ଏକାମ୍ର ପୁସ୍ତକ ‌ମହୋତ୍ସବ ଉଦ୍‌ଯାପିତ: ଶୀତକଣ୍ଠଙ୍କୁ କବି ପ୍ରସାଦ ମିଶ୍ର ସ୍ମୃତି ପୁରସ୍କାର

ଚନ୍ଦ୍ରଶେଖରପୁର: ଡମଣା ଦୁର୍ଗାପୂଜା ପଡ଼ିଆରେ ଚାଲିଥିବା ଅଷ୍ଟମ ଏକାମ୍ର ପୁସ୍ତକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଆଲୋଚନାଚକ୍ର ‘ଗାନ୍ଧୀଙ୍କୁ ସମ୍ମାନ’ ଅନୁଷ୍ଠିତ ହୋଇଥିଲା। ଜାତିର ପିତା ହୋଇ ମହାତ୍ମା ଗାନ୍ଧୀ କିଭଳି ବିଶ୍ବବାସୀଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ସେ ସଂପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଏଥିରେ ପଦ୍ମବିଭୂଷଣ ତଥା ସାଂସଦ ରଘୁନାଥ ମହାପାତ୍ର ମୁଖ୍ୟ ପୁରୋଧା ରହିଥିବା ବେଳେ ଆମେରିକାସ୍ଥିତ ଦାଶ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ଶୀତକଣ୍ଠ ଦାଶ, ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ ଜୀବନୀ ଓ ଜନସେବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଉତ୍ସବ ଅବସରରେ ଡ. ଶୀତକଣ୍ଠ ଦାଶଙ୍କୁ ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା। ସାହିତ୍ୟିକା ପ୍ରବୀଣା ମହାନ୍ତିଙ୍କୁ ଏକାମ୍ର ସାରସ୍ବତ ସମ୍ମାନ, ଅକ୍ଷୟ କୁମାର ବେହେରା, ଦୁର୍ଗା ଚରଣ ଷଡ଼ଙ୍ଗୀଙ୍କୁ ଏକାମ୍ର ସାହିତ୍ୟ ସମ୍ମାନ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ରବୀନ୍ଦ୍ରନାଥ ମିଶ୍ରଙ୍କୁ ଏକାମ୍ର ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ତପସ୍ବିନୀ କରଙ୍କୁ ଏକାମ୍ର ସାରସ୍ବତ ଉଦ୍ୟୋଗ ସମ୍ମାନ, ଲେଖିକା ପୁଷ୍ପାଞ୍ଜଳି କରଙ୍କୁ ଏକାମ୍ର ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଏକାମ୍ର ପୁସ୍ତକ ମହୋତ୍ସବର ସଭାପତି ପୀତବାସ ରାଉତରାୟ, ଉପସଭାପତି ଅଭୟ ନାୟକ ଓ ସମ୍ପାଦକ ଭାସ୍କର ଜେନା ଉପସ୍ଥିତ ରହି ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର