ଏକାମ୍ର ପୁସ୍ତକ ମହୋତ୍ସବ ଉଦ୍‌ଘାଟିତ, ‘ଜାଣିବାର ଇଚ୍ଛା ଥିବା ଯାଏଁ ପୁସ୍ତକ ବଞ୍ଚିବ’

ଭୁବନେଶ୍ୱର: ଡମଣା ଦୁର୍ଗାପୂଜା ପଡ଼ିଆରେ ଉଦ୍‌ଘାଟିତ ହୋଇଛି ଅଷ୍ଟମ ଏକାମ୍ର ପୁସ୍ତକ ମହୋତ୍ସବ। ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବକୁ ଆଜି ସନ୍ଧ୍ୟାରେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ‘ସମ୍ପର୍କର ପରିଭାଷା’ ବାର୍ତ୍ତା ନେଇ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ମଣିଷ ଭିତରେ ଯେ ପର୍ଯ୍ୟନ୍ତ ଜାଣିବାକୁ ଇଚ୍ଛା ଅଛି, ସେ ପର୍ଯ୍ୟନ୍ତ ବହିର ମୃତ୍ୟୁ ନାହିଁ। ଏବେ କେବଳ ବହିର ପରିଭାଷା ବଦଳିଛି। ସମୟ ଏବେ ବହିର ଶତ୍ରୁ ହୋଇଛି। କାଗଜ ଓ କାଳିର ବହିଟି ହୁଏତ ଆଉ ଚାଲିବ ନାହିଁ, କିନ୍ତୁ ଜାଣିବାର ଇଚ୍ଛା ଥିବା ଯାଏଁ ନୂଆ କାରଗିରୀ ଓ କୌଶଳ ଜରିଆରେ ବିଜ୍ଞାନ ମଣିଷକୁ ସବୁ ଜଣାଉଥିବ। ଏବେ ଯେଉଁ ନୂଆ ଢଙ୍ଗରେ ବହି(ଇ-ବୁକ୍‌ସ) ଆସୁଛି, ତାକୁ ସ୍ବାଗତ କରିବାକୁ ପଡ଼ିବ। ସମ୍ପର୍କର ପରିସରକୁ ପରିମାର୍ଜିତ କରିବା ପାଇଁ ବହି ଯେଉଁ ଭୂମିକା ନିଭାଉଥିଲା, ସେହି ବହିର ଆବଶ୍ୟକତା ପୂରଣ କରିବା ପାଇଁ ଏହି ବିକଳ୍ପକୁ ସ୍ବାଗତ କରିବାକୁ ପଡ଼ିବ। ଆମେ ଆଉ କାଗଜ କାଳି ପୁସ୍ତକର ଯୁଗକୁ ଟାଣି ଆଣିପାରିବା ନାହିଁ, ବରଂ ଆମେ ବିଜ୍ଞାନ ସହ ତାଳ ଦେଇ ନୂଆ ରୂପରେ ଆସୁଥିବା ବହିକୁ ସେହି ପୁରୁଣା ବନ୍ଧୁ ଭାବରେ ଦେଖିପାରିବା। ବହିର ମୃତ୍ୟୁ ନାହିଁ। ବହି ଆମର ବନ୍ଧୁ। ନୂଆ ବନ୍ଧୁକୁ ନୂଆ ରୂପରେ ସ୍ବାଗତ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା କମ୍ପ୍ୟୁଟର ଯୁଗରେ ବହିର ଚାହିଦା କମିବାକୁ ନେଇ ଆଶଙ୍କା ବ୍ୟକ୍ତ କରିବା ସହ ଆମ ରାଜ୍ୟର ମହାପୁରୁଷଙ୍କ ସମ୍ବନ୍ଧରେ ଆହୁରି ଅଧିକ ପୁସ୍ତକ ଛପା ଯିବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦେଶକ ଡା. ଅଶୋକ ମହାପାତ୍ର ଯୋଗଦେଇ ସେ ଲେଖିଥିବା ୧୬ଟି ବହି ଓ ବହିକୁ ନେଇ ଡାକ୍ତରୀ ପଢ଼ିବା ବେଳେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ପ୍ର‌େଫସର୍‌ ହରେକୃଷ୍ଣ ଶତପଥୀ ପୁସ୍ତକ ମେଳାକୁ ବାଗ୍‌ଦେବୀଙ୍କ ନୃତ୍ୟକ୍ଷେତ୍ର ସହ ତୁଳନା କରିଥିଲେ। ଏହି ଅବସରରେ ଶଶିଭୂଷଣ ରଥଙ୍କର ସମ୍ପାଦିତ ପୁସ୍ତକ ‘ଚେତନାର ଚିତ୍ରକର ଚନ୍ଦ୍ରଶେଖର’, ଗନ୍ତାୟତ ଶିବପ୍ରସାଦଙ୍କର ‘ଚଉରା ଓ ଅନ୍ୟାନ୍ୟ କବିତା’, ପୁଷ୍ପାଞ୍ଜଳି କରଙ୍କର କବିତା ସଂକଳନ ‘ମତେ ସବୁ ଭୁ‌ଲେଇ ଦିଅ’, ‘କାଦମ୍ବିନୀ’ ଓ ‘କୁନି କଥା’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଛି।

ଏହି ପୁସ୍ତକ ମହୋତ୍ସବରେ ଏଥର ୪ଟି ନିଆରା ଷ୍ଟଲ ପୁସ୍ତକପ୍ରେମୀଙ୍କୁ ଆକର୍ଷିତ କରିଛି। ମହାତ୍ମାଗାନ୍ଧୀଙ୍କ ସ୍ମୃତିରେ ‘ମୋ ଜୀବନ ହିଁ ମୋ ବାର୍ତ୍ତା’ ଷ୍ଟଲରେ ମହାତ୍ମାଗାନ୍ଧୀଙ୍କ ସମ୍ବନ୍ଧରେ କେତେକ ଅନାଲୋଚିତ ଅଧ୍ୟାୟ ଉପସ୍ଥାପିତ ହୋଇଥିବା ବେଳେ ‘ଅମର ଅଟଳ’ ଷ୍ଟଲ୍‌ରେ ଅଟଳ ବିହାରୀ ବାଜପେୟୀଙ୍କର କେତେକ କାଳଜୟୀ ‌ଲେଖା ସହ ଫଟୋ ସ୍ଥାନ ପାଇଛି। ସେହିଭଳି ‘ଚେତନାର ଚିତ୍ରକର ସାହିତ୍ୟିକ ଚନ୍ଦ୍ରଶେଖର’ ଷ୍ଟଲ୍‌ରେ ପଦ୍ମଶ୍ରୀ ଚନ୍ଦ୍ରଶେଖରଙ୍କର ବ୍ୟବହୃତ କଲମ, ତୂଳୀ, ବାଡ଼ି ପ୍ରଭୃତି ସାମଗ୍ରୀ ସ୍ଥାନ ପାଇଛି। ସେହିଭଳି ଯାଯାବର ଷ୍ଟଲ୍‌ରେ ଅକ୍ଷୟ ମହାନ୍ତିଙ୍କର ବ୍ୟବହୃତ ପ୍ରିୟ ହାର୍‌ମୋନିୟମ ସହ ତାଙ୍କର ସାହିତ୍ୟ କୃତି ସ୍ଥାନ ପାଇଛି। ‘ଆମ ଓଡ଼ିଶା’ ପକ୍ଷରୁ ମଧ୍ୟ ଏଠାରେ ଷ୍ଟଲ ହେବା ସହ ସମସ୍ତ ପୁସ୍ତକ ଉପଲବ୍‌ଧ ହେଉଛି। ସ୍ନେହଲତା ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡ. ଅଭୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ବସନ୍ତ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଭାସ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର