରାଗଲା। ନବୀକରଣ ପରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍) ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଲା। ସିଡାକ୍ କୌଣସି କାରିଗରଙ୍କୁ ଷ୍ଟଲ ଆବଣ୍ଟନ ନକରି ବିଭିନ୍ନ ଘରୋଇ ଓ ସରକାରୀ ଅନୁଷ୍ଠାନକୁ ପ୍ରଦର୍ଶନୀ ପାଇଁ ଭଡ଼ାରେ ଦେଲେ।
ନବୀନକରଣ ବେଳେ ହାଟ ପରିସରରେ ଗ୍ରାମ୍ୟ ପରିବେଶ ସୃଷ୍ଟି ପ୍ରତି ଧ୍ୟାନ ଦିଆଗଲା ନାହିଁ। ମଧ୍ୟସ୍ଥଳରେ ଥିବା ଛୋଟ କୃତ୍ରିମ ପୁଷ୍କରିଣୀକୁ ଆଧୁନିକ ଫାଉଣ୍ଟେନରେ ପରିଣତ କଲେ, ଯାହାକି ଏବେ ଅଚଳ ହୋଇପଡ଼ିଛି। ମୁକ୍ତାକାଶ ମଞ୍ଚର ଭଡ଼ା ୨୫୦୦ରୁ ୫ ହଜାର କରିଦେଲେ। ଏଠାରେ ଥିବା ୫୦ଟି ଷ୍ଟଲ୍ର ଭଡ଼ାରେ ମଧ୍ୟ ଅହେତୁକ ବୃଦ୍ଧି କରାଗଲା। ଭୋଜନାଳୟ ପାଇଁ ଥିବା ଷ୍ଟଲ୍ଗୁଡ଼ିକର ବାର୍ଷିକ ନିଲାମ ଡାକିବା ସହ ମୂଲ୍ୟ ବୃଦ୍ଧି କରାଗଲା। ଧୀରେ ଧୀରେ ଭୋଜନାଳୟଗୁଡ଼ିକ ଖାଲି ପଡ଼ିବା ଫଳରେ ଜନସମାଗମ ହ୍ରାସ ପାଇଲା। ମୁକ୍ତାକାଶ ମଞ୍ଚର ଭଡ଼ା ବଢ଼ିବା ଯୋଗୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେଲା ନାହିଁ। ଏହି ସମୟରେ ପ୍ରାକୃ୍ତିକ ପରିବେଶକୁ ଧ୍ୱଂସ କରି ବିଭିନ୍ନ ଅଟ୍ଟାଳିକା ତିଆରି କରାଗଲା। ଏବେ ସେଠାରେ ଏକ ବହୁତଳ ସପିଙ୍ଗ୍ ମଲ୍ ନିର୍ମାଣ ପାଇଁ ଯୋଜନା ହେଉଥିବା ଶୁଣିବାକୁ ମିଳୁଛି। ସମ୍ଭାବନା ଦ୍ୱାରା ୨୦୦୬ରୁ ଏକାମ୍ର ହାଟରେ ଓଡ଼ିଆ ଅସ୍ମିତା, ପରମ୍ପରା ଓ ସଂସ୍କୃତିକୁ ନେଇ ହେଉଥବା ଓଡ଼ିଆ ମହୋତ୍ସବ ଓ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଆୟୋଜନ କରାଯାଉଛି। କିନ୍ତୁ ଚଳିତ ଥର ନିର୍ବାଚନ ଆଚରଣ ବିଧି ନାମରେ ଶେଷ ମୁହୂର୍ତ୍ତରେ ମନା କରିଦିଆଗଲା। ନୂଆ ସରକାର ଏକାମ୍ର ହାଟର ଏହି ଅବ୍ୟବସ୍ଥାକୁ ଗୁରୁତ୍ବର ସହ ନିଅନ୍ତୁ। ଅବ୍ୟବସ୍ଥା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ହାଟର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଅନୁଷ୍ଠାନର ଦେବ ପ୍ରସାଦ ପରିଜା, ଦେବାଶିଷ ମିଶ୍ର, ଦେବସ୍ମିତା ମହାନ୍ତି ଓ ମଧୁଲିତା ପରିଡ଼ା ଦାବି କରିଛନ୍ତି।