ପାଣି ଘେରରେ ଏକାମ୍ର କ୍ଷେତ୍ର, ଘରେ ପଶିଲା ପାଣି

ପାଣିରେ ବୁଡ଼ିଗଲେ ଠାକୁର

ପୁରୁଣା ଭୁବନେଶ୍ବର: ଲଗାଣ ବର୍ଷା ଫଳରେ ଏକାମ୍ର କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିଲା। କେଦାରଗୌରୀ ବିହାର ଅଞ୍ଚଳରେ ରହୁଥିବା ଶତାଧିକ ପରିବାର ପାଣି ଘେରରେ ରହିଥିଲେ। ସକାଳେ ଲୋକମାନେ ଘରୁ ବାହାରିବା ବେଳେ ପାଣି ଭିତରେ ପଶି ଆସିବାକୁ ବାଧ୍ୟ ହୋଇଥିଲେ। ସେହିପରି ସମାନ ଅବସ୍ଥା ବଡ଼ଗଡ଼ ଇଏ କଲୋନି ବାସିନ୍ଦା ଭୋଗିଥିଲେ। ବର୍ଷା ପରେ ପାଣି ନିଷ୍କାସନ ସମସ୍ୟା ଉପୁଜିଥିଲା। ସେହିପରି ନୂଆ ଗାଁ ରାସ୍ତାରେ ପାଣି ଜମି ରହିଥିଲା। ସାମନ୍ତରାପୁର ମୁଖ୍ୟ ରାସ୍ତାରୁ ‌ନୂଆ ଗାଁକୁ ଯିବା ବାଟରେ ପେଟ୍ରୋଲପମ୍ପ କଡ଼ ରାସ୍ତାରେ ପାଣି ଜମି ରହିଥିଲା। ବିଜେବି ନଗର ଗଧିଆ ଖାଲ, ଟଙ୍କପାଣି ଜଗନ୍ନାଥ ମଠ ରୋଡ, ବଡ଼ଗଡ଼ ବ୍ରିଟ୍ କଲୋନି ଓ ଗୌରୀନଗରରେ ବର୍ଷା ପାଣି ଜମି ରହିଥିଲା। କୋଟି ତୀର୍ଥେଶ୍ବର ରାସ୍ତାରେ ମଧ୍ୟ ବର୍ଷା ପାଣି ଜମି ରହିଥିଲା। ପଞ୍ଚୁ ପାଣ୍ଡବ ଗୁମ୍ପା କାନ୍ଥ ଓ ଛାତରୁ ପାଣି ଝରିଥିଲା। ବର୍ଷା ପାଣି ପାଣି ଗଳି ମହାଦେବଙ୍କ ଉପରେ ପଡ଼ିଥିଲା। ମନ୍ଦିରର ପୂଜକ ଡେକଚି ଓ କଡ଼େଇ ରଖି ପାଣି ବାହାର କରିଥିଲେ।

ଘରେ ପଶିଲା ପାଣି
ଭୀମଟାଙ୍ଗି ଲେନ୍‌ ନଂ ୬ରେ ପ୍ରାୟ ୫ଜଣଙ୍କ ଘରେ ପାଣି ପଶି ରହିଛି। ସେଠାରେ ରହୁଥିବା ଲୋକ ଆସବାବପତ୍ର ଖଟ ଉପରେ ରଖିବା ସହ ଉପର ଘରକୁ ନେଇଯାଇଥିଲେ। ପରେ ଦମକଳ ବାହିନୀ ଓ ବିଏମ୍‌ସି ପକ୍ଷରୁ କର୍ମଚାରୀ ଆସି ମଟର ଲଗାଇ ପାଣି ନିଷ୍କାସନ କରିଥିଲେ। ସେହିପରି କୋଟି ତୀର୍ଥେଶ୍ବର ଗଳିରେ ୮ରୁ ଊର୍ଧ୍ବ ଲୋକଙ୍କ ଘରେ ପାଣି ପଶିଥିଲା। ବର୍ଷା ଛାଡ଼ିବା ପରେ ଧୀରେ ଧୀରେ ନିଷ୍କାସିତ ହୋଇଥିଲା।

ପାଣିରେ ବୁଡ଼ିଗଲେ ଠାକୁର
ବର୍ଷା ଫଳରେ ଶ୍ରୀଲିଙ୍ଗରାଜ ମନ୍ଦିରର ନୃସିଂହ ମନ୍ଦିର ନିକଟ ଡ୍ରେନ୍‌ ଦବିଯାଇଥିଲା। ମନ୍ଦିର ବାଇଶି ପାହାଚ ନିକଟରେ ପାଣି ଜମି ରହିଥିଲା। ସେହିପରି ଗୋସାଗରେଶ୍ବର ମନ୍ଦିର ପରିସର ସବୁ ଠାକୁର ପାଣିରେ ବୁଡ଼ିଯାଇଥିଲେ। ଅନ୍ୟ ପଟେ ଗତକାଲି ପରି ଶ୍ରୀଲିଙ୍ଗରାଜ ମନ୍ଦିର ମୁଖ୍ୟ ମନ୍ଦିରର ଗର୍ଭ ଗୃହରୁ ପାଣି ଧାର ଲାଗିଥିଲା। ଭୋଗ ମଣ୍ଡପ, ଜଗମୋହନ, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର ଜଗନ୍ନାଥ ମନ୍ଦିର, ବିଶ୍ବକର୍ମା ମନ୍ଦିର, ବଡ଼ ଗଣେଶ ମନ୍ଦିର, ବୈଦନାଥ ମନ୍ଦିର, ବୃଷବ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳିଥିଲା। ମେଘେଶ୍ୱର ମନ୍ଦିର, ରାମେଶ୍ବର ମନ୍ଦିର, ପର୍ଶ୍ବରାମେଶ୍ବର ମନ୍ଦିରରୁ ପାଣି ଗଳିଥିଲା। ବଡ଼ଦାଣ୍ଡ ସାହିରେ ଥିବା ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିରରେ ପାଣି ଜମି ରହିଥିଲା।

ସମ୍ବନ୍ଧିତ ଖବର