ଏକାମ୍ର କ୍ଷେତ୍ର ଉନ୍ନତୀକରଣ ମାମଲା: ଉଠିଲା ସ୍ଥିତାବସ୍ଥା

କଟକ : ଏକାମ୍ର କ୍ଷେତ୍ର ଆମେନିଟିଜ୍ ଓ ମନୁମେଣ୍ଟ ରିଭାଇଭାଲ ଆକ୍ସନ ପ୍ଲାନ୍ ଅଧୀନରେ ଜମି ଅଧିଗ୍ରହଣ ପ୍ରସଂଗରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ସ୍ଥିତାବସ୍ଥା ଉଠିଛି। ଏ ସଂପର୍କିତ ଦୁଇ ମାମଲାର ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ୨୦୨୦, ଅକ୍ଟୋବର ୫ରେ ପ୍ରଦାନ କରାଯାଇଥିବା ସ୍ଥିତାବସ୍ଥା ସଂପର୍କିତ ଅନ୍ତରୀଣ ନିର୍ଦ୍ଦେଶକୁ  ଉଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବେଦନକାରୀ ନଭେମ୍ବର ୧ ତାରିଖ ସୁଦ୍ଧା ଚିହ୍ନଟ କରାଯାଇଥିବା ଜମିର ଦଖଲ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ୍(ବିଏମ୍‌ସି)କୁ ହସ୍ତାନ୍ତର ନ କରନ୍ତି ଓ ବିଏମସି ନିକଟରେ ରହିଥିବା କ୍ଷତିପୂରଣ ରାଶି ଗ୍ରହଣ ନ କରନ୍ତି ତେବେ ଆଇନ ଅନୁସାରେ ବିଏମସି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଆବେଦନକାରୀ କ୍ଷତିପୂରଣ ବାବଦ ଟଙ୍କା ଗ୍ରହଣ କରନ୍ତି ତେବେ ମଧ୍ୟ ଅଧିକ କ୍ଷତିପୂରଣ ଦାବି କରି ପୃଥକ ଆଇନଗତ ପକ୍ରିୟା ଅନୁସରଣ ସଂପର୍କିତ ଅଧିକାର ତାଙ୍କର ରହିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କୁ ଅଧିକ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ହାଇକୋର୍ଟ କୌଣସି ମତ ଦେବାକୁ ମନା କରିଛନ୍ତି। ଉପଯୁକ୍ତ ଫୋରମରେ ପୃଥକ ମାମଲାରେ ଏହି ପ୍ରସଂଗରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହତ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ପୂର୍ବରୁ ଜାରି କରାଯାଇଥିବା ସ୍ଥିତାବସ୍ଥା ଉଠିବା ପରେ ଏକାମ୍ରକ୍ଷେତ୍ର ଉନ୍ନୟନ ଯୋଜନା ଆଗକୁ ବଢିବା‌ ପଥ ପରିଷ୍କାର ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌତମନଗର ମୌଜାରେ ଥିବା ନିର୍ଦ୍ଦିଷ୍ଟ ଜମି ଏକାମ୍ର କ୍ଷେତ୍ର ଉନ୍ନୟନ ଯୋଜନାରେ ଅଧିଗ୍ରହଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା ନଥିବା ଦର୍ଶାଇ ଏମ.ପଣ୍ଡା ଓ ଅନ୍ୟମାନେ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ କରିଥିଲେ। ଥଇଥାନ ଓ ପୁନର୍ବାସ ନୀତିର ଉଲ୍ଲଂଘନ କରାଯାଉଛି ଓ ଭୂମି ଅଧିଗ୍ରହଣ ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ୨୦୨୦, ଅକ୍ଟୋବର ୫ରେ ହାଇକୋର୍ଟ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ବିଏମସି ନିକଟରୁ ଜବାବ ତଲବ କରିବା ସହିତ ଆବେଦନକାରୀଙ୍କ ଦଖଲରେ ଥିବା ଜମି ଉପରେ ସ୍ଥିତାବସ୍ଥା ଜାରି କରାଯାଇଥିଲା। ଏହାପରେ ହାଇକୋର୍ଟରେ ବିଏମସି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇ ଉପଯୁକ୍ତ କ୍ଷତିପୂରଣ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର