ବାଲିଅନ୍ତା: ଆଜି ଏକାମ୍ର ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାକୁ ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟ କବ୍‌ଜା କରିନେଇଥିଲା। ମଞ୍ଚରେ ବାଜୁଥିବା ଦୁଲ୍‌ଦୁଲି ଆଜି ପୂରା ବାଙ୍କୁଆଳ ପଠାକୁ ଦୁଲୁକାଇଥିଲା। ପୁରୁଣା ସମ୍ବଲପୁରୀ ଗୀତର ତାଳେତାଳେ ଦୁଲ୍‌ଦୁଲି ବାଦ୍ୟ ଆଜି ଶୀତୁଆ ସଂଜରେ ଭିନ୍ନ ପ୍ରକାରର ଉଷ୍ମତା ଭରିଦେଇଥିଲା। ଶେଷ ସନ୍ଧ୍ୟା ହେଲେ ହେଁ ଆଜି ମେଳା ବୁଲିବାକୁ ଆସିଥିବା ହଜାର ହଜାର ଲୋକେ ବେଶ୍ ମଜା ଉଠାଇଥିଲେ। 

Advertisment

ଉଦ୍‌ଯାପନୀ ଉତ୍ସବ ପାଇଁ ଆଜି କୁଆଖାଇ ନଈର ବାଙ୍କୁଆଳ ପଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମେଳା ବୁଲିବା ପାଇଁ ଯେତିକି ଲୋକ ଆସିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ତା’ଠୁ ବେଶି ଲୋକ ଜମିଥିଲେ। ଆଜି ସନ୍ଧ୍ୟାରେ ବରଗଡ଼ଜିଲ୍ଲା ମୋହନି ଫୋକ୍‌ ଡ୍ୟାନ୍ସ ଏକାଡେମୀ ପ୍ରଥମେ ମଞ୍ଚ ସମ୍ଭାଳି ଥିଲା। କାନ୍ଧରେ ଦୁଲ୍‌ଦୁଲି ଝୁଲାଇ ୧୫ଜଣ କଳାକାର ମଞ୍ଚରେ ବିଜୁଳି ଘଡ଼ଘଡ଼ିର ଅନୁରୂପ ଶବ୍ଦ ସୃଷ୍ଟି କରିଥିଲେ। ଗୁରୁ କୁବେର ସାହୁଙ୍କ ନୃତ୍ୟ ସଂଯୋଜନାରେ ରତନ ଓ ମୌସୁମୀଙ୍କ ସଙ୍ଗୀତ ତାଳେତାଳେ ବାଜୁଥିଲା ଦୁଳ୍‌ଦୁଲି ସାଙ୍ଗରେ ଢୋଲ, ନିଶାନ, ଝାଞ୍ଜ, ମହୁରି ଓ ତାସା ଆଦି ପାରମ୍ପରିକ ବାଦ୍ୟଯନ୍ତ୍ର। ‘ହେ ରଙ୍ଗବତୀ...’, ‘ଆମେ ସମ୍ବଲପୁରିଆ ଫୁଲରେ...’, ‘ରସଲ୍‌କେଲି...’, ‘ହେ ରସ ଜାମୁ ଡାଳି...’ ଓ ‘ଡାଲ୍‌ଖାଇ...’ ଭଳି ପୁରୁଣା ତଥା ଚିରସବୁଜ ସମ୍ବଲପୁରୀ ଗୀତରେ ନୃତ୍ୟ ଦର୍ଶକମାନଙ୍କୁ ନଦୀର ବାଲିପଠାରେ ଝୁମାଇଥିଲା। ଦ୍ୱିତୀୟ ପ୍ରସ୍ତୁତିରେ ହାଇଟେକ୍‌ ଛକସ୍ଥିତ ଡ୍ୟାନ୍ସ ଇମେଜ୍‌ର ଗୁରୁ ସତ୍ୟଜିତ ଦାଶଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଦୁର୍ଗାସ୍ତୁତିରେ ମାଆ ଦୁର୍ଗାଙ୍କର ବିଭିନ୍ନ ରୂପଚର୍ଯ୍ୟା ଦର୍ଶକମାନଙ୍କୁ ଉଲ୍ଲସିତ କରିଥିଲା। ତୃତୀୟ ସୋପାନରେ ଶ୍ରୀନିବାସ ଘଟୁଆରୀଙ୍କ ଅନୁଚିନ୍ତନମ୍‌ ନୃତ୍ୟାନୁଷ୍ଠାନ, ନୃତ୍ୟାଭିନୟରେ ଜଗନ୍ନାଥ ସ୍ତୁତି ପରିବେଷଣ କରି ଦର୍ଶକମାନଙ୍କୁ ଭାବବିହ୍ବଳ କରିଥିଲା। ଶେଷରେ ସୁଜ୍ଞାନୀ ମହାପାତ୍ର ଓ ସାଥୀ କଳାକାରଙ୍କ ଦ୍ୱାରା ପରିବେଷିତ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା।