ଚନ୍ଦ୍ରଶେଖର ରଥଙ୍କ ଦୃଷ୍ଟିଭଙ୍ଗୀ ଓ ଦୃଷ୍ଟିକୋଣ ଭିନ୍ନ ଥିଲା

ଏକାମ୍ର ପୁସ୍ତକ ମେଳା

ଚନ୍ଦ୍ରଶେଖରପୁର: ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ଦୃଷ୍ଟିଭଙ୍ଗୀ ଓ ଦୃଷ୍ଟିକୋଣ ଭିନ୍ନ ଥିଲା। ସକାରାତ୍ମକ ଚିନ୍ତାଧାରା ଓ ଆଧ୍ୟାତ୍ମିକତାବାଦ ଉପରେ ତାଙ୍କ ଲେଖାଗୁଡ଼ିକ ପର୍ଯ୍ୟବସିତ ଥିଲା। ଅନେକ ବ୍ୟକ୍ତିବିଶେଷ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଲେଖିବାକୁ ଆଗେଇ ଆସିଛନ୍ତି। ଦିନେ ଶ୍ରୀ ରଥ କହିଥିଲେ ଯାହା ଛାତି ଭିତରୁ ଆସେ ଓ ଛାତିକୁ ଛୁଇଁଯାଏ ତାହା ଭଲ କବିତା। ଏଭଳି ଜଣେ ବ୍ୟକ୍ତିବି‌ଶେଷଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ଡମଣା ଦୂର୍ଗାପୂଜା ପଡ଼ିଆରେ ଚାଲିଥିବା ୮ମ ଏକାମ୍ର ପୁସ୍ତକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ତଥା ସମ୍ବାଦ ସମ୍ପାଦକ(ଫିଚର୍‌) ଗୌରହରି ଦାସ ସ୍ବର୍ଗତ ରଥଙ୍କ ସ୍ମୃତିଚାରଣ କରି ଏଭଳି କହିଛନ୍ତି। ପ୍ରଶାସକ ତଥା ଗାଳ୍ପିକ ଦେବ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ରଥଙ୍କୁ ଜଣେ ସମୟାନୁବର୍ତ୍ତୀ ଓ ସଫଳ ବ୍ୟକ୍ତି ଭାବେ ଦର୍ଶାଇଥିଲେ। ଚନ୍ଦ୍ରଶେଖର ରଥଙ୍କ ପୁତ୍ର ଶଶିଭୂଷଣ ରଥ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପିତାଙ୍କ ସହ ବିତାଇଥିବା କିଛି ଅଭୁଲା ସ୍ମୁତିକୁ ବର୍ଣ୍ଣନା କରିଥିଲେ। ଏକାମ୍ର ପୁସ୍ତକ ମେଳା ସଭାପତି ପୀତବାସ ରାଉତ ଆଲୋଚନାଚକ୍ରରେ ସଭାପତିତ୍ବ କରି ରନ୍ଦ୍ରଶେଖର ରଥ ଅମର ହୋଇ ରହିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ପୁସ୍ତକ ମେଳା କମିଟିର ଉପସଭାପତି ଡ. ଅଭୟ ନାୟକ, ସଂପାଦକ ଭାସ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମନୋରଂଜନ ମହାନ୍ତି ମଞ୍ଚ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରତିଦିନ ମେଳାରେ ଅନୁଷ୍ଠିତ ହେଉଥିବା ଲକି ଡ୍ର’ର ୧୫ଜଣ ପୁସ୍ତକପ୍ରେମୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଅତିଥିମାନେ ମେଳାରେ ଥିବା ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ସ୍ବତନ୍ତ୍ର ଷ୍ଟଲ୍ ବୁଲି ତାଙ୍କ ଲିଖିତ ପୁସ୍ତକ ଦେଖିଥିଲେ।

ସମ୍ବନ୍ଧିତ ଖବର